ସୋଆରେ ଆୟୋଜିତ ହେବ “ବାୟୁ’ ସମ୍ମିଳନୀ: ରାଜ୍ୟପାଳଙ୍କ ସହିତ ଯୋଗଦେବେ ସାଂସଦ, କେନ୍ଦ୍ରମନ୍ତ୍ରୀ, ବୈଜ୍ଞାନିକ ଓ ଛାତ୍ରଛାତ୍ରୀ

ଭୁବନେଶ୍ୱର,୦୧/୧୨: ପ୍ରକୃତିରେ ସବୁକିଛି ୫ଟି ଉପାଦାନ ବା ପଂଚ ମହାଭୂତ-ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶକୁ ନେଇ ଗଠିତ । ଏଥି ମଧ୍ୟରୁ ଗୋଟିଏ ଉପାଦାନରେ ଅସନ୍ତୁଳନ ଦେଖାଦେଲେ କିମ୍ବା କୌଣସି କ୍ଷତି ଘଟିଲେ ମାନବ ଜଗତ ଉପରେ ବିପଦ ଦେଖା ଦେଇଥାଏ । ଜୀବଜଗତର ଦୀର୍ଘସ୍ଥାୟିତ୍ୱ ଓ ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛ ବାୟୁ ଅତ୍ୟନ୍ତ ଜରୁରୀ । ଏହି ବାର୍ତାର ପ୍ରଚାରପ୍ରସାର ପାଇଁ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ଠାରେ “”ବାୟୁ-ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି” ସମ୍ମିଳନୀ ହେବାକୁ ଯାଉଛି । ଆସନ୍ତା ଡିସେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଚାଲିବ । “”ସୁମଙ୍ଗଳମ୍ ପଂଚମହାଭୂତ ସମ୍ମିଳନୀ ଶୃଙ୍ଖଳା”ର ଅଂଶବିଶେଷ ସ୍ୱରୂପ ଏହି ସମ୍ମିଳନୀ ଆୟାଜନ କରାଯାଉଛି ।
ଏହି ସମ୍ମିଳନୀରେ ୫୦୦ ରୁ ଅଧିକ ବିଶେଷଜ୍ଞ ଛାତ୍ରଛାତ୍ରୀ, ଶିକ୍ଷାବିତ୍, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପ୍ରଦୂଷଣ ନିୟନ୍ତ୍ରଣ କମିଟିର ପ୍ରତିନିଧି, ପୌରପାଳିକା ଆୟୁକ୍ତ, ରାଜ୍ୟ ପରିବେଶ ସଚିବଗଣ, ବୈଜ୍ଞାନିକ, ଇଞ୍ଜିନିୟର ପ୍ରମୁଖ ଅଂଶଗ୍ରହଣ କରିବେ । ତିନି ଦିନିଆ ସମ୍ମିଳନୀରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, କଟକ ସାଂସଦ ଭର୍ତୃହରି ମହତାବ, ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେବେ ।