ଭୁବନେଶ୍ୱର ୧୭/୦୧: ନିକଟ ଅତୀତରେ ହୋଇଥିବା ଏକ ସର୍ଭେ ଅନୁସାରେ ନିରାମିଷ ଖାଦ୍ୟ ଖାଉଥିବା ଲୋକଙ୍କଠାରେ ମଧୁମେହ ଓ ହୃଦ୍‌ଘାତ ହେବାର ଆଶଙ୍କା କମ୍‌ ରହିଥାଏ । ସୁସ୍ଥ ରହିବା ପାଇଁ ଡାଏଟ୍‌ରେ ଭଲ ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ସାମିଲ୍‌ କରିବା ଆବଶ୍ୟକ । ଆବଶ୍ୟକ ଡାଏଟ୍‌ ନେବା ଦ୍ୱାରା ଦୀର୍ଘ ସମୟ ଯାଏ ସୁସ୍ଥ ରହିବାର ସମ୍ଭାବନା ଅଧିକ ରହିଥାଏ । କିଛି ଲୋକ ନିରାମିଷ ଡାଏଟ୍‌କୁ ପସନ୍ଦ କରୁଥିବା ବେଳେ ଆଉ କିଛି ଆମିଷ ଖାଇଥାନ୍ତି । କିଛି ଲୋକଙ୍କର ଧାରଣା ରହିଥାଏ ଯେ ନିରାମିଷ ଖାଦ୍ୟ କମ୍‌ ପ୍ରଭାବଶାଳୀ ହୋଇଥାଏ, ଯାହା ଆଦୌ ଠିକ୍‌ ନୁହେଁ । ବରଂ ନିରାମିଷ ଖାଦ୍ୟ ଆମିଷ ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇଥାଏ । ସର୍ଭେ ଅନୁସାରେ ନିରାମିଷ ଖାଦ୍ୟ ମଧୁମେହ ଓ ହୃଦ୍‌ଘାତ ପରି ରୋଗର ଆଶଙ୍କାକୁ କମ୍‌ କରିଥାଏ । 

ଗବେଷକଙ୍କ ଅନୁସାରେ ଡାଏଟ୍‌ରେ ନିରାମିଷ ଓ ଭେଗାନ୍‌ ସାମିଲ୍‌ କରିବା ଦ୍ୱାରା ଟାଇପ୍‌-୨ ମଧୁମେହ ସହିତ ହୃଦ୍‌ଘାତ ପରି ରୋଗ ହେବାର ଆଶଙ୍କା କମ୍‌ ରହିଥାଏ । ୨୦୨୦-୨୦୨୫ର ଡାଏଟ୍ରି ଗାଇଡ୍‌ଲାଇନ୍‌ ଫର୍‌ ଆମେରିକାନ୍‌ ଟ୍ରଷ୍ଟେଡ୍‌ ସୋର୍ସ ଅନୁସାରେ ନିରାମିଷ ଖାଦ୍ୟ ଖାଇବା ଦ୍ୱାରା ବ୍ୟକ୍ତିର କାର୍ଡିଓଭାସ୍କୁଲାର୍‌ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହି ସର୍ଭେ ଆଡ୍‌ଭାନ୍ସେସ୍‌ ଇନ୍‌ ନ୍ୟୁଟ୍ରିସନ୍‌ ଏବଂ ଦ ଆମେରିକାନ୍‌ ଜର୍ଣ୍ଣାଲ୍‌ ଅଫ୍‌ ପ୍ରିଭେଣ୍ଟିଭ୍‌ କାର୍ଟିଓଲୋଜିରେ ପ୍ରକାଶିତ ହୋଇଥିଲା । ଏହି ସର୍ଭେରେ ୪୪ରୁ ୬୧ ବର୍ଷ ବୟସର ଲୋକମାନଙ୍କୁ ସାମିଲ୍‌ କରାଯାଇଥିଲା । ସେମାନଙ୍କୁ କେବଳ ନିରାମିଷ ଖାଦ୍ୟ ଦିଆଯାଇଥିଲା । ୨୬ ସପ୍ତାହ ଯାଏ ଏମାନଙ୍କ ଉପରେ ନଜର୍‌ ରଖାଯାଇଥିଲା । 

ନିୟନ୍ତ୍ରିତ ରହେ ରକ୍ତରେ ଶର୍କରା :

ସର୍ଭେ ଅନୁସାରେ ନିରାମିଷ ଖାଦ୍ୟ ଖାଇବା ଦ୍ୱାରା ରକ୍ତରେ ଶର୍କରାସ୍ତର ନିୟନ୍ତ୍ରିତ ରହିବା ସହ ହିମୋଗ୍ଲୋବିନ୍‌ର ମାତ୍ରା ସାମାନ୍ୟ ରହିଥାଏ । ସେହିପରି ନିରାମିଷ ଖାଦ୍ୟ ଯୋଗୁ ଶରୀରର ଇଣ୍ଡେକ୍ସ ମଧ୍ୟ ନିୟନ୍ତ୍ରିତ ରହିଥାଏ । ଫଳରେ ଶରୀରରେ ଫ୍ୟାଟ୍‌ର ମାତ୍ରା ବଢି ନଥାଏ । ତେଣୁ କାର୍ଡିଓଭାସ୍କୁଲାର୍‌ ସ୍ୱାସ୍ଥ୍ୟ ଠିକ୍‌ ରହିଥାଏ । ନିରାମିଷ ଖାଦ୍ୟ ଆମିଷ ତୁଳନାରେ ଇନ୍‌ସୁଲିନ୍‌ ସେନ୍ସିଟିଭିଟିକୁ ୧୦ ଗୁଣା ଅଧିକ ଭଲ ରଖିଥାଏ ।

କାର୍ଡିଓଭାସ୍କୁଲାର୍‌କୁ ସୁସ୍ଥ ରଖିବା ପାଇଁ :

ନିୟମିତ ବ୍ୟାୟାମ ସାଙ୍ଗକୁ ପ୍ରାଣାୟାମ କରିବା ଆବଶ୍ୟକ । ଏଥିପାଇଁ ଶାରୀରିକ ସକ୍ରିୟତା ବଜାୟ ରଖିବା ଜରୁରି । ସେହିପରି ତୈଳାକ୍ତ ଖାଦ୍ୟଠାରୁ ଦୂରେଇ ରହିବା ସହ ସ୍ୱାସ୍ଥ୍ୟକର ଖାଦ୍ୟକୁ ଗୁରୁତ୍ୱ ଦେବା ଆବଶ୍ୟକ । ଏହାବ୍ୟତୀତ ଆବଶ୍ୟକ ନିଦରେ ନିଶ୍ଚୟ ଶୁଅନ୍ତୁ ।