ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ, ଦୀର୍ଘଦିନ ଧରି ହସ୍ପିଟାଲ ବେଡ୍ରେ ଶଯ୍ୟାସାୟୀ ଥିଲେ…

ନୂଆଦିଲ୍ଲୀ : ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନଙ୍କ ନାମ ହୁଏତ ଆପଣ ଜାଣିନଥିବେ କିନ୍ତୁ ମୁହଁ ଦେଖିଲେ ହଠାତ୍ ତାଙ୍କୁ ଚିହ୍ନି ପକାଇବେ । ଆଉ ଏହା ପଛର କାରଣ ହେଉଛି କିଛି ଅଭିନେତା ସେମାନଙ୍କ ଅଭିନୟ ହେତୁ ଲୋକଙ୍କ ମନରେ ନିଜର ଚିହ୍ନ ଛାଡିଥାନ୍ତି । ଏହିପରି ଜଣେ ଅଭିନେତା ହେଉଛନ୍ତି ବିକ୍ରମ ଗୋଖଲେ । ଆଜି ତାଙ୍କର ପରଲୋକ ଘଟିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିକ୍ରମ ଗୋଖଲେ ପୁଣେର ଦିନାନାଥ ମଙ୍ଗେଶକର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା ଅତ୍ୟନ୍ତ ଜଟିଳ ଥିଲା । ପୁଣେରେ ତାଙ୍କ ପତ୍ନୀଙ୍କ ସହ ରହୁଥିଲେ । ୭୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ।
ବିକ୍ରମ ଗୋଖଲେଙ୍କ ମୃତ୍ୟୁରେ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଏକ ବଡ଼ ଝଟକା ଲାଗିଛି । ଅନେକ ବଡ ବଲିଉଡ ଚଳଚ୍ଚିତ୍ରରେ ବିକ୍ରମ ଗୋଖଲେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ହମ୍ ଦିଲ୍ ଦେ ଚୁକେ ସନମ୍, ଭୁଲ୍ ଭୁଲେୟା ଠାରୁ ଦେ ଦନା ଦନ୍ ପର୍ଯ୍ୟନ୍ତ ବିକ୍ରମ ଗୋଖଲେ ତାଙ୍କ ଅଭିନୟ ଦ୍ୱାରା ଅନେକଙ୍କ ହୃଦୟ ଜିତିଛନ୍ତି । ବିକ୍ରମ ଗୋଖଲେ କେବଳ ହିନ୍ଦୀ ସିନେମାରେ ନୁହେଁ ମରାଠୀ ସିନେମାରେ ମଧ୍ୟ ଅଭିନୟ କରି ଲୋକଙ୍କ ହୃଦୟରେ ରାଜ୍ କରିଛନ୍ତି ।
କୁହାଯାଉଛି ଯେ ଦୀର୍ଘ ଦିନ ଧରି ଅଭିନେତାଙ୍କ ସ୍ୱାସ୍ଥ୍ୟ ଖରାପ ଚାଲିଥିଲା । ଡାକ୍ତରଖାନାରେ ୧୫ ଦିନରୁ ଅଧିକ ଦିନ ବିତାଇବା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରି ଏହି ଦୁନିଆକୁ ବିଦାୟ ଦେଇଛନ୍ତି ।