PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ବିଶ୍ୱଭୂଷଣ ହରିଚନ୍ଦନ ହେଲେ ଆନ୍ଧ୍ର ରାଜ୍ୟପାଳ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ବର୍ଷିୟାନ୍‌ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆନ୍ଧ୍ରପ୍ରଦେଶର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଶ୍ରୀ ହରିଚନ୍ଦନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ୮୫ ବର୍ଷୀୟ ବିଶ୍ୱଭୂଷଣ ୧୯୭୧ ମସିହାରେ ଭାରତୀୟ ଜନସଂଘରେ ସଦସ୍ୟତା ଗ୍ରହଣ କରି ଜନତା ପାର୍ଟି ଗଠନ ପର୍ଯ୍ୟନ୍ତ ଏହାର ରାଜ୍ୟ ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ । ପରେ ସେ ବିଜେପିରେ ଯୋଗଦେଇ ରାଜ୍ୟ ସଭାପତି ଦାୟିତ୍ୱ ତୁଲାଇଥିଲେ । ୧୯୭୭ ମସିହାରେ ଜନତା ପାର୍ଟି ଟିକେଟ୍‌ରେ ଚିଲିକା ନିର୍ବାଚନମଣ୍ଡଳୀରୁ ସେ ପ୍ରଥମେ ସପ୍ତମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୧୯୯୦ରେ ଜନତା ଦଳ ଟିକେଟ୍‌ରୁ ଚିଲିକାକୁ ପ୍ରତିନିଧିତ୍ୱ କରିଥିଲେ । ୧୯୯୬ ମସିହାରୁ ୨୦୦୯ ପର୍ଯ୍ୟନ୍ତ ସେ ଭୁବନେଶ୍ୱର ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିକୁ ପ୍ରତିନିଧିତ୍ୱ କରି ବିଧାନସଭାକୁ ଯାଇଥିଲେ ।

ଏହି ଦୀର୍ଘ ବିଧାନସଭା ସଦସ୍ୟତା ମଧ୍ୟରେ ବିଶ୍ୱଭୂଷଣ ବହୁବାର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସଫଳତାର ସହ ସମ୍ଭାଳିଛନ୍ତି । ଆଇନ, ଗ୍ରାମ୍ୟ ଉନ୍ନୟନ, ରାଜସ୍ୱ, ସମବାୟ, ଖାଦ୍ୟ ଯୋଗାଣ ଓ ଗୃହ ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱ ତାଙ୍କ ଉପରେ ବିଭିନ୍ନ ସମୟରେ ନ୍ୟସ୍ତ କରାଯାଇଛି । ବିଭିନ୍ନ ସମୟରେ ବିଧାନସଭା ଦ୍ୱାରା ଗଠିତ ୩୧ଟି କମିଟିରେ ସେ ସଦସ୍ୟ ବା ଅଧ୍ୟକ୍ଷତା କରିବାର ସୁଯୋଗ ପାଇଛନ୍ତି । ରାଜନୈତିକ ଜୀବନ ବ୍ୟତୀତ ସାଂସ୍କୃତିକ, ସାମାଜିକ ତଥା ସୃଜନଶୀଳତାରେ ତାଙ୍କର ବେଶ୍‌ ରୁଚି ରହିଛି । ଓକିଲାତିକୁ ପେସାରୁ ରାଜନୀତିକୁ ଆସିଥିବା ଶ୍ରୀ ହରିଚନ୍ଦନ ଅନେକ ପୁସ୍ତକ ରଚନା କରିଛନ୍ତି । ତାଙ୍କ ଲିଖିତ ରାଣା ପ୍ରତାପ, ଶେଷ ଝଲକ, ଅସ୍ତ ଶିଖା ଓ ମରୁ ବତାସ ଭଳି ପୁସ୍ତକ ପାଠକ ମହଲରେ ବେଶ୍‌ ଆଦୃତିଲାଭ କରିଛି । ନିକଟରେ ତାଙ୍କ ଦ୍ୱାରା ଲିଖିତ ଆତ୍ମଜୀବନୀ ‘ସଂଗ୍ରାମ ସରିନାହିଁ’ ଓଡ଼ିଶା ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା, ଯାହା ସେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ମଧ୍ୟ ପ୍ରଦାନ କରିଥିଲେ । ପୁସ୍ତକଟି ବେଶ୍‌ ଚର୍ଚ୍ଚାକୁ ଆସିଛି ।

ଆଜି ରାଜ୍ୟପାଳ ଭାବେ ନିଯୁକ୍ତି ପାଇବା ପରେ ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ କଥା ହୋଇଥିଲେ ଏବଂ ଅଧିକ କିଛି ଗୁରୁ ଦାୟିତ୍ୱ ନେବା ପାଇଁ ଓଡ଼ିଶା ଛାଡ଼ିବାକୁ ପଡ଼ିବ ବୋଲି କହିଥିଲେ । ଶ୍ରୀ ହରିଚନ୍ଦନ ଏ ନେଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କୃତଜ୍ଞତା ଜଣାଇବା ସହ ପ୍ରଧାନମନ୍ତ୍ରୀ, ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।