ଚଳଚ୍ଚିତ୍ର ‘ପଠାନ’କୁ ବିରୋଧ କରିବନି ବିଶ୍ୱ ହିନ୍ଦୁ ପରିଷଦ, ଏମିତି କହିଲା ସଙ୍ଗଠନ…

pic- internet
- ଦେଶର ସବୁ ପ୍ରେକ୍ଷାଳୟରେ ବୁଧବାର ରିଲିଜ ହେଉଛି ‘ପଠାନ’
- ରିଲିଜ ହେବାକୁ ଦେବନି କହିଲା ହିନ୍ଦୁ ମହାସଭା
- ବିହାରରେ ପୋଷ୍ଟର ଜଳାଇଲେ ହିନ୍ଦୁବାଦୀ ସଙ୍ଗଠନ
ମୁମ୍ୱାଇ: ଅଭିନେତା ଶାହରୁଖ ଖାନଙ୍କ ଚଳଚ୍ଚିତ୍ର ‘ପଠାନ’ କୁ ବିରୋଧ କରିବନି ବିଶ୍ୱ ହିନ୍ଦୁ ପରିଷଦ। ଭିଏଚ୍ପି କହିଛି ଯେ ଆମେ ଯେଉଁଗୁଡ଼ିକୁ ବିରୋଧ କରିଥିଲୁ ସେଗୁଡ଼ିକ ଫିଲ୍ମରୁ ହଟାଇ ଦିଆଯାଇଛି। ଏନେଇ ମୁମ୍ୱାଇ ଭିଏଚ୍ପି ସଚିବ ଶ୍ରୀରାଜ ନାୟର କହିଛନ୍ତି ଯେ ଫିଲ୍ମ ଦେଖିବା ପରେ ଯଦି ଆମେ କୌଣସି ଆପତ୍ତିଜନକ ପାଇଲୁ ତେବେ ପୁଣି ବିରୋଧ କରିବା ଉପରେ ବିଚାର କରିବୁ।

ଶାହରୁଖ ଖାନଙ୍କ ଅଭିନିତ ଚଳଚ୍ଚିତ୍ର ‘ପଠାନ’ ଆଜି ପୂରା ଦେଶରେ ରିଲିଜ ହେଉଛି। ହେଲେ ଦେଶର କିଛି ସ୍ଥାନରେ ଏହାକୁ ଜୋର୍ଦାର ବିରୋଧ କରାଯାଉଛି। ରିଲିଜର ଗୋଟିଏ ଦିନ ପୂର୍ବରୁ ବିହାର ଭଗଲପୁରରେ ଏକ ପ୍ରେକ୍ଷାଳୟରେ ଏହାର ପୋଷ୍ଟରକୁ ଚିରି ଜଳାଇ ଦିଆଯାଇଥିଲା। ହିନ୍ଦୁବାଦୀ ସଙ୍ଗଠନର ଯୁବକମାନେ ପୋଷ୍ଟର ଜଳାଇବା ସହ ‘ଫିଲ୍ମ ଚଲେଗା, ହଲ ଜଲେଗା’ ନାରା ଦେଇଥିଲେ।

ଅନ୍ୟପଟେ ଆଗରାରେ ମଧ୍ୟ ଫିଲ୍ମ ‘ପଠାନ’କୁ ଜୋରଦାର ବିରୋଧ କରାଯାଇଛି। ଦକ୍ଷିଣପନ୍ଥୀ ସଙ୍ଗଠନ ହିନ୍ଦୁ ମହାସଭା କାର୍ଯ୍ୟକର୍ତ୍ତା ମଙ୍ଗଳବାର ଫିଲ୍ମ ପୋଷ୍ଟର ଚିରି ଦେଇଥିଲେ। ହିନ୍ଦୁ ମହାସଭାର ନେତା ସଞ୍ଜୟ ଜାଟ କହିଛନ୍ତି କୌଣସି ବି ସ୍ଥିତିରେ ଫିଲ୍ମ ରିଲିଜ କରିବାକୁ ଦେବୁନି। ସେହିପରି ବଜରଙ୍ଗ ଦଳ ମଧ୍ୟ କହିଛି ଆମେ ଫିଲ୍ମକୁ ବିରୋଧ କରୁଛୁ।