ନୂଆଦିଲ୍ଲୀ,୧୯/୦୧: ବିଦର୍ଭ ଦଳ ପ୍ରଥମ ଥର ବିଜୟ ହଜାରେ ଟ୍ରଫି ଚାମ୍ପିଅନ୍ ହୋଇଛି । ରବିବାର ଅନୁଷ୍ଠିତ ଫାଇନାଲ୍ରେ ଦଳ ୩୮ରନ୍ରେ ସୌରାଷ୍ଟ୍ରକୁ ପରାସ୍ତ କରିଥିଲା । ଶତକୀୟ ଇନିଂସ୍ ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅର୍ଥବ ତାଇଡେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଏବଂ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୮୧୪ରନ୍ (୫ଶତକ, ୧ଅର୍ଦ୍ଧଶତକ) ସଂଗ୍ରହ କରିଥିବା ଅମନ ମୋଖାଡେ ପ୍ଲେୟାର ଅଫ୍ ଦ ସିରିଜ ବିବେଚିତ ହୋଇଥିଲେ । ସୌରାଷ୍ଟ୍ରକୁ ମାତ ଦେଇ ପ୍ରଥମ ଥର ପାଇଁ ଜାତୀୟ ଦିନିକିଆ କ୍ରିକେଟ ପ୍ରତିଯୋଗିତାରେ ବାଜିମାରି ନେଇଛି ବାଦର୍ଭ ।
ସୌରାଷ୍ଟ୍ରଠୁ ବ୍ୟାଟିଂ ଆମନ୍ତ୍ରଣ ପାଇ ବିଦର୍ଭ ୮ ୱିକେଟ୍ ବିନିମୟରେ ୩୧୭ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ତାଇଡେ ୧୨୮ (୧୫ଚୌକା, ୩ଛକା), ମୋଖାଡେ ୩୩, ୟଶ୍ ରାଠୋଡ଼ ୫୪, ରବିକୁମାର ସମର୍ଥ ୨୫ରନ୍ କରିଥିଲେ । ସୌରାଷ୍ଟ୍ର ପକ୍ଷରୁ ଅଙ୍କୁର ପୱଁର ୪ଟି ୱିକେଟ୍ ନେଇଥିଲେ । ଅର୍ଥବ ତାଇଡେଙ୍କ ଶତକ ଦଳକୁ ଏକ ବଡ଼ ସ୍କୋର କରାଇବାରେ ସହାୟକ ହୋଇଥିଲା ୩୧୮ରନ୍ ବିଜୟ ଲକ୍ଷ୍ୟର ପିଛା କରି ସୌରାଷ୍ଟ୍ର ୪୮.୫ ଓଭରରେ ୨୭୯ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ପ୍ରେରକ ମଙ୍କଡ଼ ୮୮ (୧୦ଚୌକା), ଚିରାଗ ଜାନି ୬୪, ସମର ଗୁଜ୍ଜର ୨୫, ରୁଚିତ ଆହିର ୨୧ରନ୍ କରିଥିଲେ । ବିଜୟୀ ବିଦର୍ଭ ପକ୍ଷରୁ ୟଶ୍ ଠାକୁର ୪ଟି ଓ ନଚିକେତ ଭୁତେ ୩ଟି ୱିକେଟ୍ ଓ ଦର୍ଶନ ନାଲୋକାଣ୍ଡେ ୨ଟି ୱିକେଟ୍ ଅକ୍ତିଆର କରିଥିଲେ ।
ଗତଥର କର୍ଣ୍ମାଟକ ନିକଟରୁ ଫାଇନାଲରେ ପରାସ୍ତ ହୋଇ ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା ଏଥର ଚାମ୍ପିଅନ୍ ହୋଇଛି । ପ୍ରଥମ ଥର ପାଇଁ ସୀମିତ ଓଭର ଫର୍ମାଟରେ ଟାଇଟଲ ଆଖ୍ୟା ଅର୍ଜନ କରିଛି ।