କେନ୍ଦୁଝର, ୨୧/୦୭: ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ ରବିବାର କେନ୍ଦୁଝର କେନ୍ଦୁପତ୍ର  ଡିଭିଜନ୍‌ର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଅନୁଗୁଳ ବାସଭବନରେ ଚଢାଉ କରିଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ହୋଇଥିଲା । ତଲାସି ସମୟରେ ମିଳିଥିବା ବହୁ ସଂଖ୍ୟକ ସାଗୁଆନ କାଠ ଫର୍ଣ୍ଣିଚର ଏବଂ କଳାକୃତିର ମୂଲ୍ୟାଙ୍କନ କରୁଛି ଭିଜିଲାନ୍ସ ଟିମ୍‌ । ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଗୁଳରେ ତଲାସ ଜାରି ରହିବା ପରେ ନିତ୍ୟାନନ୍ଦ ନାୟକଙ୍କୁ କେନ୍ଦୁଝର ଅଣାଯାଉଛି । ସେଠାରେ ତାଙ୍କ ସରକାରୀ ଆବାସ ଏବଂ କାର୍ଯ୍ୟାଳୟରେ ଛାନଭିନ୍‌ କରାଯିବ । ନିତ୍ୟାନନ୍ଦ ନାୟକ ଏବଂ ପରିବାର ସଦସ୍ୟଙ୍କ ନାମରେ ଜମା ଏବଂ ନିବେଶ ଯାଞ୍ଚ କରିବା ପାଇଁ ଅନ୍ୟ ଏକ ଦଳ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସ୍ଥାନରେ ଯାଞ୍ଚ କରୁଛି । ଭିଜିଲାନ୍ସ ଟେକ୍ନିକାଲ୍ ୱିଙ୍ଗ ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟାଙ୍କନ ଜାରି ରଖିଛି ।

ନିତ୍ୟାନନ୍ଦ ନାୟକଙ୍କ ସମ୍ପତ୍ତି ବିବରଣୀରେ କେବଳ ୧୨ଟି ପ୍ଲଟ୍ ରହିଥିବା ଦର୍ଶାଇଥିଲେ । ତେବେ ଏହି ବିପୁଳ ସମ୍ପତ୍ତିର ଉତ୍ସ ଜାଣିବା ପାଇଁ ଏବଂ ସମ୍ପତ୍ତି କ୍ରୟ ବିଷୟରେ କର୍ତ୍ତୃପକ୍ଷଙ୍କୁ ସୂଚନା ନଦେବା ତଥା ପ୍ରତିବର୍ଷ ସରକାରଙ୍କୁ ଦାଖଲ କରାଯାଇଥିବା ସମ୍ପତ୍ତି ବିବରଣୀ ଲୁଚାଇବା ବିଷୟରେ ନିତ୍ୟାନନ୍ଦ ନାୟକଙ୍କୁ ପଚରାଉଚରା କରାଯାଉଛି ।

କହିରଖୁ କି, ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ରବିବାର କେନ୍ଦୁଝର କେନ୍ଦୁପତ୍ର  ଡିଭିଜନ୍‌ର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଅନୁଗୁଳ, ନୟାଗଡ଼ ଓ କେନ୍ଦୁଝର ସମେତ  ୭ଟି ଠିକଣାରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା । ଏଥିରେ ୩ଜଣ ଡିଏସପି, ୧୦ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ୨ଜଣ କର୍ମଚାରୀ ସାମିଲ ହୋଇଥିଲେ l 

ଭିଜିଲାନ୍ସ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଡିଏଫ୍‌ଓ ଜଣଙ୍କ ଏପର୍ଯ୍ୟନ୍ତ ୧୧୫ଟି ପ୍ଲଟ୍ କିଣିଛନ୍ତି । ସମସ୍ତ ପ୍ଲଟ୍ ଗୁଡ଼ିକ ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ କିଣିଥିବା ଜଣାପଡିଛି । ସୁନ୍ଦରଗଡ, ସମ୍ବଲପୁର, ଢେଙ୍କାନାଳ ଏବଂ ସୋନପୁର ଜିଲ୍ଲାର ବିଭିନ୍ନ ଫରେଷ୍ଟ ଡିଭିଜନରେ ଫରେଷ୍ଟ ରେଞ୍ଜର ଅଫିସର ଭାବେ କାର୍ଯ୍ୟରତ ଥିବା ସମୟରେ ୨ଟି ପ୍ଲଟ୍ କିଣିଥିଲେ । ସେହିପରି ନୂଆପଡା ଜିଲ୍ଲା ଖରିଆର ଫରେଷ୍ଟ ଡିଭିଜନରେ ଫରେଷ୍ଟ ରେଞ୍ଜର ଅଫିସର ଥିବା ସମୟରେ ୬୪ଟି ପ୍ଲଟ୍ କିଣିଛନ୍ତି । ଖରିଆର ଏବଂ ରାୟଗଡା ଫରେଷ୍ଟ ଡିଭିଜନରେ ଆସିଷ୍ଟାଣ୍ଟ କନଜରଭେଟର ଥିବା ବେଳେ ୩୯ଟି ପ୍ଲଟ୍ କିଣିଥିଲେ । ଭୁବନେଶ୍ବର ଓ୍ବାଇଲ୍ଡ ଲାଇଫ୍ ପିସିସିଏଫ୍ ଡେପୁଟି କନଜରଭେଟର ଥିବା ସମୟରେ ୮ଟି ପ୍ଲଟ୍ କିଣିଥିବା ବେଳେ କେନ୍ଦୁଝର କେନ୍ଦୁଲିଫ୍ ଡିଏଫ୍‌ଓ ରହିଥିବା ସମୟରେ ୨ଟି ପ୍ଲଟ୍ କିଣିଥିଲେ ।