କଳାହାଣ୍ଡି, ୨୭/୧୨: ଏକ ମାମଲା ରଫାଦଫା ପାଇଁ ୩,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍‌ । ଧରା ପଡିଲେ ଗ୍ରାମରକ୍ଷୀ ଶ୍ରୀମୁଖ ବାଗ । ହେଲେ ଖସିଗଲେ ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ । କଳାହାଣ୍ଡି ଜିଲ୍ଲାରେ ଏଭଳି ଘଟଣା ଘଟିଛି । 

ଏକ ମାମଲା ରଫାଦଫା ପାଇଁ ଗ୍ରାମରକ୍ଷୀ ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ଗୋଇରାପଦର ଗାଁର ପ୍ରଭା ପୁଝାରିଙ୍କୁ ୩,୫୦୦ ଟଙ୍କା ଲାଞ୍ଚ ମାଗିଥିଲେ ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସ ଟିମ୍‌କୁ ଜଣାଇଥିଲେ । ଟଙ୍କା ନେବା ପୂର୍ବରୁ ଭିଜିଲାନ୍ସ ଟିମ୍‌ ଉକ୍ତ ସ୍ଥାନରେ ଛକି ବସିଥିଲା । ରଙ୍ଗ ବୋଳା ଟଙ୍କା ନେବା ମାତ୍ରେ ଅତର୍କିତ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌ । ଚଢାଉ କରିବା ବେଳେ ଗ୍ରାମରକ୍ଷୀ ଶ୍ରୀମୁଖ ବାଗ ଧରା ପଡ଼ିଥିଲେ । ହେଲେ ଜୁନାଗଡ଼ ଥାନା ଏଏସ୍‌ଆଇ ମୁକୁନ୍ଦ ଖେମୁଣ୍ଡୁ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏଏସ୍‌ଆଇଙ୍କୁ ଧରିବା ପାଇଁ ଭିଜିଲାନ୍ସ ଟିମ୍‌ ଉଦ୍ୟମ ଜାରି ରଖିଛି ।