ନୂଆଦିଲ୍ଲୀ, ୨୭/୦୩ : ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିବାହକୁ ପୂରିଲା ଏକ ମାସ। ମାର୍ଚ୍ଚ ୨୬ରେ ପ୍ରଥମ ମାସିକ ଆନିବର୍ଷରି ସେଲିବ୍ରେଟ୍ କଲେ ୨ ସେଲିବ୍ରେଟି। ଠିକ୍ ଏକ ମାସ ପୂର୍ବରୁ ଫେବୃଆରୀ ୨୬ରେ ଉଦୟପୁରରେ ଦୁହିଁଙ୍କ ହାତଗଣ୍ଠି ପଡ଼ିଥିଲା। ଦୁଇଟି ଭାରତୀୟ ସଂସ୍କୃତି ପରମ୍ପରାରେ ବିବାହ ହୋଇଥିଲା। ସକାଳେ ତେଲୁଗୁ ରୀତି ଏବଂ ସନ୍ଧ୍ୟାରେ କୋଡାୱା ରୀତିରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିଲା। ମାର୍ଚ୍ଚ ୪ରେ ହାଇଦ୍ରାବାଦ ସ୍ଥିତ ତାଜ କୃଷ୍ଣା ହୋଟେଲରେ ବିଜୟ ଏବଂ ରଶ୍ମିକାଙ୍କ ରିସେପ୍ସନ ପାର୍ଟି ହୋଇଥିଲା।
ଏକ ମାସ ପୂର୍ତ୍ତି ଅବସରରେ ରଶ୍ମିକା ଏବଂ ବିଜୟ ଇନଷ୍ଟାଗ୍ରାମରେ ଏକ ଭାବନାତ୍ମକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ସେ ତାଙ୍କ ବିବାହ ପାଇଁ ୩ ମହିଳାଙ୍କୁ ଶ୍ରେୟ ଦେଇଛନ୍ତି। ବିଜୟ ପୋଷ୍ଟ କରିଛନ୍ତି ଯେ, "ଆମ ସମସ୍ତଙ୍କ ଜୀବନରେ ବଡ଼ ମୁହୂର୍ତ୍ତ ଥାଏ। ଆମେ ସେହି ମୁହୂର୍ତ୍ତରେ ବଞ୍ଚୁ ହେଲେ ଜାଣିବା ପୂର୍ବରୁ ସେ ସମୟ ଅତିକ୍ରାନ୍ତ ହୋଇଯାଏ। କିନ୍ତୁ ଯଦି ତୁମେ ଏହାକୁ ଉପଲବ୍ଧ କରିପାରିଲେ ଏହି ସ୍ମୃତିଗୁଡ଼ିକ ସବୁଦିନ ପାଇଁ ତୁମ ସହିତ ରହିବ। ତୁମକୁ ଏବଂ ତୁମ ଚାରିପଟେ ଥିବା ଲୋକଙ୍କୁ ଆନନ୍ଦ ଦେବ।"
ବିଜୟ ପ୍ରଥମେ ତାଙ୍କ ଅଳଙ୍କାର ଡିଜାଇନର ଅର୍ପିତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, "ଅର୍ପିତା ଅସମ୍ଭବ ଶବ୍ଦକୁ ସମ୍ଭବ କରି ଦେଖାଇଛନ୍ତି। ମୁଁ ତାଙ୍କୁ ଏପରି କିଛି ଜିନିଷ ତିଆରି କରିବାକୁ କହିଥିଲି ଯାହା ମୋ ମନରେ ଥିଲା ଏବଂ କେହି ତିଆରି କରିପାରି ନଥିଲେ। ହେଲେ ଅର୍ପିତା ମୋ ଭାବନା ଠାରୁ ଅଧିକ ସୁନ୍ଦର ସ୍କେଚ୍ ଆଣିଥିଲେ ଏବଂ ସେଗୁଡ଼ିକୁ ବାସ୍ତବରେ ପରିଣତ କରିଥିଲେ। ସେଥିପାଇଁ ତାଙ୍କୁ ଧନ୍ୟବାଦ।"
ଦ୍ଵିତୀୟରେ ସେ ତାଙ୍କ ବନ୍ଧୁ ଐଶ୍ଵର୍ଯ୍ୟାଙ୍କୁ ଧନ୍ୟବାଦ ଦେଇଛନ୍ତି। ଯାହାଙ୍କୁ ସେ ଆଈସିବାଈ ଡାକନ୍ତି। ସେ ଲେଖିଛନ୍ତି ଯେ, "ତାଙ୍କୁ ନଡ଼ାକି ବି ସେ ଆସିଥିଲେ। ମୁଁ ବିବାହ କରିବାକୁ ନିଷ୍ପତ୍ତି ନେବା ପରଠାରୁ, ସେ ରଶ୍ମିକା ଏବଂ ମୋ ପାଇଁ ସେଠାରେ ଉପସ୍ଥିତ ଥିଲେ। ଯାତ୍ରା ଠାରୁ ଆରମ୍ଭ କରି ସ୍ଥାନ ବାଛିବା, ଖାଦ୍ୟ ଚାଖିବା, ଏକାଠି ମଦ ପିଇବା, ପୋଷାକ ଡିଜାଇନ୍ କରିବା, ଅଳଙ୍କାର, ନିମନ୍ତ୍ରଣ କାର୍ଡ, ସାଜସଜ୍ଜା ସବୁକିଛିରେ ସେ ଆମକୁ ସାହାଯ୍ୟ କରିଥିଲେ।"
ତୃତୀୟରେ ୱେଡିଂ ପ୍ଲାନର ପ୍ରିୟା ମଙ୍ଗାତିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଲେଖିଛନ୍ତି ଯେ, "ପ୍ରିୟା ଆମର ୱେଡିଂ ପ୍ଲାନର ହୋଇ ଆସିଥିଲେ, କିନ୍ତୁ ଦେଖୁ ଦେଖୁ ଆମର ଡାହାଣ ହାତ ହୋଇଗଲେ। ସେ ଆମ ପରିବାରର ଏକ ଅଂଶ ହୋଇଗଲେ। ରଶ୍ମିକା ଏବଂ ମୁଁ ବହୁ ଥର ଆଲୋଚନା କରୁ ଯେ, 'ତାଙ୍କ ବିନା ଏହି ବିବାହ ହୋଇପାରି ନଥାନ୍ତା।' ଆମେ ତୁମକୁ ବହୁତ ଭଲ ପାଉ। ଏବେଠାରୁ ଆମର ପ୍ରତ୍ୟେକ ପ୍ରୋଗ୍ରାମର ଦାୟିତ୍ୱ ତୁମେ ନେବ।"