ନୂଆଦିଲ୍ଲୀ, ୧୬/୧୨ : ଡିସେମ୍ଵର ୧୬... ଭାରତର ସୈନ୍ୟ ଶକ୍ତି ଏବଂ ବଳିଷ୍ଠ କୂଟନୈତିକ ନେତୃତ୍ଵର ପ୍ରତୀକ। ପ୍ରତି ଭାରତୀୟଙ୍କ ପାଇଁ ଏକ ମହତ୍ତ୍ଵପୂର୍ଣ୍ଣ ଦିନ। କାରଣ ଏହି ଦିନ ଭାରତ-ପାକିସ୍ତାନ ଯୁଦ୍ଧରେ ଐତିହାସିକ ବିଜୟ ହାସଲ କରିଥିଲା ଦେଶ। ଏଜି ଜିତ୍ ପାଇଁ ଉଦୟ ହୋଇଥିଲା ଏକ ନୂଆ ରାଷ୍ଟ୍ର। ଅସ୍ଥିତ୍ଵ ପାଇଥିଲା ବାଂଲାଦେଶ। ଏହି ଯୁଦ୍ଧରେ ଜୀବନକୁ ବାଜି ଲଗାଇଦେଇଥିଲେ ଭାରତୀୟ ସଶସ୍ତ୍ର ବାହିନୀ ଏବଂ ବାଂଲାଦେଶୀ ମୁକ୍ତି ବାହିନୀ। ତେଣୁ ଦେଶ ପାଇଁ ବଳିଦାନ ଦେଇଥିବା ଏହି ବୀର ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଡିସେମ୍ଵର ୧୬ରେ ବିଜୟ ଦିବସ ପାଳନ କରୁଛି ଦେଶ।

କେମିତି ହୋଇଥିଲା ଯୁଦ୍ଧର ଶଙ୍ଖନାଦ- 

ଭାରତ-ପାକିସ୍ତାନ ବିଭାଜନ ପରେ ପାକିସ୍ତାନର ପୂର୍ବ ଭାଗରେ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା ସାଂସ୍କୃତିକ ଏବଂ ରାଜନୈତିକ ଭେଦଭାବ। ଯାହା ଏବେ ବାଂଲାଦେଶ ଭାବରେ ପରିଚିତ। ଏହି ଅଞ୍ଚଳରେ ନରସଂହାର, ବଳାତ୍କାର ଏବଂ ମାନବ ଅଧିକାର ଉଲ୍ଲଙ୍ଘନ କରିବାରେ ସବୁ ସୀମା ଟପି ଯାଇଥିଲା ପାକିସ୍ତାନ। ଏହି କାରଣରୁ ୧୯୭୧ ମସିହା ମାର୍ଚ୍ଚ ୨୬ ତାରିଖରେ ସ୍ଵାଧୀନତା ପାଇଁ ସ୍ଵର ଉଠାଇଥିଲେ ଏଠାକାର ଲୋକେ। ହେଲେ ସେମାନଙ୍କ ଉପରେ ଦମନ ନୀତି ଆପଣେଇଥିଲା ପାକିସ୍ତାନ। ଏଥିପାଇଁ ମାନବିକତା ଦୃଷ୍ଟିରୁ ପୂର୍ବ ପାକିସ୍ତାନର ସ୍ଵତନ୍ତ୍ରତା ପାଇଁ ସହଯୋଗର ହାତ ବଢାଇଥିଲା ଭାରତ। ଯାହାପରେ ଡିସେମ୍ଵର ୩ରେ ଭାରତ-ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିଲା ଘମାଘୋଟ ଯୁଦ୍ଧ। ହେଲେ ଭାରତୀୟ ସଶସ୍ତ୍ର ବାହିନୀ ଓ ବାଂଲାଦେଶୀ ମୁକ୍ତି ବାହିନୀ ଆଗରେ ନତମସ୍ତକ ହୋଇଥିଲା ପକିସ୍ତାନ। ଡିସେମ୍ଵର ୧୬ରେ ଢାକାରେ ଆତ୍ମସମର୍ପଣ କରିଥିଲେ ପ୍ରାୟ ୯୩ ହଜାର ପାକିସ୍ତାନୀ ସେନା। ଯାହାକି ଇତିହାସରେ ଥିଲା ସବୁଠୁ ବଡ଼ ଆତ୍ମସମର୍ପଣ। ଯାହାପରେ ଏକ ନୂଆ ରାଷ୍ଟ୍ର ଭାବେ ଉଦୟ ହେଲା ବାଂଲାଦେଶ। 

ଭାରତର ଭୂମିକା-

ଏହି ଯୁଦ୍ଧରେ ଭାରତ କେବଳ ସୈନ୍ୟ ସହାୟତା ପ୍ରଦାନ କରିନଥିଲା ବରଂ ଲକ୍ଷାଧିକ ଶରଣାର୍ଥୀଙ୍କୁ ଶରଣ ଦେଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ଵରେ ନିର୍ଣ୍ଣାୟକ ଭୂମିକା ନେଇଥିଲା ଭାରତ। ତେଣୁ ଡିସେମ୍ବର ୧୬ ଭାରତର ସୈନ୍ୟ ଶକ୍ତି ଏବଂ ବଳିଷ୍ଠ କୂଟନୈତିକ ନେତୃତ୍ଵର ପ୍ରତୀକ। ଏହି ଦିନ ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ବିଜୟ ଦିବସ ପାଳୁଛି ଦେଶ। ସେମାନଙ୍କର ଅଦମ୍ୟ ସାହସକୁ ସଲାମ କରୁଛନ୍ତି ଦେଶବାସୀ।