ଚେନ୍ନାଇ, ୧୨।୫: ତାମିଲନାଡ଼ୁ ରାଜନୀତିରେ ଏବେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ଅଭିନେତାରୁ ଜନନେତା ପାଲଟିଥିବା ଥଲାପତି ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିବା ଆରମ୍ଭ କରିଛନ୍ତି । ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଥିବା ଏକ ନୂତନ ନିଯୁକ୍ତି । ମୁଖ୍ୟମନ୍ତ୍ରୀ ବିଜୟଙ୍କ ବ୍ୟକ୍ତିଗତ ଜ୍ୟୋତିଷ ରାଧନ ପଣ୍ଡିତ ବେଟ୍ରିଭେଲ୍ଙ୍କୁ ରାଜ୍ୟ ସରକାରଙ୍କ ‘ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି’ (OSD) ଭାବେ ନିଯୁକ୍ତ କରାଯାଇଛି ।
ଶପଥ ଗ୍ରହଣ ଓ ଜ୍ୟୋତିଷୀଙ୍କ ପରାମର୍ଶ:
ସୂଚନାଯୋଗ୍ୟ ଯେ, ରାଜ୍ୟପାଳଙ୍କ ସହ ଦୀର୍ଘ ଦିନର ଟଣାଓଟରା ପରେ ଶେଷରେ ବିଜୟଙ୍କୁ ସରକାର ଗଢ଼ିବା ପାଇଁ ନିମନ୍ତ୍ରଣ ମିଳିଥିଲା । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ମେ’ ୧୦ ତାରିଖ ଅପରାହ୍ନ ୩ଟା ୪୫ ମିନିଟ୍ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବାର ଥିଲା । କିନ୍ତୁ, ନିଜର ଆଧ୍ୟାତ୍ମିକ ଗୁରୁ ତଥା ଜ୍ୟୋତିଷ ବେଟ୍ରିଭେଲ୍ଙ୍କ ପରାମର୍ଶ କ୍ରମେ ବିଜୟ ଏହି ସମୟକୁ ପରିବର୍ତ୍ତନ କରିଥିଲେ । 'ଶୁଭ ମୁହୂର୍ତ୍ତ' ପାଇଁ ଏହି ଉତ୍ସବକୁ ସକାଳ ୧୦ଟାକୁ ଅଗ୍ରସର କରାଯାଇଥିଲା । ବିଜୟଙ୍କ ରାଜନୈତିକ ଯାତ୍ରାର ପ୍ରତିଟି ପାଦରେ ବେଟ୍ରିଭେଲ୍ ଜଣେ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିଆସୁଛନ୍ତି ।
କିଏ ଏହି ରାଧନ ପଣ୍ଡିତ ବେଟ୍ରିଭେଲ୍ ?
ବେଟ୍ରିଭେଲ୍ ତାମିଲନାଡୁର ଜଣେ ପ୍ରତିଷ୍ଠିତ ଜ୍ୟୋତିଷ ଓ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ । ଗତ ୪୦ ବର୍ଷ ଧରି ସେ ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଅନେକ ବଡ଼ ବଡ଼ ନେତାଙ୍କ ଭାଗ୍ୟ ଗଣନା କରିଆସୁଛନ୍ତି । କୁହାଯାଏ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ମଧ୍ୟ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ବେଟ୍ରିଭେଲ୍ଙ୍କ ସହ ପରାମର୍ଶ କରୁଥିଲେ । ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ ଟିଭିକେ ବିଜୟୀ ହେବ ବୋଲି ସେ ବହୁ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ । ତାଙ୍କ ବ୍ୟତୀତ କେବଳ ‘ଆକ୍ସିସ ମାଇଁ ଇଣ୍ଡିଆ’ର ପ୍ରଦୀପ ଗୁପ୍ତା ହିଁ ଏହି ସଫଳତାର ସଠିକ୍ ଆକଳନ କରିପାରିଥିଲେ ।
ଟିଭିକେର ଚମତ୍କାର ପ୍ରଦର୍ଶନ ଓ ସରକାର ଗଠନ:
ତାମିଲନାଡୁର ୨୩୪ଟି ବିଧାନସଭା ଆସନ ମଧ୍ୟରୁ ବିଜୟଙ୍କ ଟିଭିକେ ଦଳ ୧୦୮ଟି ଆସନରେ ବିଜୟ ବାଜିମାତ କରିଛି । ଯଦିଓ ଏହା ବହୁମତ ସଂଖ୍ୟା (୧୧୮) ଠାରୁ ସାମାନ୍ୟ କମ୍ ଥିଲା, କିନ୍ତୁ କଂଗ୍ରେସ ଏବଂ ଭିସିକେ ପରି ଦଳଗୁଡ଼ିକର ସମର୍ଥନ ପରେ ବିଜୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ସହଜ ହୋଇଥିଲା । ବେଟ୍ରିଭେଲ୍ ଓଏସଡି ଭାବେ ନିଯୁକ୍ତି ଦିଆଯିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହା ସ୍ପଷ୍ଟ କରୁଛି ଯେ, ଆଗାମୀ ଦିନରେ ତାମିଲନାଡୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଜ୍ୟୋତିଷ ଶାସ୍ତ୍ର ଓ ଶୁଭ ମୁହୂର୍ତ୍ତର ଏକ ବଡ଼ ଭୂମିକା ରହିବ । ଜଣେ ବ୍ୟକ୍ତିଗତ ପରାମର୍ଶଦାତାଙ୍କୁ ସରକାରୀ ପଦବୀରେ ଅଧିଷ୍ଠିତ କରି ବିଜୟ ନିଜର ବିଶ୍ୱସ୍ତତା ପ୍ରମାଣିତ କରିଛନ୍ତି ।
ଆହୁରି ପଢ଼ନ୍ତୁ... CM Vijay: ବିଜୟଙ୍କ କ୍ରେଜ୍, ଥଲାପତିଙ୍କୁ ଭେଟିବାକୁ ୬୫୦ କିମି ଚାଲି ଚାଲି ଆସିଲେ କେରଳର ଦମ୍ପତି