ସୋର,୨୯/୦୯ ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ କୋର୍ଟ ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ସୋର ଥାନାଧିକାରୀଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି । ରାସ୍ତା ଅବରୋଧ କରି ମ୍ୟାଚ୍ ଦେଖୁଥିବା ଯୁବକଙ୍କୁ ବାରଣ କରିବାରୁ ଉତ୍କ୍ଷିପ୍ତ ଯୁବକମାନେ ପୁଲିସ୍କୁ ମାଡ଼ ମାରିଥିବା ଜମାପଡ଼ିଛି ।
ସୂଚନା ଅନୁସାରେ, ରବିବାର ଏସିଆ କପ୍ ଫାଇନାଲ୍ ମ୍ୟାଚ୍ ଚାଲିଥିବା ବେଳେ କୋର୍ଟ ନିକଟସ୍ଥ ତାରିଣୀ ମନ୍ଦିର ସମ୍ମୁଖରେ ରାସ୍ତା ଅବରୋଧ କରି ଏକ କ୍ଲବ୍ର ସଦସ୍ୟମାନେ ଏଲ୍ଇଡି ଲଗାଇ ମ୍ୟାଚ୍ର ସିଧାପ୍ରସାରଣ ଦେଖୁଥିଲେ । ଏହି ସମୟରେ ସୋର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ପାଟ୍ରୋଲିଂ କରୁଥିବା ବେଳେ ସେଠାରେ ପହଞ୍ଚି ରାସ୍ତା ଅବରୋଧ ହଟାଇବାକୁ ଯୁବକମାନଙ୍କୁ ପ୍ରଶ୍ନ କହିଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ କେତେକ ଯୁବକ ଥାନାଧିକାରୀ ଶ୍ରୀ ସାହୁ ଓ ଏଏସ୍ଆଇ ସମୀର ବେହେରାଙ୍କୁ ଆକ୍ରମଣ କରିଥିଲେ । ଶ୍ରୀ ବେହେରା ଗୁରୁତର ହୋଇଥିବା ବେଳେ ଥାନାଧିକାରୀ ଶ୍ରୀ ସାହୁ ଆହତ ହୋଇଛନ୍ତି । ଘଟଣାରେ ପୁଲିସ୍ ଜଣଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିବା ସହ ଘଟଣାର ତଦନ୍ତ କରୁଛି ।