ପ୍ରମୂଖ ଖବର
  • ରଥ ଖଳା ହାଲ୍‌ଚାଲ୍‌: ପଡ଼ିଲା ରଥର ପ୍ରଥମ ଫ୍ରେମ୍, ଆଗକୁ ଦଣ୍ଡା କଣ୍ଟା ଅନୁକୂଳ
  • ||
  • କଟକ : ମହୁମାଛି ଆକ୍ରମଣରେ ବୃଦ୍ଧା ମୃତ, ଜଣେ ଗୁରୁତର
  • ||
  • ଆଗକୁ ବଢ଼ିବାର ନାଁ ନେଉନି ମୌସୁମୀ: ଭୀଷଣ ଗ୍ରୀଷ୍ମପ୍ରବାହ ଆଲର୍ଟ, ୭ରେ କିଛି ସ୍ଥାନରେ ୪୨ ଡିଗ୍ରୀ ଟପିବ ତାତି
  • ||
  • କଳାହାଣ୍ଡି : ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌; ଜଣେ ମୃତ, ୫ ଗୁରୁତର
  • ||

ଆଦିବାସୀଙ୍କ ଭରସା ଜଙ୍ଗଲ ଜାତ ଦ୍ରବ୍ୟ; ଟୋଲରୁ ତେଲ ପ୍ରସ୍ତୁତ କରି ବ୍ୟବହାର କରୁଛନ୍ତି କନ୍ଧମାଳ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ

Published By : Prameya | June 3, 2025 1:25 PM

ଫିରିଙ୍ଗିଆ,୦୩/୦୬: ମହୁଲ ଏକ ଅର୍ଥକାରୀ ବନଜାତ ଦ୍ରବ୍ୟ । ଏଥିରୁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ମଧ୍ୟ ତିଆରି ହୋଇଥାଏ । ହେଲେ ଆପଣ ଜାଣିଛନ୍ତି କି ମହୁଲ ଫଳରୁ ତେଲ ମଧ୍ୟ ପ୍ରସ୍ତୁତ ହୋଇଥାଏ । ମହୁଲ ଫଳରୁ ତିଆରି ହୋଇଥାଏ ସ୍ବାସ୍ଥ୍ୟକର ଗରା ତେଲ । ଯାହା ନାମୀଦାମୀ ବ୍ରାଣ୍ଡ ତେଲଠାରୁ କୌଣସି ଗୁଣରେ କମ୍ ନୁହେଁ । ଅଳ୍ପ ଖର୍ଚ୍ଚରେ ଓ ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ ହୋଇଥାଏ ମହୁଲ ଫଳରୁ ତେଲ । କନ୍ଧମାଳ ଜିଲ୍ଲା ଆଦିବାସୀମାନେ କେଉଁ ପ୍ରାଚୀନ କାଳରୁ ଏହି ତେଲକୁ ବ୍ୟବହାର କରି ଖାଇଥାନ୍ତି । କିଛି ଟୋଲକୁ ଆଦିବାସୀମାନେ ସ୍ଥାନୀୟ ବ୍ୟବସାୟୀଙ୍କୁ ବିକ୍ରି କଲା ପରେ ବର୍ଷକ ପାଇଁ ବଳକା ଟୋଲକୁ ସାଇତି ରଖିଥାଆନ୍ତି । ଆଉ ଆବଶ୍ୟକ ପଡ଼ିଲେ ପାରମ୍ପାରିକ ଶୈଳୀରେ ଟୋଲକୁ କୁଟୁଣୀରେ କୁଟି କପଡାରେ ବାନ୍ଧି, କୌଣସି ଭାରୀ ପଥରରେ ଚାପି ତେଲକୁ ବାହାର କରିଥାନ୍ତି । 

ବର୍ତ୍ତମାନ ବଜାରରେ ଖାଇବା ତେଲ ଅର୍ଥାତ୍ ପାମଅଏଲ, ସୂର୍ଯ୍ୟମୁଖୀ, ବାଦାମ, ସୋୟାବିନ୍ ଏବଂ ସୋରିଷ ତୈଳ ଆଦି ଲିଟର ପିଛା ୧୫୦ରୁ ୨୦୦ ଟଙ୍କାରେ ମିଳୁଛି । ଯାହାକୁ ସାଧାରଣ ଗରିବ ଲୋକ କ୍ରୟ କରି ବ୍ୟବହାର କରିବା କଷ୍ଟସାଧ । ତେଣୁ କନ୍ଧମାଳ ଜିଲ୍ଲାର ଅନେକ ଆଦିବାସୀ ଖାଇବା ତେଲର ବିକଳ୍ପ ଭାବେ ଟୋଲ ତେଲକୁ ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି । ଏହା କମ୍ ଦରରେ ମିଳିଥାଏ ଏବଂ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ । ଅନ୍ୟାନ୍ୟ ତୈଳବୀଜରୁ ପ୍ରସ୍ତୁତ ଖାଇବା ତେଲର ଦର ଆକାଶଛୁଆଁ ହୋଇଥିବା ବେଳେ ଏହା ଏବେ ଅନେକ ଗରିବ ତଥା ନିମ୍ନ ମଧ୍ୟମ ଶ୍ରେଣୀର ଆଦିବାସୀଙ୍କ ପାଇଁ ଫଳପ୍ରଦ ହୋଇଛି । 

ଗୋଟା ଟୋଲ କିଲୋ ପ୍ରତି ୩୦ ଟଙ୍କା ମୂଲ୍ୟରେ ବିକ୍ରୟ ହେଉଛି। ତାକୁ ପେଡିଲେ ସେଥିରୁ ମିଳୁଛି ପ୍ରାୟ ୩୫୦ଗ୍ରାମ ଟୋଲ ତେଲ । ୯୦ ଟଙ୍କାର ଟୋଲ କିଣି ପେଡିଲେ ୧୦୫୦ଗ୍ରାମ ତେଲ ମିଳିଥାଏ । ତେଣୁ ଆଦିବାସୀ ଅଧ୍ୟୁସିତ କନ୍ଧମାଳ ଜିଲ୍ଲାର ଲୋକେ ବର୍ତ୍ତମାନ ନିଜ ପାରମ୍ପାରିକ ତେଲ ବ୍ୟବହାର କରି ବ୍ୟୟବହୁଳ ଖର୍ଚ୍ଚରୁ ରକ୍ଷା ପାଇଥିବା ପ୍ରକାଶ କରିଛନ୍ତି । ଆଦିବାସୀମାନେ ଗ୍ରୀଷ୍ମ ଋତୁରେ ମହୁଲ ଗଛରୁ ପ୍ରଥମେ ମହୁଲ ଫୁଲ ଏବଂ ପରେ ଗୋରା ବା ଟୋଲ ସଂଗ୍ରହ କରିଥାନ୍ତି । ମହୁଲ ଫଳକୁ ଛୋଟ ପଥରରେ ଫଟାଇ ଉପର ଚୋପାକୁ ବାହାର କରିଥାନ୍ତି ଓ ଭିତରେ ଥିବା ଶସକୁ ଟାଣ ଖରାରେ ଶୁଖେଇ ଦେଇଥାନ୍ତି । ଆଉ ଶୁଖୁବା ପରେ ପାରମ୍ପାରିକ ତେଲ ଘଣା ବା ମିଲ୍‌କୁ ନେଇ ସେଠାରେ ପେଶିଥାନ୍ତି। ଆଉ ଏଥୁରୁ ପ୍ରସ୍ତୁତ ହୋଇଥାଏ ଏହି ଟୋଲ ତେଲ । 

ଏହି ତୈଳ ଖାଇବା ସହ ଦେହରେ ମଧ୍ୟ ଆଦିବାସୀମାନେ ଲଗାଇଥାନ୍ତି । ଟୋଲ ତୈଳ ଚର୍ମରୋଗ ଭଲ କରିଥାଏ । ମୁଣ୍ଡରେ ଲଗାଇଲେ କେଶ ବୃଦ୍ଧି ପାଇବା ସହ କେଶ ଝଡିବା ବନ୍ଦ କରିଥାଏ । ଏହି ତେଲର ଔଷଧ ଗୁଣ ମଧ୍ୟ ରହିଛି । କେବଳ ଖାଲି ସେତିକି ନୁହେଁ । ଟୋଲ ତେଲରୁ ବାହାରୁଥିବା ଅଦରକାରୀ ଜିନିଷ ବା ପିଡିଆ ସାବୁନ ଓ ମାଛ ଚାଷ ପାଇଁ ଖାଦ୍ୟ ଭାବେ ବାହାର ରାଜ୍ୟକୁ ଯାଇଥାଏ । ଆଉ ଏହା ଦ୍ବାରା ଭଲ ଦି ପଇସା ରୋଜଗାର ହେଉଥ‌ିବା କହିଛନ୍ତି ଘଣା ମିଲ୍ ମାଲିକ । ତେବେ ପୂର୍ବରୁ ଲୋକେ ପାରମ୍ପାରିକ ତେଲ ଘଣା ସାହାଯ୍ୟରେ ବିଭିନ୍ନ ପ୍ରକାରର ତେଲ ପ୍ରସ୍ତୁତ କରୁଥିଲେ । କିନ୍ତୁ ସେ ସବୁ ଆଜି ବିଲୁପ୍ତ ପ୍ରାୟ । ଯାହା ଫଳରେ ଲୋକେ ଆପଣାଇଛନ୍ତି ଆଧୁନିକ ତେଲ ପ୍ରସ୍ତୁତି ଯନ୍ତ୍ର । ଆଉ  ଏଥିରୁ ବାହାରିଥିବା ତେଲକୁ ସେମାନେ ଖାଇବା ପାଇଁ ବ୍ୟବହାର କରିବାରେ ଲାଗିଛନ୍ତି । ଆଦିବାସୀମାନେ କେଉଁ ପ୍ରାଚୀନ କାଳରୁ ଏହି ଟୋଲ ଫଳରୁ ଉତ୍ପାଦିତ ତୈଳ ବ୍ୟବହାର କରି ଆସୁଥିଲେ ମଧ୍ୟ ଅନ୍ୟାନ୍ୟ ବର୍ଗର ଲୋକମାନେ ଏହି ତୈଳକୁ କୌଣସି ସମୟରେ ବ୍ୟବହୃତ କରୁନଥିବା କନ୍ଧମାଳ ଜିଲ୍ଲାରେ ପରିଲକ୍ଷିତ ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.