ଆନନ୍ଦପୁର, ୧୭/୧୦ : କେନ୍ଦୁଝର ଜିଲ୍ଲା ହାଟଡ଼ିହି ତହସିଲ ଅନ୍ତର୍ଗତ କରଗୋଳା ଗ୍ରାମକୁ ଲାଗିଥିବା ବୈତରଣୀ ନଦୀର ବାଲି ଉତ୍ସକୁ ବେଆଇନ ଭାବେ ଉତ୍ତୋଳନ କରାଯାଇ ଚଢା ଦରରେ ବିକ୍ରି କରାଯାଉଛି। ବାଲିଘାଟ ପାଇଁ ଗ୍ରାମବାସୀଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ଜଙ୍ଗଲର ଶତାଧିକ ବଡ଼ ଗଛକୁ କାଟି ଦିଆଯାଇଛି। ଘଟଣାକୁ କେନ୍ଦ୍ରକରି ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଖଣି ବିଭାଗ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।
୨ ଦିନ ତଳେ ତହସିଲଦାରଙ୍କ ସମେତ ଖଣି ବିଭାଗ ଅଧିକାରୀ ସମ୍ପୃକ୍ତ ଘାଟ ନିକଟକୁ ଯାଇ ଟ୍ରେଞ୍ଚ୍ ଖୋଳିବା ପାଇଁ ଆୟୋଜନ କରିବା ସହିତ ଚାରୋଟି ହାଇୱା ଜବତ କରିଥିଲେ ମଧ୍ୟ ଗାଡି ଗୁଡିକୁ ଛାଡି ଦେଇଥିଲେ। ଟ୍ରେଞ୍ଚ୍ ମଧ୍ୟ ଖୋଳା ଗଲାନାହିଁ। ଯାହାକୁ ନେଇ ଅସନ୍ତୋଷ ବଢିଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଗ୍ରାମବାସୀ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଧାରଣାରେ ବସିଛନ୍ତି। କାହା ଚାପରେ ଚେପା ହେଉଛି ପ୍ରଶାସନ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ପ୍ରଶାସନିକ ସ୍ତରରେ ଏକ ଟିମ୍ ଗଠନ କରାଯାଇ ତୁରନ୍ତ ବାଲି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି।