ଭିମସାର ବିବାଦରେ ପୂର୍ଣଚ୍ଛେଦ: ନିର୍ଦ୍ଦେଶକ ପଦରୁ ଅଶ୍ୱିନୀ ପୂଜାହାରୀଙ୍କ ଇସ୍ତଫା

ବୁର୍ଲା,୯ା୨(ଆପ୍ର): ଦୀର୍ଘ ଦିନ ଧରି ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ ନେଇ ଭିମସାରରେ ଲାଗି ରହିଥିବା ବିବାଦର ଆଜି ପୂର୍ଣଚ୍ଛେଦ ପଡ଼ିଛି । ଗତକାଲି ରାତିରେ ଡାକ୍ତର ପୂଜାହାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତିି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ତାଙ୍କ ବିରୋଧରେ ଭିମ୍ସାର୍ର ସମସ୍ତ ଡାକ୍ତରୀ ଛାତ୍ର ତଥା ପିଜି ଛାତ୍ର ଦୀର୍ଘ ଦିନ ଧରି ଆନ୍ଦୋଳନ କରି ରୋଗୀ ସେବା ଠପ୍ କରି ଦେଇଥିଲେ । ଫଳରେ ଗତ ଡିସେମ୍ବର ୭ରୁ ରାଜ୍ୟ ସରକାର ତାଙ୍କୁ ଛୁଟିରେ ପଠାଇ ଦେଇଥିଲେ । ସେପଟେ କାରଣ ଦର୍ଶାଅ ନୋଟିସ୍ର ଉତ୍ତର ଡାକ୍ତର ପୂଜାହାରୀ ଦେବା ସତ୍ତେ୍ୱ ରାଜ୍ୟ ସରକାର ଦୀର୍ଘ ଦିନ ଧରି ନିରବ ରହିବାରୁ ସେ ଏହି ଇସ୍ତଫା ଦେଇଥିବା କହିଛନ୍ତି । ତେବେ, ତାଙ୍କୁ ଜାଣିଶୁଣି ହଇରାଣ କରିବା ସହ ଅପମାନିତ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଭିମସାର୍ର ସେବା କରିବାର ସୁଯୋଗ ଦେଇଥିବାରୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଅପରପକ୍ଷେ, ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇବାକୁ ମଧ୍ୟ ସେ ପରୋକ୍ଷ ଇଙ୍ଗିତ ଦେଇଛନ୍ତି । ରାଜ୍ୟପାଳଙ୍କୁ ପ୍ରେରଣ କରିଥିବା ୨ ପୃଷ୍ଠାର ଇସ୍ତଫା ପତ୍ରରେ ସେ ଅନେକ କଥା ଉଲ୍ଲେଖ କରିଛନ୍ତି । ଏଥିରେ ସେ ଯୋଗଦାନ କରିବା ପୂର୍ବର ଏବଂ ପରର ସ୍ଥିତି ନେଇ ବର୍ଣ୍ଣନା କରିଛନ୍ତି । ତାଙ୍କର ଯୋଗଦାନ ପରେ ପୂର୍ବାପେକ୍ଷା ରୋଗୀ ସଂଖ୍ୟା ଅନେକ ଗୁଣରେ ବଢ଼ିଥିବା ବେଳେ ଡ୍ୟୁଟି ସମୟରେ ଡାକ୍ତରମାନଙ୍କ ଘରୋଇ ସେବା ପ୍ରାୟତଃ ବନ୍ଦ ହୋଇଯାଇଥିଲା । ଭିମସାର୍ର ଉନ୍ନତି ପାଇଁ ସେ ଅନେକ ପଦକ୍ଷେପ ନେଇଥିବା ବେଳେ ଡାକ୍ତର ଏବଂ ଡାକ୍ତରୀ ଛାତ୍ରମାନେ ସେମାନଙ୍କ ଅସାଧୁ ବେଉସା ବୁଡ଼ିବାରୁ ଷଡ଼ଯନ୍ତ୍ର କରି ବିରୋଧ କରିଥିଲେ । ତାଙ୍କ ବିରୋଧରେ ତଦନ୍ତ ପାଇଁ ଆସିଥିବା ଅଧିକାରୀମାନେ ନିମ୍ନ ପାହ୍ୟାର ହୋଇଥିଲେ ସୁଦ୍ଧା ସେ ନମ୍ରତାର ସହ ଏହାର ସାମ୍ନା କରିଥିଲେ । ଏପରିକି ନିର୍ଦ୍ଧାରିତ ସମୟରେ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ର ଉତ୍ତର ଦେଇଥିଲେ ହେଁ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନଥିଲା । ଏଣୁ ତାଙ୍କୁ ଜାଣିଶୁଣି ଅପମାନିତ କରାଯାଇଥିବା ଅନୁଭବ ହୋଇଥିଲା । ଫଳରେ ଉପାୟଶୂନ୍ୟ ହୋଇ ମୁଁ ମୋ ପଦବିରୁ ଇସ୍ତଫା ଦେଇଛି ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ଇସ୍ତଫା ଦେବା ମାତ୍ରେ ସେ ଆଜି ହିଁ ତାଙ୍କ ସରକାରୀ ବାସଭବନ ଖାଲି କରି ଦେଇଛନ୍ତି । ଆଜି ସେ ବୁର୍ଲା ଛାଡିବା ବେଳେ ତାଙ୍କ ବାସଭବନରେ ବହୁ ସଂଖ୍ୟାରେ ତାଙ୍କ ସମର୍ଥକ ଉପସ୍ଥିତ ଥିଲେ ।
ସେପଟେ ରାଜନୀତିକୁ ପ୍ରବେଶ ନେଇ ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ, ବିଭିନ୍ନ ରାଜନୈତିକ ଦଳ ତାଙ୍କ ଯୋଗାଯୋଗରେ ଅଛନ୍ତି । ସେ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନେଇନଥିବା ପ୍ରକାଶ କରିଥିଲେ ହେଁ ରାଜନୀତିକୁ ଆସିବା ନେଇ ବାଟ ଉନ୍ମୁକ୍ତ ରହିଛି ବୋଲି ପରୋକ୍ଷ ଇଙ୍ଗିତ ଦେଇଛନ୍ତି ।