ତିଗିରିଆ, ୮/୬ : ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଓ କଁଠିପୁର ଗ୍ରାମରେ ଉପଦ୍ରବ ଏବଂ ଲୋକଙ୍କୁ ଆକ୍ରମଣ କରୁଥିବା ମାଙ୍କଡ଼ ଶେଷରେ ବନବିଭାଗ ହାତରେ ଧରାପଡିଛି । ରବିବାର ଅପରାହ୍ନରେ ଉକ୍ତ ମାଙ୍କଡ଼ଟି କଣ୍ଠୀପୁର ପ୍ରାଥମିକ ବିଦ୍ୟାଳୟ ଛାତରେ ବସିଥିବାବେଳେ କପିଳାସରୁ ଆସିଥିବା ରେସ୍ପୋନ୍ସ ଟିମ୍ ସଫଳତାର ସହ ଟ୍ରାଙ୍କୁଲାଇଜ୍ କରି ମାଙ୍କଡ଼ ଟିକୁ କାବୁ କରିଥିଲେ l 

ତେବେ ମାଙ୍କଡ଼ ଉପଦ୍ରବ ନେଇ ବାରମ୍ବାର ଖବର ପ୍ରସାରଣ ପରେ ଆଜି ତିଗିରିଆ ବନବିଭାଗ, ଆଠଗଡ ବନ ବିଭାଗ ଓ କପିଳାସ ରୁ ଆସିଥିବା ବନ ବିଭାଗ କର୍ମଚାରୀ ମିଳିତ ଭାବେ ଟ୍ରାଙ୍କୁଲାଇଜ୍ କରି ମାଙ୍କଡ଼ଟିକୁ ଧରିଥିଲେ । ଏହା ଏକ ହନୁ ମାଙ୍କଡ ହୋଇଥିବାବେଳେ ଆସନ୍ତା ଦୁଇ ଦିନ ଏହାକୁ ଆଠଗଡ଼ ବନ ବିଭାଗ କାର୍ଯ୍ୟାଳୟରେ ରଖାଯିବା ସହ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ତାର ପ୍ରାକୃତିକ ଆଶ୍ରୟସ୍ଥଳରେ ଛାଡି ଦିଆଯିବ ବୋଲି ବନପାଳ ପ୍ରଶାନ୍ତ ପରିଡା ସୂଚନା ଦେଇଛନ୍ତି ।