ଘରେ ଘରେ ଥଣ୍ଡା, କାଶ ଆଉ ଜ୍ୱର

କଟକ, ୨୫।୧: ଭୂତାଣୁ ଜନିତ ଜ୍ୱର ଏବଂ ଥଣ୍ଡା ସଂକ୍ରମଣ ଏଇ ମାସେ ହେଲା ବଢ଼ି ଯାଇଛି । ପିଲାଛୁଆଠୁ ବଡ଼ ଯାଏ ଏବେ ଅଧିକାଂଶ ଥଣ୍ଡା ଏବଂ କାଶରେ ନୟାନ୍ତ ହେଉଛନ୍ତି । ପ୍ରତି ପରିବାରରେ କେହି ନା କେହିଁ ଏବେ କାଶ ଏବଂ ତଣ୍ଟି ଦରଜ ଜନିତ ସମସ୍ୟାରେ ଘାଣ୍ଟି ହେଉଛନ୍ତି । ସନ୍ଧ୍ୟା ହେଲେ ଥଣ୍ଡାରେ ଆକ୍ରାନ୍ତ ରୋଗୀଙ୍କ ଛିଙ୍କ, କାଶ, ଜ୍ୱର ବଢ଼ୁଛି । ବିଶେଷ କରି ଲହରା କାଶରେ ଲୋକେ ଧଇଁସଇଁ ହୋଇଯାଉଛନ୍ତି । ଏହାଦ୍ୱାରା ଶରୀରରେ ଅନ୍ୟ ପ୍ରତିକ୍ରିୟା ସୃଷ୍ଟି ହେଉଛି । ତଣ୍ଟି ଦରଜ ଏମିତି ରହୁଛି ସହଜରେ ଛେପ ଢୋକି ହେଉନି । ଏପରିସ୍ଥିତିରେ ଡାକ୍ତରଙ୍କଠୁ ପରାମର୍ଶ ମିଳୁଛି ଭୂତାଣୁ ସଂକ୍ରମଣ ବଢିବା ଯୋଗୁଁ ଛିଙ୍କ, କାଶ, ଜ୍ୱର ଓ ଶ୍ୱାସ ନଳି ଦରଜ ବଢ଼ିଛି, ମାତ୍ର ଭୟ କରିବାର କିଛି ନାହିଁଁ ।
ଭୂତାଣୁ ସଂକ୍ରମଣ ଜନିତ ଜ୍ୱର ଏବଂ ଥଣ୍ଡା ଏବେ ଅଧିକ ବ୍ୟାପିଛି ବୋଲି ପଲମ୍ୟୁନାରୀ ମେଡିସିନ୍ ବିଭାଗର ବରିଷ୍ଠ ବିଶେଷଜ୍ଞ ପ୍ରଫେସର ଡାକ୍ତର ଥିଟା ମହାନ୍ତି କହିଛନ୍ତି । ପୂର୍ବରୁ ଲୋକଙ୍କୁ ସାଧାରଣ ଥଣ୍ଡା ହୋଇ ଛିଙ୍କ, କାଶ ଏବଂ ଜ୍ୱର ଆଦି ହେଉଥିଲେ ଷ୍ଟିମ୍ୟୁଲେସନ୍, ଲୁଣ ପାଣି କୁଳି କରିବା ସହ ଥଣ୍ଡା ଔଷଧ ସେବନ ପରେ ଉପଶମ ମିଳୁଥିଲା । ମାତ୍ର ଏବେ ଯେଉଁ ଭୂତାଣୁ ଜନିତ ସଂକ୍ରମଣ ବ୍ୟାପିଛି ତାହା ଆକ୍ରାନ୍ତଙ୍କୁ ପାଖାପାଖି ୩ ସପ୍ତାହ ଧରି ଅସ୍ତବ୍ୟସ୍ତ କରୁଛି । କୋଭିଡ୍ ପରେ ହାଇପର ସେନସିଟିଭ୍ ଏୟାର ୱେଜ୍ରେ ଏହି ସଂକ୍ରମଣ ହେଉଛି । ଶ୍ୱାସନଳୀ ସଂକ୍ରମିତ ହେବା ପରେ କାଶ ଏବଂ ତଣ୍ଟି ଦରଜ ବଢ଼ିଯାଇଛି । ଶ୍ୱାସନଳୀରେ କଷ୍ଟ ହେଉଥିଲେ ହେଁ କରୋନା ସମୟରେ ଫୁସ୍ଫୁସ୍ରେ ଯେପରି ସମସ୍ୟା ହେଉଥିଲା ଏବେ ତାହା ନାହିଁ । କୋଭିଡ୍ର ମ୍ୟୁଟାଣ୍ଟ୍ ଚେଞ୍ଜ୍, ହର୍ଡ ଇମ୍ୟୁନିଟି ଏବଂ ସାମୂହିକ ଟୀକାକରଣ ଯୋଗୁଁ ଫୁସ୍ଫୁସ୍ ଏବଂ ଶ୍ୱାସ ସମସ୍ୟା ଅଧିକ ଜଟିଳ ହେଉନି ବୋଲି ପ୍ରଫେସର ମହାନ୍ତି କହିଛନ୍ତି ।
ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀପ୍ରସାଦ ମହାନ୍ତି କହନ୍ତି, ୨/୩ ଦିନରେ ଥଣ୍ଡା ନ କମିଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଅଧିକ ଦିନ ଧରି ଲାଗି ରହିଥିବା ଥଣ୍ଡା, କାଶ ଏବଂ ଜ୍ୱରକୁ ସାଧାରଣ ଭାବିବା ଉଚିତ୍ ନୁହେଁ । ଏହା ସଂକ୍ରମଣ ଜନିତ ରୋଗ । ଏଥିଲାଗି ମନଇଚ୍ଛା ଔଷଧ ସେବନ ନକରି ଡାକ୍ତରଙ୍କ ପାଖରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଇବା ଜରୁରି ବୋଲି ପ୍ରଫେସର ମହାନ୍ତି କହିଛନ୍ତି । ସେହିପରି ଶିଶୁମାନେ ମଧ୍ୟ ଥଣ୍ଡା, କାଶରୁ ବର୍ତ୍ତୁ ନାହାନ୍ତି । ଏସ୍ସିବି ଡାକ୍ତରଖାନା ସମେତ ସହରର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଥଣ୍ଡା, କାଶ ଜନିତ ରୋଗୀଙ୍କ ଆସିବା ବଢ଼ିଛି । ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଲିନା ଦାସ କହନ୍ତି, ଶୀତ ଦିନେ ସାଧାରଣତଃ ଥଣ୍ଡା ରୋଗ ଜନିତ ସମସ୍ୟା ପିଲାମାନଙ୍କ କ୍ଷେତ୍ରରେ ଅଧିକ ଦେଖାଦେଇଥାଏ । ତେଣୁ ଅନ୍ୟ ଥଣ୍ଡା ରୋଗୀଙ୍କଠାରୁ ପିଲାମାନଙ୍କୁ ଦୂରେଇ ରଖିବା ଉଚିତ୍ ।