ଆଇସିସି ଟେଷ୍ଟ ମାନ୍ୟତା: ଶୀର୍ଷରେ କୋହଲି, ପୂଜାରା ତୃତୀୟ

ଦୁବାଇ, ୨୧ା୧(ଏଜେନ୍ସି): ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତା ତାଲିକାରେ ଭାରତ ଓ ଦଳର ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଟେଷ୍ଟ ଦଳ ମାନ୍ୟତାରେ ଭାରତ ମୋଟ୍ ୧୧୬ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ସେହିପରି ବ୍ୟାଟ୍ସମ୍ୟାନ୍ ମାନ୍ୟତା ତାଲିକାରେ କୋହଲି ୯୨୨ ରେଟିଂ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି ।
ଅଷ୍ଟ୍ରେଲିଆରେ ପ୍ରଥମ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍ ଜିତିବା ପରେ ଭାରତୀୟ ଖେଳାଳିଙ୍କ ମାନ୍ୟତାରେ ଉନ୍ନତି ହୋଇଥିଲା । ୩ଟି ଶତକ ସହ ମ୍ୟାନ୍ ଅଫ ଦ ସିରିଜ୍ ବିବେଚିତ ଚେତେଶ୍ୱର ପୂଜାରା ମାନ୍ୟତା ତାଲିକାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଯୁବ ୱିକେଟ୍ କିପର ରିଶବ ପନ୍ତ ମଧ୍ୟ ୧୭ତମ ସ୍ଥାନରେ ପହଞ୍ଚିଛନ୍ତି ।
ବୋଲିଂ ମାନ୍ୟତା ତାଲିକାରେ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଭାରତୀୟଙ୍କ ମଧ୍ୟରେ ରବିନ୍ଦ୍ର ଜାଡେଜା ଓ ରବି ଚନ୍ଦ୍ରନ ଅଶ୍ୱିନ ଶ୍ରେଷ୍ଠ ୧୦ ମଧ୍ୟରେ ରହିଛନ୍ତି । ଜାଡେଜା ଷଷ୍ଠ ଓ ଅଶ୍ୱିନ ନବମ ସ୍ଥାନ ବଜାୟ ରଖିଛନ୍ତି । ଚର୍ଚ୍ଚିତ ପେସ୍ ବୋଲର ଜଶପ୍ରୀତ ବୁମରାଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ହୋଇଛି । ସେ ୭୧୧ରେଟିଂ ପଏଣ୍ଟ ସହ ବୋଲିଂ ମାନ୍ୟତା ତାଲିକାର ୧୫ତମ ସ୍ଥାନ ହାସଲ କରିଛନ୍ତି ।