ନୂଆଦିଲ୍ଲୀ : ଆଇପିଏଲ ୨୦୨୬ ପାଇଁ ଅଭ୍ୟାସ ଜାରି ରଖିଛନ୍ତି ବିରାଟ କୋହଲି । ଆରସିବି କ୍ୟାମ୍ପରେ ଯୋଗଦେଇଥିବାବେଳେ ଝାଳବୁହା ପରିଶ୍ରମ ଜାରି ରଖିଛନ୍ତି ବିରାଟ । ଆସନ୍ତା ୨୮ ତାରିଖରେ ଖେଳାଯିବ ଉଦଘାଟନୀ ମ୍ୟାଚ୍ । ଆରସିବି ଉଦଘାଟନୀ ମ୍ୟାଚରେ ମଇଦାନକୁ ଓହ୍ଲାଉଥିବାବେଳେ ବିରାଟଙ୍କ ଉପରେ ଫ୍ୟାନ୍ସଙ୍କ ନଜର ରହିଛି । ଟି-୨୦ ଏବଂ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିବା କୋହଲି କେବଳ ଦିନିକିଆରେ ଖେଳ ଜାରି ରଖିଛନ୍ତି । ଏହାସହ ଆଇପିଏଲରେ ତାଙ୍କର ଝଲକ ପାଉଛନ୍ତି ଫ୍ୟାନ୍ସ । ଏଣୁ ତାଙ୍କ ପାଖରୁ ବଡ଼ ଆଶା ରଖିଛନ୍ତି ।

ବିରାଟ କୋହଲି ଫ୍ୟାନକ୍ଲବ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି । ଯେଉଁଥିରେ ବିରାଟ କୋହଲି ବ୍ୟାଟିଂ କରୁଛନ୍ତି । ଚୌକା ଅପେକ୍ଷା ସେ ଅଧିକ ଛକାରେ ଡିଲ୍ କରୁଥିବା ଦେକିବାକୁ ମିଳୁଛି । ପଡ଼ିଆର ଚାରିପାଖରେ ସେ ବଡ଼ ବଡ଼ ସଟ୍ ଖେଳୁଥିବା ନଜର ଆସିଛନ୍ତି । ଯେଉଁ କାରଣରୁ ସେ ଚଳିତ ସିଜିନରେ ସର୍ବାଧିକ ଛକା ମାରିବାର ରେକର୍ଡ କରିବେ ବୋଲି କୁହାଯାଉଛି । ବିରାଟ ଗୋଟିଏ ସିଜିନରେ ସର୍ବାଧିକ ୩୮ଟି ଛକା ମାରିଛନ୍ତି । ୨୦୧୬ ମସିହାରେ ସେ ଏହି ରେକର୍ଡ କରିଥିବାବେଳେ ଏହା ତାଙ୍କର ସର୍ବୋତମ । ସେପଟେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଗୋଟିଏ ସିଜିନରେ ସର୍ବାଧିକ ଛକା ମାରିବାର ରେକର୍ଡ ଅଭିଶେକ ଶର୍ମାଙ୍କ ନାଁରେ ରହିଛି । ସେ ୨୦୨୪ରେ ୪୨ ଛକା ମାରିଥିଲେ ।

ସେପଟେ ଗୋଟିଏ ଆଇପିଏଲ ସିଜିନରେ ସର୍ବାଧିକ ଛକା ମାରିବାର ରେକର୍ଡ ରହିଛି ୟୁନିଭର୍ସନାଲ ବସ୍ ଭାବେ ଜଣାଶୁଣା କ୍ରିସ୍ ଗେଲଙ୍କ ନାମରେ । ସେ ଗୋଟିଏ ସିଜିନରେ ସର୍ବାଧିକ ୫୯ଟି ଛକା ମାରିଛନ୍ତି । ମାତ୍ର ୧୫ ମ୍ୟାଚରେ ସେ ଏହି ରେକର୍ଡ କରିଛନ୍ତି । ୨୦୧୧ ମସିହାରେ ଏହି ରେକର୍ଡ କରିଛନ୍ତି । ଯେଉଁ ରେକର୍ଡକୁ ବିରାଟ ଭାଙ୍ଗିବେ ବୋଲି ଆଶା କରାଯାଉଛି । ସେ ଚଳିତ ସିଜିନରେ ୬୦ରୁ ଅଧିକ ଛକା ମାରିବେ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି । ଦମଦାର ଫର୍ମରେ ରହିଛନ୍ତି କୋହଲି । ଗତବର୍ଷ ୯ଟି ଦିନିକିଆ ଖେଳିଥିବାବେଳେ ୩ ଶତକ ଏବଂ ୩ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଏହାସହ ପଢ଼ନ୍ତୁ : ରାଜମିସ୍ତ୍ରୀ କାମ ଶିଖିବାକୁ ଆସି ଦୁଇ ଛୁଆର ମାଆକୁ ଧରି ଯୁବକ ଫେରାର