ଏୟାର ଇଣ୍ଡିଆ ସହ ମିଶିବ ଭିସ୍ତାରା ଏୟାର ଲାଇନ୍ସ, ଟାଟା ହେବ ଭାରତର ସର୍ବବୃହତ ବିମାନ ସେବା କମ୍ପାନୀ

ନୂଆଦିଲ୍ଲୀ ୨୯/ ୧୧: ଏୟାର ଇଣ୍ଡିଆ ଏବଂ ଭିସ୍ତାରା ଏୟାର ଲାଇନ୍ସର ହେବ ମିଶ୍ରଣ । ମଙ୍ଗଳବାର ଏ ନେଇ ଘୋଷଣା କରିଛି ଟାଟା ଗ୍ରୁପ୍ । ଉଭୟ ଏୟାର ଲାଇନ୍ସ ଜଣକ ମାଲିକାନାରେ ଥିବା ବେଳେ ଖୁବଶୀଘ୍ର ମିଶ୍ରଣ କରାଯାଇ ଗୋଟିଏ ଏୟାର ଲାଇନ୍ ହେବ । ଅର୍ଥାତ ପୂର୍ବରୁ ଚଳାଚଳ କରୁଥିବା ଭିସ୍ତାରା ବିମାନ ସେବା ଏୟାର ଇଣ୍ଡିଆ ସହିତ ମିଶିବ । ଏହା ହେଲେ ଏୟାର ଇଣ୍ଡିଆ ଭାରତର ସର୍ବବୃହତ ଘରୋଇ ବିମାନ ସେବା କମ୍ପାନୀ ହୋଇଯିବ ।
ଟାଟା ଗ୍ରୁପ ପକ୍ଷରୁ କୁହାଯାଇଛି ଯେ, ‘ଏୟାର ଇଣ୍ଡିଆ ଏବଂ ଭିସ୍ତାରା ଏୟାର ଲାଇନ୍ସ ମିଶ୍ରଣ ହେଲେ ମୋଟ ୨୧୮ଟି ବିମାନ ଉଡାଣ କରିବ । ଯାହାକି ଭାରତର ସର୍ବବୃହତ ବିମାନ ସେବା ଏବଂ ବିଶ୍ବର ଦ୍ବିତୀୟ ବୃହତ ଘରୋଇ ବିମାନ ସେବା କମ୍ପାନୀ ହେବ । ଆବଶ୍ୟକୀୟ ଅନୁମୋଦନ ପରେ ଦୁଇଟି କମ୍ପାନୀକୁ ମିଶ୍ରଣ କରାଯିବ । ଆସନ୍ତା ୨୦୨୪ ମାର୍ଚ୍ଚ ସୁଦ୍ଧା ସମସ୍ତ ଦସ୍ତାବିଜ କାର୍ଯ୍ୟ ଏବଂ ନେଣଦେଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି’।
ଟାଟା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଦୁଇଟି ବିମାନ କମ୍ପାନୀ ମିଶ୍ରଣ ହେବା ପରେ ସିଙ୍ଗାପୁର ଏୟାରଲାଇନ୍ସ (SIA) ଏୟାର ଇଣ୍ଡିଆରେ ମୋଟ ୨୦୫୯ କୋଟି ଟଙ୍କା ନିବେଶ କରିବ । ଅର୍ଥାତ ଏୟାର ଇଣ୍ଡିଆର ମୋଟ ୨୫.୧ ପ୍ରତିଶତ ସେୟାର ସିଙ୍ଗାପୁର ଏୟାରଲାଇନ୍ସ ନିକଟରେ ରହିବ ।
ଟାଟା ସନ୍ସର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ କହିଛନ୍ତି, ‘କମ୍ପାନୀକୁ ବିଶ୍ବସ୍ତରୀୟ କରିବା ପାଇଁ ଭିସ୍ତାରା ଏବଂ ଏୟାର ଇଣ୍ଡିଆର ମିଶ୍ରଣ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ପ୍ରତ୍ୟେକ ଥର ପ୍ରତ୍ୟେକ ଯାତ୍ରୀଙ୍କୁ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦେବା ଏହି ମିଶ୍ରଣର ମୂଳ ଲକ୍ଷ୍ୟ । ନେଟଓ୍ବର୍କ ବଢାଇବା, ଗ୍ରାହକ ଚାହୁଁଥିବା ସୁବିଧାଗୁଡିକୁ ଉପଲବ୍ଧ କରାଇବା, ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ସମୟରେ ସେବା ଯୋଗାଇବା ଏହାର ମୂଳ ଲକ୍ଷ୍ୟ’।
ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୦୨୨ରେ ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ଅଂଶଧନ କିଣିନେଇଥିଲା ଟାଟା ଗ୍ରୁପ୍ । ପୂର୍ବରୁ ଟାଟା ନିକଟରେ ଭିସ୍ତାରା ଏୟାର ଲାଇନ୍ସର ୫୧ ପ୍ରତିଶତ ଅଂଶଧନ ରହିଥିଲା । ଯେତେବେଳେ କି ୪୯ ପ୍ରତିଶତ ରହିଥିଲା ସିଙ୍ଗାପୁର ଏୟାରଲାଇନ୍ସ ପାଖରେ । ତେବେ ବର୍ତ୍ତମାନ ଭିସ୍ତାରା ସମ୍ପୂର୍ଣ୍ଣ ଭାବେ ଟାଟା ଗ୍ରୁପ୍ର ହେବାକୁ ଯାଉଛି ।