ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକରେ ଏହି ଅଭିନେତ୍ରୀ ହେବେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ, ଜାଣନ୍ତୁ କିଏ ହେବେ ଯଶୋଦା ବେନ୍

ମୁମ୍ବାଇ,୧୨/୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦୀ’ ଏବେ ରିଲିଜ୍ ଅପେକ୍ଷାରେ। ଯାହାକୁ ନେଇ ଦର୍ଶକଙ୍କ ମନରେ ବେଶ୍ ଉତ୍ସାହ ଭରି ରହିଛି। ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଉପରେ ନିର୍ମିତ ବାୟୋପିକ୍ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ଏବଂ ଶିବସେନାର ପ୍ରତିଷ୍ଠାତା ବାଲ ଠାକ୍ରେଙ୍କ ଜୀବନୀ ଆଧାରିତ ହିନ୍ଦୀ ସିନେମା ‘ଠାକ୍ରେ’ ମୁକ୍ତିଲାଭ କରିଥିଲା। ଏବେ ରିଲିଜ ହେବାକୁ ଯାଉଛି ‘ପିଏମ୍ ନରେନ୍ଦ୍ର ମୋଦୀ’ । ସମସ୍ତଙ୍କୁ ଜଣା ଯେ, ନରେନ୍ଦ୍ର ମୋଦୀ ଭୂମିକାରେ ଅଭିନୟ କରୁଛନ୍ତି ପ୍ରଖ୍ୟାତ ଅଭିନେତା ବିବେକ ଓବେରଏ। ବିବେକ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ଲୁକରେ ବହୁତ ସ୍ମାର୍ଟ ଲାଗୁଛନ୍ତି। ବିବେକଙ୍କ ବ୍ୟତୀତ ଏହି ଫିଲ୍ମରେ ଆଉ ଜଣେ ମଧ୍ୟ ଅଭିନୟ କରିଛନ୍ତି ଯାହାଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ସେ ଆଉ କେହି ନୁହଁନ୍ତି ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଯଶୋଦା ବେନ୍ । ଏହି ଭୂମିକାରେ କେଉଁ ଅଭିନେତ୍ରୀ ଅଭିନୟ କରୁଛନ୍ତି, ତାହା ହୁଏତ ଆପଣଙ୍କୁ ଜଣା ନ ଥିବ। ଏହି ଚରିତ୍ରରେ ଜଣାଶୁଣା ଅଭିନେତ୍ରୀ ବରଖା ବିଷ୍ଟ୍ ଯଶୋଦା ବେନଙ୍କ ଚରିତ୍ର ନିଭାଉଛନ୍ତି। ଏ ସଂପର୍କରେ ବରଖା କହିଛନ୍ତି ଏହି ଫିଲ୍ମ ପାଇଁ ସେ ଅହମ୍ମଦାବାଦ୍ରେ ସୁଟିଂ କରିବେ। ଏହି ଭୂମିକା ନିଭାଇବା ପୂର୍ବରୁ ତାଙ୍କୁ ଗୁଜୁରାଟୀ ଭାଷା ଶିଖିବାକୁ ପଡ଼ିଛି ବୋଲି ବରଖା କହିଛନ୍ତି। ଏହି ଫିଲ୍ମରେ କାମ କରିବାର ସୁଯୋଗ ପାଇଥିବାରୁ ଯେତିକି ଗର୍ବିତ ଅନୁଭବ କରିଛନ୍ତି ତାଠାରୁ ଅଧିକ ଚ୍ୟାଲେଜିଂ ହୋଇଯାଇଛି ଏହି ଚରିତ୍ରଟି। କାରଣ ଯଶୋଦା ବେନଙ୍କ ସମ୍ପର୍କରେ ବହୁତ କମ୍ ଲୋକ ଜାଣିଛନ୍ତି ବୋଲି ବରଖା କହିଛନ୍ତି।

ମୋଦୀଙ୍କ ଭୂମିକାରେ ଥିବା ଅଭିନେତା ବିବେକ କହିଛନ୍ତି, ଏଭଳି ଅଭିନୟ କରିବାକୁ ବହୁତ କଷ୍ଟ କରିବାକୁ ପଡ଼ିଛି। ଫିଲ୍ମ ସୁଟିଂ ଗୁଜୁରାଟ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ହୋଇଛି। ସବୁଠୁ କଥା ହେଲା କି, ଫିଲ୍ମ ପୋଷ୍ଟରକୁ ୨୩ଟି ଭାଷାରେ ରିଲିଜ୍ କରାଯାଇଛି। ଫିଲ୍ମର ପୁରା ଟିମ୍ ୨ବର୍ଷ ହେଲାଣି କାମ କରିଛନ୍ତି ବୋଲି ବିବେକ କହିଛନ୍ତି। ଫିଲ୍ମର ନିର୍ଦେଶନା ଓମଙ୍ଗ କୁମାର ଦେଇଥିବାବେଳେ ସନ୍ଦୀପ ସିଂହ ଫିଲ୍ମର ପ୍ରଯୋଜନା କରିଛନ୍ତି।
