ନୂଆଦିଲ୍ଲୀ, ୨୪/୦୪ : ଯୁଦ୍ଧ ଯୋଗୁଁ ଋଷ ଉପରେ ବଢୁଛି ଆର୍ଥିକ ଚାପ। ମାନ୍ଦାବସ୍ଥାରୁ ଉଠିବାକୁ ସୁନା ବିକୁଛନ୍ତି ଭ୍ଲାଦିମିର ପୁଟିନ। ୨୦୨୬ରେ ବିକ୍ରି କରିଛନ୍ତି ୨୨ ଟନ୍ ସୁନା। ପୁଟିନଙ୍କ ଏଭଳି ପଦକ୍ଷେପ ପରେ ବିଶ୍ଵ ବଜାରରେ ହଲଚଲ୍। ଋଷ-ୟୁକ୍ରେନ୍ ଯୁଦ୍ଧକୁ ୫ ବର୍ଷ ଚାଲିଛି। ଦୀର୍ଘଦିନର ଯୁଦ୍ଧ ସ୍ଥିତି ଯୋଗୁଁ ପ୍ରତିରକ୍ଷା ଖର୍ଚ୍ଚ, ମୁଦ୍ରା ଉପରେ ଚାପ ଋଷର ଅର୍ଥବ୍ୟବସ୍ଥାକୁ ଦୋହଲାଇ ଦେଇଥିବା କୁହାଯାଉଛି।
ଋଷର ସେଣ୍ଟ୍ରାଲ ବ୍ୟାଙ୍କ ୨୦୨୬ରେ ଏବେ ସୁଦ୍ଧା ୨୧.୮ ଟନ୍ ସୁନା ବିକ୍ରି କରିଛି। ଯାହାକି ୨୨୦୦୦ କିଲୋଗ୍ରାମ ବରାବର ହେବ। ସେଣ୍ଟ୍ରାଲ ବ୍ୟାଙ୍କ ଅନୁଯାୟୀ, ୨୦୨୬ ଏପ୍ରିଲ ୧ ସୁଦ୍ଧା ସୁନା ଭଣ୍ଡାର ୨,୩୦୪.୭୬ ଟନରେ ପହଞ୍ଚିଛି। କେବଳ ମାର୍ଚ୍ଚରେ ଏଥିରେ ୬.୨୨ ଟନ୍ ହ୍ରାସ ରେକର୍ଡ କରାଯାଇଛି। ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ଯୋଗୁଁ ଅର୍ଥବ୍ୟବସ୍ଥା ଉପରେ ଗଭୀର ଚାପ ପଡିଛି। ସରକାରୀ ଖର୍ଚ୍ଚ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ରୁବଲ୍ ଉପରେ ଚାପ ଏବଂ ମୁଦ୍ରାସ୍ଫୀତି ପରିସ୍ଥିତିକୁ ଆହୁରି କଷ୍ଟକର କରିଦେଇଛି।
ବିଶେଷଜ୍ଞଙ୍କ ଅନୁଯାୟୀ, କେବଳ ଋଷ ନୁହେଁ ବର୍ଦ୍ଧିତ ଖର୍ଚ୍ଚ ପୂରଣ କରିବା ପାଇଁ ଅନେକ କେନ୍ଦ୍ରୀୟ ବ୍ୟାଙ୍କ ସୁନା ବିକ୍ରି କରୁଛନ୍ତି। ବିଶେଷକରି ପ୍ରତିରକ୍ଷା ଏବଂ ଶକ୍ତି ଚାହିଦା ପୂରଣ ପାଇଁ ଏଭଳି କରୁଛନ୍ତି। ତେବେ ଋଷ ପୂର୍ବରୁ ଏହାର ସୁନା ଭଣ୍ଡାରକୁ ସୁଦୃଢ଼ କରିଥିଲା। ୨୦୦୨ ରୁ ୨୦୨୫ ମଧ୍ୟରେ, ଏହା ୧୯୦୦ ଟନ୍ ରୁ ଅଧିକ ସୁନା କିଣିଥିଲା। କିନ୍ତୁ ୨୦୨୦ ପରେ କ୍ରୟର ଗତି ବହୁତ ହ୍ରାସ ପାଇଥିଲା। ଏହି ସମୟରେ, ଚୀନ୍ ସହିତ ଋଷର ସୁନା ବାଣିଜ୍ୟ ମଧ୍ୟ ବୃଦ୍ଧି ପାଇଛି। ୨୦୨୫ର ପ୍ରଥମାର୍ଦ୍ଧରେ ଚୀନ୍ କୁ ମୂଲ୍ୟବାନ ଧାତୁର ରପ୍ତାନି ପ୍ରାୟ ଦ୍ୱିଗୁଣିତ ହୋଇଛି। ଏହା ବ୍ୟତୀତ ଲୋକମାନେ ସେମାନଙ୍କର ସଞ୍ଚୟକୁ ସୁରକ୍ଷିତ ରଖିବା ପାଇଁ ସୁନାରେ ନିବେଶ ବୃଦ୍ଧି କରିଛନ୍ତି। ୨୦୨୪ରେ, ଋଷୀୟମାନେ ରେକର୍ଡ ସଂଖ୍ୟକ ୭୫.୬ ଟନ୍ ସୁନା କିଣିଥିଲେ।
ଏହି ଖବରଟିକୁ ପଢନ୍ତୁ- ହୋର୍ମୁଜ୍ ପରେ ଏବେ ମଲାକାରେ ପଡ଼ିବ ଟୋଲ୍, ଭାରତରେ ମହଙ୍ଗା ହୋଇପାରେ ଗ୍ୟାସ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ !