ଏକବିଂଶ ଶତାବ୍ଦୀର ମହା-ଚ୍ୟାଲେଞ୍ଜ ରୂପେ ପରିଗଣିତ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ସମସ୍ୟାର ସମାଧାନ ପନ୍ଥା ନିରୂପଣରେ ସମ୍ପ୍ରତି ବୈଜ୍ଞାନିକ ଗୋଷ୍ଠୀ ପ୍ରତିବଦ୍ଧତାର ସହ ସମର୍ପିତ ଅଛନ୍ତି ଓ ଏହି କ୍ରମରେ, ଜାତିସଂଘ ଆନୁକୂଲ୍ୟରେ ୧୯୮୮ ମସିହାରେ ବିଶ୍ୱ ପାଣିପାଗ ସଂଗଠନ ଏବଂ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ଦ୍ୱାରା ଜଳବାୟୁ ପରିବର୍ତ୍ତନ ଉପରେ ଆନ୍ତଃ-ସରକାରୀ ପ୍ୟାନେଲ୍ (ଆଇପିସିସି) ସଂସ୍ଥା ପ୍ରତିଷ୍ଠିତ ହୋଇଥିଲା । ସ୍ୱିଜରଲ୍ୟାଣ୍ଡର ଜେନେଭାରେ ମୁଖ୍ୟାଳୟ ଥିବା ଏହି ସଂସ୍ଥାରେ ୧୯୫ଟି ସଦସ୍ୟ ରାଷ୍ଟ୍ର ଏବଂ ହଜାର ହଜାର ସ୍ୱେଚ୍ଛାସେବୀ ବିଶେଷଜ୍ଞ ବୈଜ୍ଞାନିକ କାର୍ଯ୍ୟରତ ଅଛନ୍ତି । ଏହାର ସାମ୍ପ୍ରତିକ ଲକ୍ଷ୍ୟ ହେଉଛି, ୨୦୧୫ର ପ୍ୟାରିସ୍ ଚୁକ୍ତିନାମା ସହିତ ଜଡ଼ିତ ଜଳବାୟୁ ନୀତି ସମେତ ଅନ୍ୟାନ୍ୟ ଜଳବାୟୁ ଯୋଜନା ବିକଶିତ କରିବା ନିମନ୍ତେ ସରକାରମାନଙ୍କୁ ସମସ୍ତ ସ୍ତରରେ ବୈଜ୍ଞାନିକ ସୂଚନା ପ୍ରଦାନ କରିବା । ଏହି ସଂସ୍ଥା ନିଜେ କୌଣସି ମୌଳିକ ଗବେଷଣାରେ ଲିପ୍ତ ନଥିଲେ ସୁଦ୍ଧା ଜଳବାୟୁ ଉପରେ ଉପଲବ୍ଧ ଥିବା ପ୍ରକାଶିତ ଗବେଷଣା ନିବନ୍ଧଗୁଡ଼ିକୁ ଏହା ସମୀକ୍ଷା କରେ ତଥା ନୀତି ନିର୍ଦ୍ଧାରକମାନଙ୍କୁ ଜଳବାୟୁ ପ୍ରଭାବ, ବିପଦର ଆଶଙ୍କା ଏବଂ ପ୍ରଶମନ ରଣନୀତି ଉପରେ କଠୋର, ବିଶେଷଜ୍ଞ-ପ୍ରଦତ୍ତ ବୈଜ୍ଞାନିକ ଆକଳନ ପ୍ରଦାନ କରେ । ପୂର୍ବରୁ ଛଅଟି ରିପୋର୍ଟ ପ୍ରସ୍ତୁତ କରିଥିବା ଆଇପିସିସି ଏହାର ସପ୍ତମ ମୂଲ୍ୟାଙ୍କନ ରିପୋର୍ଟ (ଏଆର୍-୭) ଚକ୍ରକୁ ଜୁଲାଇ ୨୦୨୩ରେ ଆରମ୍ଭ କରିଛି, ଯାହା ୨୦୨୯ ଶେଷ ସୁଦ୍ଧା ଜଳବାୟୁ ପରିବର୍ତ୍ତନ ଉପରେ ଏହାର ବ୍ୟାପକ ବୈଜ୍ଞାନିକ ମୂଲ୍ୟାଙ୍କନ (ସଂଶ୍ଳେଷଣ ରିପୋର୍ଟ) ପ୍ରଦାନ କରିବା ନିର୍ଦ୍ଧାରିତ ହୋଇଛି । ଏହି ରିପୋର୍ଟ ବର୍ତ୍ତମାନର ଜଳବାୟୁ ଅସଙ୍ଗତି ଉପରେ ଜ୍ଞାନକୁ ପରିବର୍ଦ୍ଧିତ କରିବା ଏବଂ ଉନ୍ନତ, ଉଚ୍ଚ-ରିଜୋଲ୍ୟୁସନ୍ ମଡେଲ୍କୁ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟରେ କାର୍ଯ୍ୟରତ ଅଛି, ଯାହା ସମାଧାନ ଏବଂ ଅନୁକୂଳନ ହାସଲରେ ସହାୟକ ହେବ ।
ତେବେ, ଆଇପିସିସିର ତିନିଟି କାର୍ଯ୍ୟକାରୀ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଷଷ୍ଠ ମୂଲ୍ୟାଙ୍କନ ରିପୋର୍ଟ (ଏଆର୍-୬) ୨୦୨୧ରୁ ୨୦୨୩ ମଧ୍ୟରେ ପ୍ରକାଶିତ ହୋଇଥିଲା, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନର ସର୍ବାଧିକ ବ୍ୟାପକ ବୈଜ୍ଞାନିକ ମୂଲ୍ୟାଙ୍କନ ରୂପେ ଗୃହୀତ ହୋଇଛି । ଏହାର କେନ୍ଦ୍ରୀୟ ବାର୍ତ୍ତା ଅତୀବ ସୁସ୍ପଷ୍ଟଜଳବାୟୁ ପରିବର୍ତ୍ତନ ବ୍ୟାପକ, ଦ୍ରୁତ, ତୀବ୍ରତର ଏବଂ ସ୍ପଷ୍ଟ ଭାବରେ ମାନବୀୟ କାର୍ଯ୍ୟକଳାପ ଦ୍ୱାରା ସଂଘଟିତ ହେଉଛି । ରିପୋର୍ଟ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛି ଯେ, ବିଶ୍ୱପୃଷ୍ଠର ତାପମାତ୍ରା ଶିଳ୍ପ ବିପ୍ଳବ ପୂର୍ବ ସ୍ତରଠାରୁ (୧୮୫୦-୧୯୦୦ ସ୍ତର ଉପରେ) ପ୍ରାୟ ୧.୧ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇସାରିଛି, ଯାହା ମୁଖ୍ୟତଃ କୋଇଲା, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ପରି ଜୀବାଶ୍ମ ଇନ୍ଧନ ଜାଳିବା, ଜଙ୍ଗଲ ଅବକ୍ଷୟ ଏବଂ ଶିଳ୍ପ ପ୍ରକ୍ରିୟାରୁ ସବୁଜଗୃହ ବାଷ୍ପ (ଗ୍ରୀନହାଉସ୍ ଗ୍ୟାସ୍) ନିର୍ଗମନର ପରିଣାମରେ ଘଟୁଛି ।
ଏହି ଉଷ୍ଣତା ବୃଦ୍ଧି ଫଳରେ ଅଧିକ ତୀବ୍ର ଏବଂ ଗୁରୁତର ପାଣିପାଗ ବିପର୍ଯ୍ୟୟମାନ ଘଟୁଛି, ଯେପରିକି ପ୍ରଚଣ୍ଡ ଗ୍ରୀଷ୍ମଲହରୀ, ପ୍ରବଳ ବର୍ଷା, ବନ୍ୟାର ପ୍ଳାବନ, ଭୂ-ସ୍ଖଳନ, ଉତ୍କଟ ମରୁଡ଼ି ଏବଂ ଗ୍ରୀଷ୍ମମଣ୍ଡଳୀୟ ଘୂର୍ଣ୍ଣିଝଡ଼ । ରିପୋର୍ଟ ସୂଚିତ କରେ ଯେ, ଏପରି ବିପର୍ଯ୍ୟୟଗୁଡ଼ିକ ମଧ୍ୟରୁ ଅନେକ ହେଉଛି ହଜାର ବର୍ଷ ମଧ୍ୟରେ ଅଭୂତପୂର୍ବ ଘଟଣା । ଏକ ପ୍ରମୁଖ ବୈଜ୍ଞାନିକ ସିଦ୍ଧାନ୍ତ ହେଉଛି ଯେ ଅଙ୍ଗାରକାମ୍ଳ ନିର୍ଗମନରେ ବୃଦ୍ଧି ସହିତ ବିଶ୍ୱ ତାପମାତ୍ରା ବୃଦ୍ଧି ସମାନୁପାତରେ ସଂଘଟିତ ହେଉଛି । ଅର୍ଥାତ୍, ଯେତେ ଅତିରିକ୍ତ ଟନ୍ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ନିର୍ଗତ ହେଉଛି, ଉତ୍ତାପ ହ୍ରାସ କରିବାର ଜରୁରି ଆବଶ୍ୟକତା ସେତେ ଅଧିକ ସୁଦୃଢ଼ ହେଉଛି । ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ଯଦି ସବୁଜଗୃହ ଗ୍ୟାସ୍ ନିର୍ଗମନରେ ତୁରନ୍ତ, ଦ୍ରୁତ ଏବଂ ବୃହତ୍ ପରିମାଣରେ ହ୍ରାସ ନଘଟେ, ତେବେ ଉତ୍ତାପ ବୃଦ୍ଧିକୁ ଶିଳ୍ପବିପ୍ଳବ ପୂର୍ବ ସ୍ତରଠାରୁ ୧.୫ ଡିଗ୍ରୀ କିମ୍ବା ଏପରିକି ୨ ଡିଗ୍ରୀ ମଧ୍ୟରେ ସୀମିତ ରଖିବା ସମ୍ଭବପର ହେବନାହିଁ ।
ଜଳବାୟୁ ପରିବର୍ତ୍ତନ ଇତିମଧ୍ୟରେ ସମଗ୍ର ବିଶ୍ୱରେ ପ୍ରାକୃତିକ ପରିସଂସ୍ଥା ଏବଂ ମାନବ ବ୍ୟବସ୍ଥାକୁ ନକାରାତ୍ମକ ଭାବେ ପ୍ରଭାବିତ କରିଚାଲିଛି । ରିପୋର୍ଟରେ ପର୍ବତସ୍ଥ ହିମବାହ ତଥା ମେରୁ ଅଞ୍ଚଳର ବରଫ ତରଳିବା ଏବଂ ସମୁଦ୍ର ଜଳର ତାପଜ ପ୍ରସାରଣ ଦ୍ୱାରା ସମୁଦ୍ର ସ୍ତର ବୃଦ୍ଧି ପାଉଥିବାର ଉଲ୍ଲେଖ ରହିଛି, ଯାହା ଉପକୂଳବର୍ତ୍ତୀ ସମ୍ପ୍ରଦାୟ ଏବଂ ନିମ୍ନ ଉଚ୍ଚତାରେ ଥିବା ଦ୍ୱୀପପୁଞ୍ଜଙ୍କୁ ବିପଦଗ୍ରସ୍ତ କରୁଛି । ଦ୍ରୁତଗତିରେ ଜୈବବିବିଧତାର ଅବକ୍ଷୟ ଘଟୁଛି, ଅନେକ ଜୀବଜାତି ପରିବର୍ତ୍ତିତ ପରିସ୍ଥିତି ସହ କ୍ଷିପ୍ର ବେଗରେ ଖାପ ଖୁଆଇବାରେ ସମର୍ଥ ହୋଇ ପାରୁନାହାଁନ୍ତି । ଖାଦ୍ୟ ଓ ଜଳ ନିରାପତ୍ତା କ୍ଷେତ୍ରରେ, ବିଶେଷକରି ଅସୁରକ୍ଷିତ ଅଞ୍ଚଳରେ ବିପଦ ବୃଦ୍ଧି ପାଉଛି । ଉଦ୍ବେଗଜନକ ବିଷୟ ହେଉଛି ଯେ, ଜଳବାୟୁ ପରିବର୍ତ୍ତନ ସମସ୍ତ ଜନସଂଖ୍ୟାକୁ ସମାନ ଭାବରେ ପ୍ରଭାବିତ କରେନାହିଁ । ସୀମିତ ଅନୁକୂଳନ କ୍ଷମତା ଥିବାରୁ ଆଫ୍ରିକା, ଏସିଆ, ମଧ୍ୟ/ଦକ୍ଷିଣ ଆମେରିକା ମହାଦେଶର ଅଧିକାଂଶ ବିକାଶଶୀଳ ରାଷ୍ଟ୍ର, କ୍ଷୁଦ୍ର ଦ୍ୱୀପ ରାଜ୍ୟ ଏବଂ ଅଭାବୀ ସମ୍ପ୍ରଦାୟମାନେ ବିଶେଷ ଭାବରେ ପ୍ରଭାବିତ ହୁଅନ୍ତି । ତେଣୁ ଏହା ଜଳବାୟୁ ନ୍ୟାୟ ଏବଂ ସମାନତାର ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ପ୍ରଦାନ କରେ, ଯାହା ବିଶ୍ୱ ଜଳବାୟୁ ନୀତି ଆଲୋଚନା ଓ ଯୋଜନାର କେନ୍ଦ୍ରବିନ୍ଦୁ ଭାବେ ପରିଗଣିତ ହୁଏ ।
ଅନୁକୂଳନ (ଆଡପ୍ଟେସନ୍) ପ୍ରସଙ୍ଗରେ, ଆଇପିସିସି ଉଲ୍ଲେଖ କରିଛି ଯେ ଉନ୍ନତ ଜଳ ପରିଚାଳନା, ଜଳବାୟୁ-ସହନୀୟ କୃଷି ଏବଂ ସହରାଞ୍ଚଳ ଯୋଜନା ଭଳି ଅନେକ ରଣନୀତି ବିଦ୍ୟମାନ ଥିଲେ ସୁଦ୍ଧା, ବିଶେଷକରି ଉଚ୍ଚ ଉତ୍ତାପ ପରିସ୍ଥିତିରେ, ବ୍ୟବସ୍ଥାଗୁଡ଼ିକ କେତେ ଅନୁକୂଳ ହୋଇପାରିବ ତାହାର ନିର୍ଦ୍ଦିଷ୍ଟ ସୀମା ରହିଛି । ଜୀବଜାତି ବିଲୁପ୍ତ ହେବା କିମ୍ବା ଜୈବବିବିଧତାର ଭଣ୍ଡାର ଉପକୂଳସ୍ଥ ପ୍ରବାଳଶ୍ରେଣୀ (ରୀଫ୍) ନଷ୍ଟ ହେବା ଭଳି କିଛି ପ୍ରଭାବ ଅପରିବର୍ତ୍ତନୀୟ ହୋଇପାରେ । ମନ୍ଦ ପରିଣାମକୁ ଏଡ଼ାଇବା ନିମନ୍ତେ ପ୍ରଶମନ ବ୍ୟବସ୍ଥା (ମିଟିଗେସନ୍) ଅପରିହାର୍ଯ୍ୟ ଅଟେ । ରିପୋର୍ଟରେ ସବୁଜଗୃହ ବାଷ୍ପ ନିର୍ଗମନକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିବା ନିମନ୍ତେ ଆବଶ୍ୟକ ପଥଗୁଡ଼ିକ ବର୍ଣ୍ଣନା କରାଯାଇଛି ଓ ଏଥିରେ ନବୀକରଣୀୟ ଶକ୍ତି ଉତ୍ସକୁ ପରିବର୍ତ୍ତନ, ଶକ୍ତି ଦକ୍ଷତାରେ ଉନ୍ନତି, ପରିବହନରେ ବିଦ୍ୟୁତୀକରଣ (ଇଭି ଗାଡ଼ି) ଏବଂ ଜଙ୍ଗଲର ସୁରକ୍ଷା ଓ ପୁନରୁଦ୍ଧାର ଅନ୍ତର୍ଭୁକ୍ତ । ଆଚରଣଗତ ପରିବର୍ତ୍ତନ ଏବଂ ସହନୀୟ ବ୍ୟବହାର ଢାଞ୍ଚାର ଭୂମିକାକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି ।
ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ବିଶ୍ୱସ୍ତରରେ ତାପମାତ୍ରା ସ୍ଥିର ରଖିବା ତଥା ଉତ୍ତାପ ବୃଦ୍ଧିକୁ ୧.୫ ଡିଗ୍ରୀ ମଧ୍ୟରେ ସୀମିତ କରିବା ନିମନ୍ତେ, ବିଶ୍ୱବ୍ୟାପୀ ସବୁଜଗୃହ ଗ୍ୟାସ୍ ନିର୍ଗମନକୁ ୨୦୩୦ ସୁଦ୍ଧା (୨୦୧୯ ସ୍ତର ତୁଳନାରେ) ୪୩% ହ୍ରାସ କରିବାକୁ ଏବଂ ୨୦୫୦ ଦଶକର ପ୍ରାରମ୍ଭ ସୁଦ୍ଧା ନେଟ୍ଶୂନ୍ୟ ଅଙ୍ଗାରକାମ୍ଳରେ ପହଞ୍ଚିବାକୁ ପଡ଼ିବ, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପରିତାପର ବିଷୟ ଯେ, ବର୍ତ୍ତମାନର ଜାତୀୟ ସ୍ଥିରୀକୃତ ଅବଦାନ (ଏନ୍ଡିସି) ଏହି ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୋଇଛି । ବିଳମ୍ବିତ ପଦକ୍ଷେପ ବାୟୁମଣ୍ଡଳରୁ ଅଙ୍ଗାରକ ଅପସାରଣ ନିମନ୍ତେ ଉଚ୍ଚତର ଖର୍ଚ୍ଚ, ଅଧିକ ବିପଦର ସମ୍ଭାବନା ଏବଂ ଅପ୍ରମାଣିତ ପ୍ରଯୁକ୍ତିବିଦ୍ୟା ଉପରେ ନିର୍ଭରଶୀଳତାରେ ବୃଦ୍ଧି ଘଟାଇବ ।
ରିପୋର୍ଟର ଅନ୍ତରେ, ଆଇପିସିସି ଗୁରୁତ୍ୱାରୋପ କରିଛି ଯେ ଜଳବାୟୁ ସମାଧାନ ପନ୍ଥାଗୁଡ଼ିକ କ୍ରମଶଃ ଆମକୁ ଉପଲବ୍ଧ ଏବଂ କ୍ରମାଗତ ଭାବରେ ସୁଲଭ ହେଉଥିଲେ ସୁଦ୍ଧା ଏଥିନିମନ୍ତେ ଆବଶ୍ୟକ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି, ଅନ୍ତର୍ଜାତୀୟ ସହଯୋଗ ଏବଂ ସମସ୍ତ କ୍ଷେତ୍ରରେ ପଦ୍ଧତିଗତ ପରିବର୍ତ୍ତନରେ ଅଭାବ ପରିଲକ୍ଷିତ ହେଉଛି । ତେବେ, ଚଳିତ ଦଶନ୍ଧିରେ ଗୃହୀତ ହେଉଥିବା ନିଷ୍ପତ୍ତିଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଜଳବାୟୁ ପରିବର୍ତ୍ତନର ଭବିଷ୍ୟତ ଗତିପଥ ତଥା ମାନବ ସମାଜ ଏବଂ ଆମ ଗ୍ରହ ଉପରେ ଏହାର ପ୍ରଭାବକୁ ନିର୍ଣ୍ଣୟ କରିବ । କିନ୍ତୁ ପ୍ୟାରିସ୍ ଚୁକ୍ତିନାମା ପରିପ୍ରେକ୍ଷୀରେ ତର୍ଜମା କଲେ ଏହା ସୁସ୍ପଷ୍ଟ ହୁଏ ଯେ, ରାଷ୍ଟ୍ରମାନେ ଯେଉଁ ପ୍ରତିବଦ୍ଧତା ପ୍ରକାଶ କରି ଏନ୍ଡିସି ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା ଆଶା କରାଯାଉଥିଲା, ତାହା ଏବେବି ଦୂର ଦିଗ୍ବଳୟରେ ରହିଛି । ପରିଣାମରେ ତାପମାତ୍ରା ବୃଦ୍ଧି ନିୟନ୍ତ୍ରିତ ହେଉନାହିଁ ଏବଂ ୨୦୧୫-୨୦୨୫ ସର୍ବାଧିକ ଉତ୍ତପ୍ତ ୧୧ ବର୍ଷର କୁଖ୍ୟାତି ଅର୍ଜନ କରିଛି । ୨୦୨୫ରେ ହାରାହାରି ବିଶ୍ୱ ତାପମାତ୍ରା ଶିଳ୍ପ-ପୂର୍ବ (୧୮୫୦- ୧୯୦୦) ସ୍ତରଠାରୁ ପ୍ରାୟ ୧.୪୪-୧.୪୭ ଡିଗ୍ରୀ ଅଧିକ ରେକର୍ଡ଼ ହୋଇଛି । ୨୦୨୩ ସୁଦ୍ଧା କାର୍ଯ୍ୟକାରୀ ହୋଇଥିବା ନୀତିଗୁଡ଼ିକ ସୂଚିତ କରୁଛି ଯେ, ୨୧୦୦ ସୁଦ୍ଧା ତାପମାତ୍ରା ପ୍ରାୟ ୩.୨ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏପରି ଉତ୍ତପ୍ତ ପରିବେଶ ସହ ଖାପ ଖୁଆଇବାରେ ଜୀବଜାତିମାନେ ସକ୍ଷମ ହେବେନାହିଁ³ ପରିଣାମରେ ଜୀବଜଗତର ଭବିଷ୍ୟତ ସ୍ଥିତି ଅତ୍ୟନ୍ତ ନିରାଶାଜନକ ସାବ୍ୟସ୍ତ ହେବ ।
ଏପରି ସ୍ଥିତିରେ, ଆଇପିସିସିର ଏଆର୍-୭ ବର୍ତ୍ତମାନର ନିର୍ଗମନ ପ୍ରତିରୋଧ ବ୍ୟବସ୍ଥା ଏବଂ ୧.୫ ଡିଗ୍ରୀ ସୀମାରେ ରହିବା ନିମନ୍ତେ ଆବଶ୍ୟକୀୟ କାର୍ଯ୍ୟପନ୍ଥା ମଧ୍ୟରେ ଥିବା ବ୍ୟବଧାନକୁ ସ୍ପଷ୍ଟ କରି ମାନବ ସମାଜକୁ ଅଧିକ ସତର୍କ କରିବ ବୋଲି ଆଶା କରାଯାଏ । ଭୌତିକ ବିଜ୍ଞାନ, ପ୍ରଭାବ/ଅନୁକୂଳନ ଏବଂ ପ୍ରଶମନ ପରି ତିନିଟି କାର୍ଯ୍ୟକାରୀ ଗୋଷ୍ଠୀର ଅବଦାନକୁ ଅନ୍ତର୍ଭୁକ୍ତ କରି ଏହାର ସଂଶ୍ଳେଷଣ ରିପୋର୍ଟ ୨୦୨୯ ଶେଷ ସୁଦ୍ଧା ପ୍ରକାଶିତ ହେବ, ଯାହା କାର୍ଯ୍ୟକାରୀ ହେବାକୁ ଥିବା ସ୍ଥାନୀୟ ଏବଂ ଜରୁରି ସମାଧାନର କାର୍ଯ୍ୟାନ୍ୱୟନ ନିମନ୍ତେ ସୂତ୍ର ପ୍ରଦାନ କରିବ । ଏହା ବୈଜ୍ଞାନିକ ନିଷ୍କର୍ଷ ଏବଂ ଗୃହୀତ କାର୍ଯ୍ୟକ୍ରମ ମଧ୍ୟରେ ସେତୁ ସ୍ଥାପନ କରି ବ୍ୟବଧାନରେ ହ୍ରାସ ଘଟାଇବ ଏବଂ ଅନୁକୂଳନ ଓ ପ୍ରଶମନ ରଣନୀତିର ଦ୍ରୁତ କାର୍ଯ୍ୟାନ୍ୱୟନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବ । ସହରମାନଙ୍କ ଉପରେ ବିଶେଷ ଧ୍ୟାନ ପ୍ରଦାନ ସହିତ ଶକ୍ତି, ପରିବହନ, କୋଠାବାଡ଼ି ଏବଂ ଭୂମି ବ୍ୟବହାର ଭଳି କ୍ଷେତ୍ର ଅଧିକ ଧ୍ୟାନ ଆକର୍ଷଣ କରିବ । ଏହି ରିପୋର୍ଟ ପ୍ରସ୍ତୁତିରେ ବୈଶ୍ୱିକ ଦକ୍ଷିଣ (ଗ୍ଲୋବାଲ୍ ସାଉଥ୍) ର ବୈଜ୍ଞାନିକମାନଙ୍କର ୫୦%ରୁ ଊଦ୍ଧ୍ୱର୍ ରେକର୍ଡ଼-ଉଚ୍ଚ ପ୍ରତିନିଧିତ୍ୱ ରହିଛି, ଯେଉଁଥିରେ ମହିଳାମାନେ ହେଉଛନ୍ତି ପ୍ରାୟ ୬୪% । ସ୍ଥାନୀୟ ଓ ଜନଜାତି ପ୍ରସଙ୍ଗକୁ ଗୁରୁତ୍ୱ ଦେବାର ଦୃଷ୍ଟିକୋଣ ଏବଂ ‘ଗ୍ରେ ବୈଜ୍ଞାନିକ ନିବନ୍ଧ' (ବିଶେଷଜ୍ଞ-ସମୀକ୍ଷା ହୋଇନଥିବା)କୁ ଏକୀକୃତ କରିବାର ପ୍ରୟାସ ମଧ୍ୟ ହେଉଛି । ସାମାଜିକ ଭାବରେ ସମ୍ଭବପର ସମାଧାନକୁ ସୁନିଶ୍ଚିତ କରିବା ନିମନ୍ତେ ସାମାଜିକ ବୈଜ୍ଞାନିକ, ପେସାଦାର ବ୍ୟକ୍ତି ଏବଂ ଭୌତିକ ବୈଜ୍ଞାନିକ ସମୂହଙ୍କ ମଧ୍ୟରେ ସହଯୋଗ ବୃଦ୍ଧି କରିବା ପରି ଆନ୍ତଃ-ବିଭାଗୀୟ ଉଦ୍ୟମ ଜାରି ରହିଛି । ପୂର୍ବ ରିପୋର୍ଟ ତୁଳନାରେ ଏଆର୍-୭ ଅଧିକ ‘ସମାଧାନ-ଭିତ୍ତିକ ଏବଂ ଅନୁକୂଳନ-ଭିତ୍ତିକ' ହେବ ବୋଲି ଆଶା କରାଯାଏ । ପରିଶେଷରେ, ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ପ୍ରତ୍ୟାଶା ହେଉଛି ପୂର୍ଣ୍ଣ ରାଜନୈତିକ ପ୍ରତିବଦ୍ଧତାର ସହ ଏହି ଅନୁସନ୍ଧାନର ସିଦ୍ଧାନ୍ତକୁ କାର୍ଯ୍ୟକାରୀ କରି ଗ୍ରହର ଜୀବଜଗତକୁ ସୁରକ୍ଷିତ ରଖିବା ଦିଗରେ ବିଶ୍ୱ ଅଗ୍ରସର ହେବା ।