ଅତି ଘନ କୁହୁଡ଼ି: ୯ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର,୨୧ା୧(ବ୍ୟୁରୋ): କୁହୁଡ଼ି ପାଇଁ ୯ ଜିଲ୍ଲା ଲାଗି ସତର୍କ ସୂଚନା । ଆସନ୍ତା ଦୁଇଦିନ କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ କୁହୁଡ଼ିଜନିତ ବିପଦ ସମ୍ଭାବନା ଅଧିକ । ପାଣିପାଗ ପୂର୍ବାନୁମାନ କହୁଛି, ଏହି ଜିଲ୍ଲାଗୁଡ଼ିକୁ ଘନରୁ ଅତି ଘନ କୁହୁଡ଼ି ଢାଙ୍କିଦେବ । ତେଣୁ ସତର୍କତା ଅବଲମ୍ବନ କରିବାକୁ ଜରୁରୀ । କୁହୁଡ଼ି ପାଇଁ ଗତ ୩/୪ ଦିନ ହେଲାଣି ନାକେଦମ୍ ହେଉଛି ଉପକୂଳ ଓଡ଼ିଶା । ବିଳମ୍ବିତ ରାତିରୁ ସକାଳ ୯ଟା ପର୍ଯ୍ୟନ୍ତ ଗାଡ଼ିମୋଟର ଚଳାଚଳ ବିପଦଜନକ ହୋଇପଡ଼ିଛି । କେତେକ ସ୍ଥାନରେ କୁହୁଡ଼ି ପାଇଁ ଦୁର୍ଘଟଣା ଘଟି ଜୀବନ ଗଲାଣି । ପାଣିପାଗ ପୂର୍ବାନୁମାନ କହୁଛି, ଆହୁରି ଦୁଇଦିନ କୁହୁଡ଼ି କଲବଲ କରିବ । ଉପକୂଳ ଓଡ଼ିଶାର ୯ ଜିଲ୍ଲାକୁ କୁହୁଡ଼ି ପାଇଁ ସତର୍କ କରାଯାଇଛି ।
ସୋମବାର ବିଳମ୍ବିତ ରାତିରୁ କୁହୁଡ଼ି ଘେରିବା ଆରମ୍ଭ କଲାଣି । ଆଞ୍ଚଳିକ ପାଣିପାଗ ବିଭାଗର ସୂଚନାନୁଯାୟୀ ମଙ୍ଗଳବାର ଆଖି ଖୋଲିଲାବେଳକୁ ଚାରିଆଡ଼କୁ ମାଡ଼ି ଯାଇଥିବ କୁହୁଡ଼ି । ଯୁଆଡ଼େ ଚାହିଁଲେ ଧୂଆଁ ଧୂଆଁ ଦିଶିବ । ବାଟ ଘାଟ କିଛି ଦିଶିବନି । ଘନରୁ ଅତି ଘନ କୁହୁଡ଼ି ଘେରିଯାଇଥିବ । କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରର ଅଧିକାଂଶ ଅଞ୍ଚଳକୁ ଘନରୁ ଅତି ଘନ କୁହୁଡ଼ି ଆଚ୍ଛାଦିତ କରିପାରେ । ସମାନ ଅବସ୍ଥା ଦେଖିବାକୁ ମିଳିବ ମଙ୍ଗଳବାର ରାତି ଓ ବୁଧବାର ସକାଳେ । ଏହି ୯ଟି ଯାକ ଜିଲ୍ଲାକୁ ଭୟାନକ କୁହୁଡ଼ି ଢାଙ୍କିଦେବ । ଗତକାଲି ଭଳି ଆଜି ବି ସକାଳବେଳା ଘନ କୁହୁଡ଼ି ଯୋଗୁ ଜନଜୀବନ ପ୍ରଭାବିତ ହୋଇଥିଲା । ଅନେକ ସ୍ଥାନରେ ଜାତୀୟ ରାଜପଥରେ ଗାଡ଼ି ଅଟକି ରହିଥିଲା । କେତେକ ଜାଗାରେ ଦୁର୍ଘଟଣା ଘଟିଥିଲା । ସକାଳ ୯ଟା ପର୍ଯ୍ୟନ୍ତ ଗାଡ଼ିମୋଟର ଲାଇଟ୍ ଜଳାଇ ଚଳାଚଳ କରିଥିଲେ । ବିମାନ ସେବାକୁ ପ୍ରଭାବିତ କରିଥିଲା କୁହୁଡ଼ି । ସକାଳବେଳା ଉଡ଼ାଣ ଓ ଅବତରଣ କରିବାକୁ ଥିବା ପ୍ରାୟ ସମସ୍ତ ବିମାନ ବିଳମ୍ବିତ ହୋଇଥିଲା । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୩ ଡିଗ୍ରୀ ସେଲସିୟସ୍ ଥିବାବେଳେ ଅନୁଗୁଳ ୮.୬, ସୋନପୁର ୯, ଦାରିଙ୍ଗିବାଡ଼ି ୯, ଭବାନୀପାଟଣା ୯.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ସାମାନ୍ୟ ବଢ଼ିଛି ।