PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

କାଳ ପାଲଟିଛି ଜଳ ଓ ପରିମଳ ବ୍ୟବସ୍ଥା; ସମସ୍ୟା ଘେରରେ ୧୧ ନଂ ୱାର୍ଡ

ଭୁବନେଶ୍ୱର,୨୦/୭(ବ୍ୟୁରୋ): ସ୍ମାର୍ଟ ସିଟି ଭୁବନେଶ୍ୱର । କିନ୍ତୁ ସମସ୍ୟାର ତାଲିକା ବହୁତ ଲମ୍ବା । ସ୍ମାର୍ଟ ସିଟିକୁ ନେଇ ଯେତିକି ପ୍ରଚାର ହେଉଛି ବାସ୍ତବ ସ୍ଥିତ ତା’ଠୁ ପୂରା ଓଲଟା । ମୁଖ୍ୟରାସ୍ତାକୁ ଛାଡ଼ିଦେଲେ ୱାର୍ଡ ଭିତର ଅବସ୍ଥା କ’ଣ ତାହା ନଦେଖିଲେ ବିଶ୍ୱାସ କରିହେବନି । ପୌରନିର୍ବାଚନ ଜିତିବା ପୂର୍ବରୁ କର୍ପୋରେଟର ମାନେ ଭୋଟରଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ । ୫ବର୍ଷ ପରେ ବିକାଶ କେଉଁଠି ପହଞ୍ଚିଛି ତାହାର ବାସ୍ତବ ଚିତ୍ର ଖୋଜିବା ପାଇଁ ପ୍ରମେୟ ୱାର୍ଡୱାରୀ ସମୀକ୍ଷା ଆରମ୍ଭ କରିଛି । ଏହି କ୍ରମରେ ଟିମ୍‌ ଆଜି ପହଞ୍ଚିଥିଲା ୱାର୍ଡ ନମ୍ବର ୧୧ରେ ।

୧୭ ହଜାରରୁ ଅଧିକ ଲୋକଙ୍କୁ ନେଇ ଗଠିତ ୱାର୍ଡ ନମ୍ବର ୧୧ । ଭୁବନେଶ୍ୱରର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି ୱାର୍ଡରେ ରହିଛି ୫ଟି ବସ୍ତି । ତ୍ରିନାଥ ବସ୍ତି, ମହାବୀର ବସ୍ତି, ଗୋଜବାୟାଣୀ ବସ୍ତି(ଧୀରିକୁଟି ଅଂଶ), ପଥରବନ୍ଧ ବସ୍ତି (ଅଂଶ) ଓ ତାରିଣୀ ବସ୍ତି(ଅଂଶ) । ଉତ୍କଳ ବିଶ୍ୱବିଦ୍ୟାଳୟରୁ ମୁଖ୍ୟ ନାଳ ଏହି ବସ୍ତି ଦେଇ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଭିତରଦେଇ ଅତିକ୍ରମ କରିଛି । ସ୍ଥାନୀୟ ଲୋକଙ୍କ କହିବା କଥା ହେଲା, ଡ୍ରେନ୍‌ ହିଁ ଏବେ ଏହି ୱାର୍ଡର ଦୁଃଖ ପାଲଟିଛି । ଖୋଲା ନାଳ ଭିତରେ ବର୍ଷତମାମ୍‌ ସହରଟାଯାକର ଅଳିଆ ଆବର୍ଜନା ପଡ଼ୁଛି । ବର୍ଷେ ଦୁଇ ବର୍ଷରେ କେତେବେଳେ ମନେ ପଡ଼ିଲେ କର୍ତ୍ତୃପକ୍ଷ ଥରେ ଅଧେ ସଫା କରିବାକୁ ଆସନ୍ତି । ତାହା ପୁଣି କିିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ।

ଅଳିଆ, ଆବର୍ଜନା ପଡ଼ି ଜାମ ହେବା କାରଣରୁ ଟିକିଏ ବର୍ଷା ହେଲେ ନାଳ ପାଣି ବସ୍ତି ଭିତରେ ପଶୁଛି । ଏହି ସମସ୍ୟା ନେଇ ବସ୍ତି ଲୋକ ପୂର୍ବତନ କର୍ପୋରେଟରଙ୍କ ପାଖରେ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାରର ସ୍ଥାୟୀ ସମାଧାନର ରାସ୍ତା ବାହାରି ନାହିଁ । ସେମିତି ଏହି ୱାର୍ଡର ପରିମଳ ବ୍ୟବସ୍ଥା ଚିନ୍ତାର କାରଣ ପାଲଟିଛି । ସବୁ ସ୍ଥାନରେ କୁଢ଼ କୁଢ଼ ଅଳିଆ । କେବେ ଅଳିଆ ଉଠିଲେ ଉଠୁଛି ନହେଲେ ନାହିଁ । ବର୍ଷା ଦିନରେ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରୁଛି ।

ବୀର ସୁରେନ୍ଦ୍ର ସାଏଙ୍କ ନାମରେ ପରିଚୟ ପାଉଥିବା ଏହି ୱାର୍ଡରେ ସ୍ୱୟଂ ସୁରେନ୍ଦ୍ର ସାଏ ବି ଅଲୋଡ଼ା । ଭିଏସ୍‌ଏସ୍‌ ନଗର ମୁଖଶାଳାରେ ରହିଛି ତାଙ୍କର ଏକ ଆବକ୍ଷ ଛୋଟ ପ୍ରତିମୂର୍ତ୍ତି । ଏହି ପ୍ରତିମୂର୍ତ୍ତିରେ ଶଉଳି ଲାଗି ଗଲାଣି । ଆଉ ଏକ ପ୍ରମୁଖ ସମସ୍ୟା ହେଉଛି, ଅଣ୍ଡର ପାସ୍‌ ରାସ୍ତା । ସହିଦ୍‌ନଗରରୁ ସତସଙ୍ଗ୍‌ ବିହାରକୁ ଯିବା ପାଇଁ ସଂଯୋଗ କରୁଛି ଏହି ଅଣ୍ଡରପାସ୍‌ । ଅସରାଏ ବର୍ଷା ହେଲେ ଅଣ୍ଡରପାସ୍‌ରେ ଆଣ୍ଠୁଏ ପାଣି । ୱାର୍ଡରେ କମ୍ୟୁନିଟି ହଲ୍‌ଟିଏ ବି ନାହିଁ । ପିଲାମାନଙ୍କ ଖେଳକୁଦ ପାଇଁ ଖେଳ ପଡ଼ିଆ ନାହିଁ । ଭିଏସ୍‌ଏସ୍‌ ନଗର ଗୋଜବାୟାଣୀ ପଡ଼ିଆରେ ମିନି ଷ୍ଟାଡିୟମ କରିବା ପାଇଁ ଏଠିକାର ଲୋକମାନେ ବହୁ ଦିନ ହେଲା ଦାବି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ଏଥିପ୍ରତି କର୍ଣ୍ଣପାତ କରୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ୱାର୍ଡର ତ୍ରିନାଥ ବସ୍ତିରେ ଏକ ସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ନାହିଁ । ସେଥି ପାଇଁ ଛୋଟ ଛୋଟ ପିଲାମାନେ ପଢ଼ିବା ପାଇଁ ଅନେକ ଅସୁବିଧା ଭୋଗୁଛନ୍ତି । କିଛି ସାହିରେ ଷ୍ଟ୍ରିଟ୍‌ ଲାଇଟ୍‌ ନାହିଁ । ସନ୍ଧ୍ୟା ହେଲେ ଅନ୍ଧାର ପାଇଁ ଅନେକ ସମସ୍ୟା ହେଉଛି ।