ଦଶମନ୍ତପୁର,୦୨/୧୦: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ଅଞ୍ଚଳରେ ଗୁରୁବାର ଲଘୁଚାପ ଜନିତ ପ୍ରବଳ ବର୍ଷା ହୋଇଛି । ବର୍ଷା ପାଣି ଅଞ୍ଚଳରେ ବହୁତ କ୍ଷୟକ୍ଷତି ଘଟାଇଛି । ଗାଦିଆ ଗୁଡା ପଞ୍ଚାୟତ ଅଧିନସ୍ଥ ବାଲି ଘାଟ ଗାଁର ଆଦିବାସୀ ସାହି ଏବଂ ବଗେଇ ପଦର ଗାଁକୁ ସଂଯୋଗ କରିଥିବା ରାସ୍ତାର ଏକ ହୋମ ପାଇପ୍ ପୋଲ ବର୍ଷାରେ ଧୋଇ ଯାଇଛି । ଯାହା ଦ୍ୱାରା ବାଲିଘାଟ ଗାଁର ଆଦିବାସୀ ସାହି, ଶୁଣ୍ଢି ସାହି ସମେତ ବଗେଇ ପଦର ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଜୀବନ ଜୀବିକା ଠପ୍ ହୋଇଯାଇଛି ।
ପ୍ରତିଦିନ ଏହି ଦୁଇ ଖଣ୍ଡ ଗ୍ରାମବାସୀ, ଡାକ୍ତରଖାନା ଠାରୁ ଆରମ୍ଭ କରି, ହାଟ ବଜାର ପର୍ଯ୍ୟନ୍ତ ଯିବା ଆସିବାରେ ଏହି ପୋଲ ଉପରେ ନିର୍ଭର କରି ଆସୁଥିଲେ। ଏମାନଙ୍କ ଏହି ଏକ ମାତ୍ର ରାସ୍ତା ବ୍ୟତୀତ ଅନ୍ୟ କୌଣସି ରାସ୍ତା ସୁବିଧା ନାହିଁ। ଗୋଟିଏ ପଟେ ପାହାଡ ଏବଂ ଅନ୍ୟ ପଟେ ମୁରାନ ନଦୀ ବାଟ ଅଗାଳି ରହିଛି । ତେଣୁ ଏହି ଗ୍ରାମବାସୀମାନେ ଜରୁରୀକାଳୀନ ଭାବେ ଯାତାୟାତ ସୁବିଧା ନ ଥିବାରୁ ଚିନ୍ତାରେ ପଡିଥିବା ନେଇ ଗାଁର ଭରତ ବିଶୋଇ, ଭଜନ ବିଶୋଇ, ରାମ ମୁଦୁଲି, ଧନିଆ ସାଉନ୍ତା, ଜଗନ୍ନାଥ ଡଙ୍ଗ୍ରି, ଚକ୍ର ଗରଡା, ପିତବାସ ନାୟକ, ରାଜେନ୍ଦ୍ର ନାୟକ ପ୍ରମୁଖ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ବିଶେଷ କରି ଏହି ଦୁଇ ଖଣ୍ଡ ଗାଁରେ ଅନେକ ରୋଗୀ ଓ ଗର୍ଭବତୀ ମହିଳାମାନେ ରହିଛନ୍ତି । ଜରୁରୀକାଳୀନ ଭାବେ ଯଦି ଡାକ୍ତରଖାନା ଯିବାକୁ ପଡିଲେ, କେମିତି ଯିବେ ତାକୁ ନେଇ ବହୁତ ଚିନ୍ତାଗ୍ରସ୍ତ ରହିଥିବା କୁହାଯାଉଛି । ତେବେ ତୁରନ୍ତ ବ୍ଲକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି, ଯୁଦ୍ଧକାଳୀନ ଭିତ୍ତିରେ ଯାତାୟାତ ସୁବିଧା କରିଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।
ସୂଚନା ମୁତାବକ, ଏହି ଦୁଇ ଖଣ୍ଡ ଗାଁର ଦୂରତା ଆର୍ ଡି ମୁଖ୍ୟ ରାସ୍ତା ଠାରୁ ୧ ରୁ ଦେଢ କିମି ଦୂର ମଧ୍ୟରେ ରହିଛି । ଦୁଇ ଗାଁର ଜନସଂଖ୍ୟା ପାଖାପାଖି ୪୫୦ ରୁ ଅଧିକ ହେବେ । ତେଣୁ ତୁରନ୍ତ ଯାତାୟାତ ସୁବିଧା କରିଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ଆଜି ଦଶହରା ପାର୍ବଣ ଥିବାରୁ କାହାରି ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ