PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

୨,୨୨୩ ଗାଁରେ ପହଞ୍ଚିବ ପାଇପ୍‌ ପାଣି

source:helloscience.io

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଗ୍ରାମାଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ କ୍ୟାବିନେଟ୍‌ ଆଜି ୮ଟି ପ୍ରକଳ୍ପ ପାଇଁ ୩୧୮୦.୮୮ କୋଟି ଟଙ୍କାର ଟେଣ୍ଡର୍‌କୁ ମୋହର ମାରିଛି । ଏହାଦ୍ୱାରା ପ୍ରାୟ ୨,୨୨୩ଟି ଗାଁର ଲୋକେ ଉପକୃତ ହେବେ । ପ୍ରକଳ୍ପ ଗୁଡ଼ିକ ୨୪ ମାସରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି ।
ଏହି ପ୍ରକଳ୍ପ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଓ ଯଶୀପୁର ବ୍ଲକ୍‌ ଅନ୍ତର୍ଗତ ୩୩୦ଟି ଗ୍ରାମରେ ଭୂତଳ ଜଳ ଖଣି ଦ୍ୱାରା ପ୍ରଭାବିତ ହୋଇଥିବା ଗ୍ରାମକୁ ଓଡ଼ିଶା ମିନେରାଲ୍‌ ବିୟରିଂ ଏରିଆ ଡେଭଲ୍ପ୍‌ମେଣ୍ଟ କର୍ପୋରେସନ୍‌ (ଓଏମ୍‌ବିଏଡିସି) ଜରିଆରେ ୨ଟି ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ଏଥିରେ ୨୯ଟି ପଞ୍ଚାୟତର ୩୩୦ଟି ଗ୍ରାମରେ ବାସ କରୁଥିବା ୧ଲକ୍ଷ ୬୧ ହଜାର ୭୨୨ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥିପାଇଁ ଲାରସନ୍‌ ଆଣ୍ଡ୍‌ ଟୁବ୍ରୋ କମ୍ପାନୀର ସର୍ବନିମ୍ନ ୪୩୦ କୋଟି ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ଅନୁମୋଦନ କରିଛି ।
ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଓ ବେଗୁନିଆ ଏବଂ ଢ଼େଙ୍କାନାଳ ଜିଲ୍ଲା ସଦର ବ୍ଲକ୍‌ ଅନ୍ତର୍ଗତ ମୋଟ ୩୯୦ଟି ଗ୍ରାମର ୨ଲକ୍ଷ ୮୨ ହଜାର ୯୫୧ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ୨ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏହି ପ୍ରକଳ୍ପ ଜେଏମ୍‌ସି ପ୍ରୋଜେକ୍ଟ ଆଣ୍ଡ ଜେଡବ୍ଲ୍ୟୁଆଇଏଲ୍‌ ସଂସ୍ଥାକୁ ୩୧୫ କୋଟି ୨୦ ଲକ୍ଷ ଟଙ୍କାର ସର୍ବନିମ୍ନ ଟେଣ୍ଡର୍‌ଧାରୀ ଭାବରେ ଅନୁମୋଦନ କରାଯାଇଛି ।
ଅନୁଗୁଳ ଜିଲ୍ଲାର ୩୮୮ଟି ଗ୍ରାମକୁ ଜିଲ୍ଲା ଖଣିଜ ସଂସ୍ଥାନ (ଡିଏମ୍‌ଏଫ୍‌) ଆର୍ଥିକ ସହାୟତାରେ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥିପାଇଁ ଦୁଇଗୋଟି ପ୍ରକଳ୍ପକୁ ଗୋଟିଏ ପ୍ୟାକେଜ୍‌ରେ ଟେଣ୍ଡର୍‌ କରାଯାଇଛି । ହାଇଦ୍ରାବାଦ୍‌ର ଏନ୍‌ସିସି ଲିମିଟେଡ୍‌ ସଂସ୍ଥା ସର୍ବନିମ୍ନ ୭୦୧କୋଟି ୮୬ ଲକ୍ଷ ଟଙ୍କାର ଟେଣ୍ଡର୍‌କୁ କ୍ୟାବିନେଟ୍‌ ଆଜି ମଞ୍ଜୁରି ଦେଇଛି । ଏହାଦ୍ୱାରା ତାଳଚେର, ଛେଣ୍ଡିପଦା ଓ କଣିହାଁ ବ୍ଲକ୍‌ର ୩ଲକ୍ଷ ୪୦ହଜାର ୧୯୭ ଲୋକ ଉପକୃତ ହେବେ ।
କେନ୍ଦୁଝର ଜିଲ୍ଲା ଚମ୍ପୁଆ, ଝୁମ୍ପୁରା, କେନ୍ଦୁଝର ଓ ବାଂଶପାଳ ବ୍ଲକ୍‌ର ମୋଟ ୫୮୯ଟି ଗ୍ରାମର ୪ଲକ୍ଷ ୧୩ହଜାର ୯୧୯ ଲୋକଙ୍କୁ ଓଡ଼ିଶା ମିନେରାଲ୍‌ ବିୟରିଂ ଏରିଆ ଡେଭଲ୍ପ୍‌ମେଣ୍ଟ କର୍ପୋରେସନ୍‌ (ଓଏମ୍‌ବିଏଡିସି) ଓ ଜିଲ୍ଲା ଖଣିଜ ସଂସ୍ଥାନ (ଡିଏମ୍‌ଏଫ୍‌) ଆର୍ଥିକ ସହାୟତାରେ ଗୋଟିଏ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ଏଥିପାଇଁ ଲାରସନ୍‌ ଆଣ୍ଡ୍‌ ଟୁବ୍ରୋ କମ୍ପାନୀର ସର୍ବନିମ୍ନ ୯୭୯ କୋଟି ୮୨ ଲକ୍ଷ ଟଙ୍କାର ଟେଣ୍ଡର୍‌କୁ କ୍ୟାବିନେଟ ଅନୁମୋଦନ କରିଛି ।
ଭଦ୍ରକ ଜିଲ୍ଲା ବାସୁଦେବପୁର, ତିହିଡ଼ି, ଚାନ୍ଦବାଲି ଓ ଧାମନଗର ବ୍ଲକ୍‌ର ୬ଲକ୍ଷ ୧୬ ହଜାର ୮୩୮ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ବସୁଧା (ଆର୍‌ଆଇଡିଏଫ୍‌) ଯୋଜନାରେ ଗୋଟିଏ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ଏଥିପାଇଁ ହାଇଦ୍ରାବାଦ୍‌ର ମେଘା ଇଞ୍ଜିନିୟରିଂ ଇନ୍‌ଫ୍ରାଷ୍ଟ୍ରକ୍‌ଚର କମ୍ପାନୀର ସର୍ବନିମ୍ନ ୭୫୪ କୋଟି ଟଙ୍କାର ଟେଣ୍ଡର୍‌କୁ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି । ସମସ୍ତ କାର୍ଯ୍ୟ ୨୪ ମାସ ମଧ୍ୟରେ ଶେଷ କରିବାକୁ ଟେଣ୍ଡର୍‌ରେ ସର୍ତ୍ତ ରହିଛି ।