PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଚିନ୍ତା ବଢ଼ାଇଲାଣି ଜଳସଙ୍କଟ;ମହାନଦୀ ବେସିନ୍‌ରେ ୨୪% କମ୍‌ ବର୍ଷା

ସମ୍ବଲପୁର,୨୩/୦୭(ବ୍ୟୁରୋ): ମୌସୁମୀ ସାଂଘାତିକ ଧୋକା ଦେଲାଣି । ଦୀର୍ଘ ୧୫ ଦିନ ଧରି ବର୍ଷା ଗାଏବ ହୋଇଯିବା ପରେ ସମଗ୍ର ମହାନଦୀ ଶୁଖିଲା ପଡ଼ିଗଲାଣି । ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକ ଉପରେ ସଂପୂର୍ଣ୍ଣ ଭାବେ ଓଡ଼ିଶା ନିର୍ଭର କରୁଥିବା ବେଳେ ନିଅଣ୍ଟିଆ ବର୍ଷା କାଳ ହେଲାଣି । ଶ୍ରାବଣ ମାସରେ ମଇ ମାସର ମଧ୍ୟ ଭାଗଠାରୁ ବର୍ତ୍ତମାନର ସ୍ଥିତି ବଳି ଗଲାଣି । ହୀରାକୁଦ ଜଳସ୍ତର ଆଜି ରାତି ସୁଦ୍ଧା ୫୯୮ ଫୁଟ୍‌କୁ ଖସିଗଲାଣି । ମହାନଦୀର ଶାଖା ନଦୀ ଛତିଶଗଡ଼ର ହଁସଦେଓ, ଶିଓନାଥ ଭଳି ପ୍ରମୁଖ ନଦୀରୁ ମୁନ୍ଦାଏ ବି ପାଣି ତଳକୁ ଆସୁନାହିଁ । ସେପଟେ, ସାରା ମହାନଦୀ ବେସିନ୍‌ରେ ବର୍ତ୍ତମାନ ସୁଦ୍ଧା ୨୪ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବାରୁ ସ୍ଥିତି ଆଗକୁ ଆହୁରି ଜଟିଳ ହେବାର ଆଶଙ୍କା ରହିଛି ।

ଦେଶର ପ୍ରମୁଖ ନଦୀ ବେସିନ୍‌ ମଧ୍ୟରୁ ମହାନଦୀ ବେସିନ୍‌ ଉପରେ ଓଡ଼ିଶା ସମେତ ୫ଟି ରାଜ୍ୟ ନିର୍ଭରଶୀଳ । ହେଲେ ଚଳିତବର୍ଷ ମୌସୁମୀର ଲୁଚକାଳି ଖେଳ ଚାଷୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ କାଳ ହେଲାଣି । ଓଡ଼ିଶାରେ ଥିବା ସମସ୍ତ ନଦୀ ଉପତ୍ୟକାରେ ନିଅଣ୍ଟିଆ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଚଳିତବର୍ଷ ଜୁନ୍‌ ପହିଲାରୁ ମୌସୁମୀ ଅବଧି ଆରମ୍ଭ ହେବାରୁ ଆଜି ଯାଏ ମହାନଦୀ ଏବଂ ଏହାର ଶାଖା ନଦୀରେ ହାରାହାରି ୪୨୪.୨ ମିମି ବର୍ଷା ହେବା କଥା । ହେଲେ ବର୍ତ୍ତମାନ ସୁଦ୍ଧା ମାତ୍ର ୩୨୩.୩ ପ୍ରତିଶତ ହୋଇଛି । ଯାହାକି ସାଧାରଣ ବର୍ଷାଠାରୁ ୨୪ ପ୍ରତିଶତ କମ୍‌ । ସେହିପରି ବ୍ରାହ୍ମଣୀ ବେସିନ୍‌ରେ ୨୯ ପ୍ରତିଶତ, ବଂଶଧାରାରେ ୨୫ ପ୍ରତିଶତ, ଇନ୍ଦ୍ରାବତୀରେ ୧୨ ପ୍ରତିଶତ କମ୍‌ ବର୍ଷା ହୋଇଥିବା ଜଣାପଡିଛି ।

ଏହି ପରିପ୍ରେକ୍ଷୀରେ ମହାନଦୀ ବେସିନ୍‌ ଅଧୀନରେ ଥିବା ସବୁ ପ୍ରମୁଖ ନଦୀରୁ ଜଳପ୍ରବାହ ସପ୍ତାହେ ହେଲା ଶୂନ ହୋଇଯାଇଛି । ବିଶେଷ କରି ଛତିଶଗଡ଼ର ହଂସଦେଓ ଏବଂ ଶିଓନାଥରୁ ଏଭଳି ସମୟରେ ପ୍ରତିବର୍ଷ ବ୍ୟାପକ ମାତ୍ରାରେ ହୀରାକୁଦକୁ ପାଣି ଆସୁଥିବା ବେଳେ ଏବର୍ଷ ପୁରା ନଦୀ ଶୁଖିଲା ପଡ଼ିଛି । ସେହିପରି ଓଡ଼ିଶା ଦେଇ ପ୍ରବାହିତ କେଲୋ ଡ୍ୟାମ୍‌ ମଧ୍ୟ ଶୁଖିଲା ପଡ଼ିଛି । କଲମା ଏବଂ କେଲୋର ସବୁ ଗେଟ୍‌ ଖୋଲାଥିଲେ ହେଁ ହୀରାକୁଦକୁ ୪ ଦିନ ହେଲା ଜଳପ୍ରବେଶ ଶୂନ ରହିଛି । ଫଳରେ ଆଜି ରାତି ସୁଦ୍ଧା ଜଳସ୍ତର ୫୯୮.୯୩ ଫୁଟ୍‌କୁ ଖସି ଆସିଛି । ହେଲେ ଗତବର୍ଷ ଆଜିର ଦିନରେ ଜଳସ୍ତର ୬୧୧.୮୭ ଫୁଟ୍‌ ରହିଥିଲା । ଗତବର୍ଷଠାରୁ ୧୩ ଫୁଟ୍‌ କମ୍‌ ପାଣି ରହିଛି ।

ଅପରପକ୍ଷେ, କେଲୋ ପୁରା ଶୁଖିଲା ପଡ଼ିବା ଯୋଗୁଁ ଏହାର ଉପରେ ନିର୍ଭର କରୁଥିବା ଓଡ଼ିଶାର ସୀମାନ୍ତ ୫ଟି ପଞ୍ଚାୟତବାସୀ ଗାଧୋଇବାଠାରୁ ଆରମ୍ଭ କରି ଜଳସେଚନ ପାଇଁ ଗୁରୁତର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କେଲୋର ପାଣି ଉପରେ ଭରସା କରି ତଳି ପକାଇଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେହିପରି ବର୍ତ୍ତମାନ ଓଡ଼ିଶା ସୀମାନ୍ତ ଛତିଶଗଡ଼ର ସୁରୁଜଗଡ଼ ନିକଟରେ ମହାନଦୀର ଶୁଖିଲା ଅବସ୍ଥା ଯୋଗୁଁ ସେଠାକାର ଚାଷୀ ବି ହାହାକାର ଅବସ୍ଥାରେ ରହିଛନ୍ତି । ଆଉ ୨ରୁ ୩ ଦିନ ମଧ୍ୟରେ ବର୍ଷା ନ ହେଲେ ହୀରାକୁଦ ଜଳସ୍ତର ଉଦବେଗଜନକ ସ୍ଥିତିକୁ ଆସିବାର ଆଶଙ୍କା ସୃଷ୍ଟି ହେଲାଣି । ନଦୀ ବେସିନ୍‌ଗୁଡ଼ିକର ଏଭଳି ଅବସ୍ଥା ନେଇ ପରିବେଶବିତ ଚିନ୍ତା ପ୍ରକାଶ କରିଛନ୍ତି ।