ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ପାକିସ୍ତାନକୁ ୯ ୱିକେଟରେ ପରାସ୍ତ କରି WCL 2025 ଟାଇଟଲ ଜିତିଛି । ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ଶତକ ଯୋଗୁଁ ଦକ୍ଷିଣ ଆଫ୍ରିକା ୧୯ ବଲ ବାକି ଥାଇ ୧୯୬ ରନର ଟାର୍ଗେଟ ହାସଲ କରିଥିଲା। ଗୋଟିଏ ପଟେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ବାତିଲ ହେବା ଯୋଗୁଁ ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲେଜେଣ୍ଡସ୍ ଲିଗ୍ ଖବରରେ ରହିଥିଲା । ଡବ୍ଲୁସିଏଲ ଫାଇନାଲ ପରେ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି । 

ଲିଗ୍ର ମାଲିକ ହର୍ଷିତ ତୋମାର ଲାଇଭ୍ କ୍ୟାମେରାରେ ଜଣେ ମହିଳା ଟିଭି ଉପସ୍ଥାପିକାଙ୍କୁ ପ୍ରପୋଜ୍‌ ବା ପ୍ରେମ ନିବେଦନ ବିଷୟରେ କଥା ହୋଇଥିଲେ। ମ୍ୟାଚ୍ ପରେ ମହିଳା ଟିଭି ଉପସ୍ଥାପିକା କରିଶ୍ମା କୋଟାକ WCL ମାଲିକ ହର୍ଷିତ ତୋମାରଙ୍କୁ ପଚାରିଥିଲେ ଯେ, ଏହା  ପରେ କ’ଣ ଯୋଜନା ରହିଛି । ତୋମାରଙ୍କ ଜବାବ ଶୁଣି କରିଶ୍ମା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହର୍ଷିତ ତୋମାର କହିଥିଲେ, ‘ଯେତେବେଳେ ଏସବୁ ଶେଷ ହେବ, ହୁଏତ ମୁଁ ତୁମକୁ ପ୍ରପୋଜ କରିବି।’  ଟିଭି ଉପସ୍ଥାପିକା କରିଶ୍ମା କୋଟାକ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇ କହିଲେ, ‘ଓଃ ମାଇ ଗଡ୍‌ (ହେ ଭଗବାନ)।’ ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । 




ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୧ ରନରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିଥିଲା । ଭାରତୀୟ ଦଳ ପାକିସ୍ତାନ ସହିତ ଖେଳିବାକୁ ମନା କରିଦେଇଥିଲା । ତେଣୁ ପାକିସ୍ତାନ ଦଳ ସେମିଫାଇନାଲ ନ ଖେଳି ଟାଇଟଲ ମୁକାବିଲାରେ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚରେ, ପାକିସ୍ତାନ ଚାମ୍ପିଅନ୍ସ ପ୍ରଥମେ ଖେଳି ୧୯୫ ରନ କରିଥିଲା । ଶର୍ଜିଲ ଖାନ ଝଡ଼ ସୃଷ୍ଟି କରି ୭୬ ରନ କରିଥିଲେ । ଉମର ଅମିନ ୩୬ ଏବଂ ଆସିଫ ଅଲିଙ୍କ ୨୮ ରନର ଇନିଂସ ବଳରେ ପାକିସ୍ତାନ ଦଳର ସ୍କୋର ୧୯୫ ରନ୍‌ରେ ପହଞ୍ଚିଥିଲା । 

ସେପଟେ ଦକ୍ଷିଣ ଆଫ୍ରିକା ଦଳର ହାସିମ ଆମଲା ମାତ୍ର ୧୮ ରନ କରି ଆଉଟ ହୋଇଥିଲେ। ଏହା ପରେ, ଏବି ଡିଭିଲିୟର୍ସ ଏବଂ ଜେପି ଡୁମିନିଙ୍କ ମଧ୍ୟରେ ୧୨୫ ରନର ଅପରାଜିତ ଭାଗୀଦାରି ଦକ୍ଷିଣ ଆଫ୍ରିକା ଦଳର ବିଜୟ ସୁନିଶ୍ଚିତ କରିଥିଲା। ଡୁମିନି ୫୦ ରନ କରିଥିଲେ । ଡିଭିଲିୟର୍ସ ୬୦ ବଲ ଖେଳି ୧୨୦ ରନ କରିଥିଲେ । ଏହି ସମୟରେ ସେ ୧୨ ଚୌକା ଏବଂ ୭ ଛକା ମାରିଥିଲେ।