ନୂଆଦିଲ୍ଲୀ,୨୧।୮: ଭାରତକୁ ବାରମ୍ବାର ଟାରିଫ୍ ନାଁରେ ଧମକାଉଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କରିଛନ୍ତି ଟାର୍ଗେଟ। ଜୟଶଙ୍କର ୩ ଦିନିଆ ରୁଷ ଗସ୍ତରେ ଥିବା ବେଳେ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି , ରୁଷର ସବୁଠାରୁ ବଡ଼ ତୈଳ ଆମଦାନୀକାରୀ ଦେଶ ଭାରତ ନୁହେଁ, ବଂର ଚୀନ୍। ସେଭଳି ଏଲନ୍ଜିର ମଧ୍ୟ ସବୁଠାରୁ ବଡ଼ କ୍ରେତା ଚୀନ ଓ ୟୁରୋପୀୟ ସଂଘ। ତଥାପି ଆମେରିକା ଭାରତ ଉପରେ ଟାରିଫ ଲଗାଇଛି। ଏହା ଆମେରିକାର କିଭଳି ତର୍କ ତାହା ଭାରତ ବୁଝି ପାରୁନି। ରୁଷ ସହ କେବଳ ଭାରତ ନୁହେଁ ଚୀନ୍, ୟୁରେପୀୟ ସଂଘ ଏବଂ ଦକ୍ଷିଣୀ ଦେଶ ମଧ୍ୟ ବାଣିଜ୍ୟ କରନ୍ତି। କିନ୍ତୁ ଆମେରିକା ଏପର୍ଯ୍ୟନ୍ତ ଚୀନ୍ ଉପରେ କୌଣସି କଟକଣା ଲାଗୁ କରିନି।
ଆମେରିକାକୁ ଟାର୍ଗେଟ କରି ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କର ଟ୍ରେଜେରୀ ସଚିବ କହୁଛନ୍ତି,ରୁଷ-ୟୁକ୍ରେନ୍ ଯୁଦ୍ଧ ପରେ ଭାରତ ସେଠାରୁ ଅଧିକ ତୈଳ ଆମଦାନୀ କରୁଛି ଏବଂ ତାକୁ ଦ୍ବିତୀୟ ଥର ବିକ୍ରି କରି ଲାଭ କରୁଛି। । ଆମେ ସେହି ଦେଶ ଯାହାକୁ ଆମେରିକା ଗତ କିଛି ବର୍ଷ ମଧ୍ୟରେ କହିଆସିଛି ଯେ ବିଶ୍ୱ ଶକ୍ତି ବଜାରକୁ ସ୍ଥିର ରଖିବା ପାଇଁ ଆମକୁ ସବୁକିଛି କରିବା ଉଚିତ। ଏଥିରେ ରୁଷରୁ ତେଲ କିଣିବା ମଧ୍ୟ ଅନ୍ତର୍ଭୁକ୍ତ। ବିଶେଷ କଥା ହେଉଛି ଆମେ ଆମେରିକାରୁ ମଧ୍ୟ ତେଲ କିଣୁଛୁ ଏବଂ କ୍ରୟର ଏହି ପରିମାଣ ବୃଦ୍ଧି ପାଇଛି। ଜୟଶଙ୍କରଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ମସ୍କୋରୁ ତେଲ କିଣିବା ବନ୍ଦ କରିବା ପାଇଁ ଭାରତ ଉପରେ ଚାପ ପକାଉଛନ୍ତି।