ଭୁବନେଶ୍ୱର,୧୫/୦୯: ଆସନ୍ତା ୨୦ ତାରିଖରେ ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଅଧିକ ଘନୀଭୂତ ହେବାର ଆଶଙ୍କା ନାହିଁ । ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ବର୍ଷା ହେଉଥିଲା । ଏହା କମିବାରେ ଲାଗିଛି । ପୂଜା ସମୟରେ ବର୍ଷା ହେବ କି ନା, ଏବେଠାରୁ କହିହେବନି । କିନ୍ତୁ ସେବେ ବାତ୍ୟା ବା ଅବପାତ ସୃଷ୍ଟି ହେବାର କୌଣସି ଆଶଙ୍କା ନାହିଁ । ଆଗକୁ ବାତ୍ୟା ଆସୁଛି ବୋଲି ବୁଲୁଥିବା ଗୁଜବ ପ୍ରସଙ୍ଗରେ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହା କହିଛନ୍ତି ।
ଆଇଏମ୍ଡି ଡିଜି କହିଛନ୍ତି, ସୃଷ୍ଟି ହୋଇଥିବା ଲଘୁଚାପ ଏବେ ତେଲଙ୍ଗାନା ଓ ବିଦର୍ଭରେ କେନ୍ଦ୍ରୀଭୂତ ହୋଇ ରହିଛି । ଫଳରେ ବର୍ଷା ଧୀରେ ଧୀରେ କମିଯିବ । ଘୂର୍ଣ୍ଣିବଳୟ ସୃଷ୍ଟି ଅବଧି ପାଖେଇଲେ ଏହାକୁ ନେଇ ସ୍ପଷ୍ଟ ଚିତ୍ର ଆସିବ । ଓଡ଼ିଶାରୁ ଏବେ ମୌସୁମୀ ପ୍ରତ୍ୟାହାର ହେବନି ବୋଲି ସେ କହିଛନ୍ତି ।
ସୋମବାର ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କୌଣସି ସ୍ଥାନରେ ବଡ଼ ବର୍ଷା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମଙ୍ଗଳବାର ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସେପ୍ଟେମ୍ବର ମାସ ଆରମ୍ଭରୁ ଅକ୍ଟୋବର ମାସର ବାତ୍ୟା ଆକଳନ କରିହେବନି । ଏହା ବୈଜ୍ଞାନିକ ତଥ୍ୟଭିତ୍ତିକ ନୁହେଁ । ତେବେ ଆଇଓଡି, ଇଏନ୍ଏସ୍ଓ ଓ ବଙ୍ଗୋପସାଗରର ତାପମାତ୍ରା ଭଳି ବିଭିନ୍ନ କାରକକୁ ଦେଖିଲେ ଅକ୍ଟୋବର-ନଭେମ୍ବରରେ ବଙ୍ଗୋପସାଗରରେ ବାତ୍ୟା ହେବା ସମ୍ଭାବନା ୭୦%ରୁ ଅଧିକ । କିନ୍ତୁ ସେପ୍ଟେମ୍ବର ଶେଷ ବେଳକୁ ଏ ନେଇ ସ୍ପଷ୍ଟ ଆକଳନ କରିହେବ ।
ସେ କହିଛନ୍ତି, ସମ୍ଭାବ୍ୟ ଏଲ୍ ନିନୋ ବାତ୍ୟାର କାରଣ ବୋଲି ଅନେକ ଭାବନ୍ତି । ଏହା କିଛି ମାତ୍ରାରେ ସତ । କିନ୍ତୁ ବାତ୍ୟାର ବହୁ କାରଣ ଅଛି । ଇଏନ୍ଏସ୍ଓ (ଏଲ୍ ନିନୋ ସାଉଥର୍ଣ୍ଣ ଓସିଲେସନ୍)ର ଦୁଇଟି ଅବସ୍ଥା ଥାଏ । ଗୋଟିଏ ଏଲ୍ ନିନୋ ଓ ଅନ୍ୟଟି ଲା-ନିନା । ଏହି ଦୁଇଟିର ମଝି ସମୟକୁ ନିଉଟ୍ରାଲ ସ୍ଥିତି କୁହାଯାଏ । ଏବେ ନିଉଟ୍ରାଲ ସ୍ଥିତି ରହିଛି । ଅକ୍ଟୋବରରୁ ଡିସେମ୍ବର ଭିତରେ ଲା-ନିନା ସ୍ଥିତି ରହିପାରେ ବୋଲି ଆକଳନ ରହିଛି । ନଭେମ୍ବରରେ ଏହି ସ୍ଥିତି ରହିବ ଓ ଏହା ଦୁର୍ବଳ ମଧ୍ୟ ରହିବ ।
ଏଲ୍ ନିନୋ ସ୍ଥିତି ଥିବା ସମୟରେ ବଙ୍ଗୋପସାଗରରେ ୨୦୧୪ରେ ‘ହୁଡହୁଡ୍’ ଓ ୨୦୧୮ରେ ‘ତିତ୍ଲି’ ସୃଷ୍ଟି ହୋଇଥିଲା । ସ୍ଥିତି ନିଉଟ୍ରାଲ ଥିବା ସମୟରେ ୨୦୧୩ରେ ‘ଫାଇଲିନ୍’ ଓ ୨୦୧୯ରେ ‘ଫନି’ ହୋଇଥିଲା । ଲା ନିନା ସ୍ଥିତି ବେଳେ ୧୯୯୯ ମହାବାତ୍ୟା ଓ ୨୦୨୦ରେ ‘ଅମ୍ପାନ୍’ ହୋଇଥିଲା । ଲା ନିନା ଥିବା ସମୟରେ ବଙ୍ଗୋପସାଗରରେ ଅଧିକ ବାତ୍ୟା ସୃଷ୍ଟି ହେଉଥିବା ଗତ ୨୪ ବର୍ଷର ତଥ୍ୟରୁ ଜଣାପଡୁଛି ।
ଇଏନ୍ଏସଓକୁ ଛାଡ଼ି ଆଇଓଡି ଓ ଏମ୍ଜିଓ ମଧ୍ୟ ବାତ୍ୟାର ସୃଷ୍ଟିକୁ ଶକ୍ତିଶାଳୀ କରେ । ଆଇଓଡି ନେଗେଟିଭ୍ ରହିଲେ ବଙ୍ଗୋପସାଗରୀୟ ଜଳପତ୍ତନର ତାପମାତ୍ରା ଅଧିକ ଗରମ ରୁହେ । ସାଧାରଣ ଭାବେ ଏଲ୍ ନିନୋ ପରେ ଏହା ହୁଏ । ଏହା ବାତ୍ୟାକୁ ଶକ୍ତିଶାଳୀ କରିବାକୁ ବଳ ଯୋଗାଏ । ସେପ୍ଟେମ୍ବରରେ ଆଇଓଡି ନେଗେଟିଭ୍ ରହିଛି । ଅକ୍ଟୋବର ମାସରେ ଏହା ନେଗେଟିଭ୍ ରହିବ । ଏହା ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ହୋଇପାରେ । ଏମ୍ଜିଓ ବଙ୍ଗୋପସାଗର ଓ ଭାରତ ମହାସାଗରରେ ସକ୍ରିୟ ରହିଲେ ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ହୁଏ । ମେଘର ଗଠନ ଓ ବାୟୁର ଉଦ୍ଧ୍ୱର୍ଗାମୀ ଗତି ଓ ଲଘୁଚାପ ବା ଅବପାତର ଚକ୍ରଗତି ଅଧିକ ହେଲେ ଏହା ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ କରିବା ସହ ବାତ୍ୟାକୁ ଶକ୍ତିଶାଳୀ କରେ । କିନ୍ତୁ ବାତ୍ୟା ସମୟରେ ଏମ୍ଜିଓ କିଭଳି ରହିବ ତାହା ଏବେଠାରୁ କହିହେବନି । ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଓ କେବେ କେବେ ପ୍ରତ୍ୟାବର୍ତ୍ତନ ସମୟରେ ବାତ୍ୟା ସୃଷ୍ଟି ହୋଇଥାଏ ।
ମୌସୁମୀ ସମୟରେ ବାତ୍ୟା ହୁଏନି । ଊଦ୍ଧ୍ୱର୍ଗାମୀ ବାୟୁର ଗତିର ବେଗ ଘର୍ଷଣ ଯୋଗୁ କମ୍ ହୋଇଥାଏ । ମୌସୁମୀ ବାୟୁପ୍ରବାହ ଯୋଗୁ ବାୟୁମଣ୍ଡଳ ଅସ୍ଥିର ବି ରୁହେ । ଏହି ସ୍ଥିତି ବାତ୍ୟା ପାଇଁ ଅନୁକୂଳ ନୁହେଁ । ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟରେ ଏହାର ଟ୍ରଫ୍ ବଙ୍ଗୋପସାଗରକୁ ଲମ୍ବିଥିଲେ ତାହା ବାତ୍ୟା ପାଇଁ ଅନୁକୂଳ ହୁଏ । ଏବେ ମୌସୁମୀ ରାଜସ୍ଥାନରୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିଛି । ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବା ବେଳକୁ ଆହୁରି ମାସେ ଲାଗିବ । ଆସନ୍ତା ଅକ୍ଟୋବର ୨ରୁ ୧୦ ମଧ୍ୟରେ ମୌସୁମୀ ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ ସାନି ଆକଳନ କରିଛନ୍ତି ।