ରାଜ୍ୟରେ ଆଉ ୪ ଦିନ ବର୍ଷା ସମ୍ଭାବନା, ୧୯ ଜିଲ୍ଲାକୁ ଆର୍ଲଟ ଜାରି

ଭୁବନେଶ୍ୱର,୨୧/୦୩: ଆଉ ଚାରି ଦିନ ରାଜ୍ୟରେ ବର୍ଷା ହେବ । ଅଧିକ ବର୍ଷା ସମ୍ଭାବନା ନଥିଲେ ବି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି । ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।
ସୋମବାର ରାଜ୍ୟର କିଛି ସ୍ଥାନରେ ନିର୍ଧୁମ ବର୍ଷା ହୋଇଛି । ଯାଜପୁର ଓ ଭୁବନେଶ୍ୱର ସମେତ ଗୁଣପୁର, ଟିଟିଲାଗଡ଼, ବଲାଙ୍ଗୀର, କଟକରେ ବର୍ଷା ସହ କୁଆପଥର ମାଡ଼ ହୋଇଛି । କୁଆପଥରର ବଡ଼ ବଡ଼ ଖଣ୍ଡ ପଡ଼ିବାରୁ ଯାଜପୁରରେ ଆଜବେଷ୍ଟସ୍ ଭାଙ୍ଗିଯାଇଛି। ଯାଜପୁର ଧର୍ମଶାଳା ବ୍ଲକ୍ର କଦମ୍ପପାଲ୍ରେ ପ୍ରାୟ ୧ କିଲୋ ଓଜନର କୁଆପଥର ପଡ଼ିଛି । ଭୀଷଣ କୁଆପଥର ମାଡ଼ରେ ଅନେକ ଘରର ଆଜବେଷ୍ଟସ୍ ଭାଙ୍ଗିଛି । କିଛି କାର୍ର କାଚ ବି ଭାଙ୍ଗିଯାଇଛି । ଯାଜପୁରର ଅନେକ ସ୍ଥାନରେ ମଧ୍ୟ କୁଆପଥର ମାଡ଼ ହୋଇଛି । ରାୟଗଡ଼ାର ଗୁଣପୁରରେ ବଡ଼ ବଡ଼ କୁଆପଥର ଖଣ୍ଡ ପଡ଼ିଛି । ବଲାଙ୍ଗୀରରେ କୁଆପଥର ବର୍ଷାର ମାତ୍ରା ଏତେ ଅଧିକ ଥିଲା ଯେ, ରାସ୍ତାଘାଟରେ କୁଆପଥରର ଚାଦର ଘୋଡ଼ାଇ ହୋଇଯାଇଥିଲା । କଟକର ସାଲେପୁର ଓ ମାହାଙ୍ଗାରେ ମଧ୍ୟ କୁଆପଥର ବର୍ଷା ହୋଇଛି । ଅପରାହ୍ଣରେ ରାଜଧାନୀ ଭୁବନେଶ୍ୱରରେ କୁଆପଥର ସହ ବର୍ଷା ହୋଇଛି ।
ସୋମବାର ସକାଳୁ ସନ୍ଧ୍ୟା ଭିତରେ ପୁରୀରେ ସର୍ବାଧିକ ୧୯.୨ ମିଲିମିଟର ବର୍ଷା ହୋଇଛି । ଟିଟିଲାଗଡ଼ରେ ୧୫.୪, ବଲାଙ୍ଗୀରରେ ୧୫, ଖୋର୍ଦ୍ଧାରେ ୧୩, ଚାନ୍ଦବାଲିରେ ୪.୮, ଦାରିଙ୍ଗିବାଡ଼ିରେ ୪, ଭୁବନେଶ୍ୱରରେ ୩.୮ମିମି ବର୍ଷା ରେକର୍ଡ ହୋଇଛି । କଟକରେ ମଧ୍ୟ ଭଲ ବର୍ଷା ହୋଇଛି ।
ଗତ ୨୪ ଘଣ୍ଟାରେ ମୟୂରଭଞ୍ଜର କପ୍ତିପଦାରେ ସର୍ବାଧିକ ୫୮ ମିମି, ବୌଦ୍ଧରେ ୪୦.୪, ସୋନପୁର ତରଭାରେ ୩୯, ଝାରସୁଗୁଡ଼ା ଲାଇକେରାରେ ୩୧.୧, ଯଶିପୁରରେ ୨୮.୪, ଝାରସୁଗୁଡ଼ା କଲାବିରାରେ ୨୮.୩, ସୁନ୍ଦରଗଡ଼ର ବଣାଇଗଡ଼ରେ ୨୮, ମମୟୂରଭଞ୍ଜ ଯାମଡ଼ାରେ ୨୮, କେନ୍ଦୁଝର ଯୋଡ଼ା ବାଙ୍ଗିରିପୋଷିରେ ୨୬.୨ ମିମି ବର୍ଷା ରେକର୍ଡ ହୋଇଛି ।