ଭୁବନେଶ୍ୱର,୦୯/୦୩: ଆସନ୍ତା  ୧୨ ତାରିଖ ପରେ ରାଜ୍ୟରେ ତାତି ୪୦  ଡିଗ୍ରୀ ସେଲସିୟସ୍‌ ଛୁଇଁବ । ୧୨ରୁ ୧୬  ତାରିଖ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୪୦ ଡିଗ୍ରୀ  ବା ଏହାଠାରୁ ଅଧିକ ରହିବ । ଉପକୂଳ  ଓଡ଼ିଶାର ଗୋଟିଏ ବା ଦୁଇଟି ସ୍ଥାନରେ  ୩୮ ଡିଗ୍ରୀ ହୋଇପାରେ । ସୋଆ  ପରିବେଶ ଓ ଜଳବାୟୁ କେନ୍ଦ୍ର ଏଭଳି  ପୂର୍ବାନୁମାନ କରିଛି । 

କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ  ଚନ୍ଦ୍ର ସାହୁ ପୂର୍ବାନୁମାନ କରି କହିଛନ୍ତି,  ୧୫ରୁ ୧୮ ତାରିଖ ଭିତରେ ଉପକୂଳ  ଓଡ଼ିଶା ଓ ଏହାର ସଂଲଗ୍ନ ଜିଲ୍ଲାରେ  କାଳବୈଶାଖୀର ପ୍ରଭାବରେ ବର୍ଷା  ହୋଇପାରେ । ହିମାଳୟ ଅଞ୍ଚଳରୁ  ଅଧିକ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ  ଯୋଗୁ ଗତ ତିନି ଦିନ ଧରି ରାଜ୍ୟର  ରାତି ତାପମାତ୍ରା କମ୍‌ ରହୁଥିଲା ।  ଆସନ୍ତା ୪ ଦିନରେ ସ୍ଥିତି ବଦଳିବ  ଓ ଗ୍ରୀଷ୍ମପ୍ରବାହ ହୋଇପାରେ ବୋଲି  ସେ କହିଛନ୍ତି । ୧୦ ତାରିଖ ଯାଏ  ବଙ୍ଗୋପସାଗର ଆଡୁ ଦକ୍ଷିଣ-ପୂର୍ବ  ବାୟୁ ବହିବ । ଏଥିପାଇଁ ପାଣିପାଗ  ସ୍ଥିତି ସୁଖଦ ଅନୁଭୂତି ଦେବ । ୯ ଓ  ୧୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର  ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ବା ଦୁଇଟି  ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ  ବୋଲି ସେ ଆକଳନ କରିଛନ୍ତି ।

ଶନିବାର ବୌଦ୍ଧରେ ଦିନ ତାପମାତ୍ରା  ସର୍ବାଧିକ ୩୮ଡିଗ୍ରୀ ଥିଲା । ବଲାଙ୍ଗିରରେ  ୩୭.୫, ସୁନ୍ଦରଗଡ଼ରେ ୩୭.୧,  ସମ୍ବଲପୁର ଓ ପାରଳାଖେମୁଣ୍ଡିରେ  ୩୬.୯ ଡିଗ୍ରୀ, ଝାରସୁଗୁଡ଼ାରେ ୩୬.୮,  ସୋନପୁରରେ ୩୬.୭, ଟିଟିଲାଗଡ଼ରେ  ୩୬.୫, ଭବାନୀପାଟଣାରେ ଦିନ ତାପମାତ୍ରା ୩୬ ଡିଗ୍ରୀ ରହିଥିଲା ।  ଶୁକ୍ରବାର ଫୁଲବାଣୀରେ ରାତି  ତାପମାତ୍ରା ସବୁଠୁ କମ୍‌ ବା ୧୦  ଡିଗ୍ରୀକୁ ଖସିଥିଲା । ଝାରସୁଗୁଡ଼ାରେ ୧୨.୨, ରାଉରକେଲାରେ ୧୨.୫,  ଭବାନୀପାଟଣାରେ ୧୩ ଓ  ନବରଙ୍ଗପୁରରେ ପାରଦ ୧୪ ଡିଗ୍ରୀ  ରହିଥିଲା ।