ଭୁବନେଶ୍ୱର,୨୦/୧୦:  ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ  ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ  ରବିବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।  ଏହା ଅଧିକ ଘନୀଭୂତ ହୋଇ ମଙ୍ଗଳବାର ସୁଦ୍ଧା ଲଘୁଚାପ ରୂପ  ନେବ ବୋଲି ପାଣିପାଗ ବିଭାଗ  ପୂର୍ବାନୁମାନ କରିଛି । ଲଘୁଚାପ ସୃଷ୍ଟି ପରେ ଏହା  ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ  ଗତି କରିବ । ଏହା ଅଧିକ ବଳ  ଗୋଟାଇ ପୁଣି ଘନୀଭୂତ ହେବ ।  ୨୩ ତାରିଖ ବେଳକୁ ଏହା ଦକ୍ଷିଣ  ବଙ୍ଗୋପସାଗରର କେନ୍ଦ୍ରଭାଗରେ  ଅବପାତ ରୂପ ନେବ ବୋଲି  ପାଣିପାଗ ବିଭାଗ ଆକଳନ କରିଛି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ  ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ  କହିଛନ୍ତି, ୨୩ ତାରିଖରେ ଅବପାତ  ସୃଷ୍ଟି ହୋଇପାରେ । କିନ୍ତୁ ବାତ୍ୟା  ସୃଷ୍ଟି ନେଇ କୌଣସି ଆଶଙ୍କା ନାହିଁ। ଅବପାତ ସୃଷ୍ଟି ହେବା  ପରେ ଏହାର ଦୁଇଟି ସମ୍ଭାବ୍ୟ ଦିଗ  ରହିଛି । ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶର  ନେଲୋର, ବିଶାଖାପାଟଣା ତଳକୁ  ଉପକୂଳ ଛୁଇଁପାରେ । ଆଉ ଗୋଟେ  ଦୃଶ୍ୟପଟ ହେଉଛି, ଏହା ପାଖାପାଖି  ହେବା ପରେ ଉପକୂଳ ନ ଛୁଇଁ  ଆନ୍ଧ୍ର-ଓଡ଼ିଶା ଉପକୂଳ ଦେଇ  ପଶ୍ଚିମବଙ୍ଗ ଆଡ଼କୁ ଯାଇପାରେ ।

ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର  ଆଶଙ୍କା ନାହିଁ । ଏହା କେବଳ  ଅବପାତରେ ହିଁ ସୀମିତ ରହିପାରେ । ରାଜ୍ୟରେ ପବନ ବି ହୋଇନପାରେ ।  ୨୪, ୨୫, ୨୬ ତାରିଖ ତିନି ଦିନ  ମଧ୍ୟମରୁ ଭାରୀ ବର୍ଷା ହାଇପାରେ । ୨୪ ତାରିଖରେ ଉପକୂଳ ସଂଲଗ୍ନ  ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୨୫  ଓ ୨୬ ତାରିଖ ପୂରା ରାଜ୍ୟରେ ବର୍ଷା  ସମ୍ଭାବନା ଅଛି । ୨୭ରେ ଉଊର  ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ।