ଭୁବନେଶ୍ୱର,୦୬/୧୧: ଅଚାନକ ଖସିଲା ପାରଦ । କାର୍ତ୍ତିକ ମାସର ବିଦାୟ ସହ ରାଜ୍ୟରେ ପଶିଛି ଶୀତ ।  ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଖସିଛି ।  ପୂର୍ବରାତି ତୁଳନାରେ ସର୍ବନିମ୍ନ ତାପମାତ୍ରା ୨ରୁ ୬ ଡିଗ୍ରୀ  ପର୍ଯ୍ୟନ୍ତ କମିଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲାଶୀତ ପ୍ରକୋପ ଆହୁରି ବଢ଼ିପାରେ । ଆସନ୍ତା ୨ ଦିନ ଭିତରେ  ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ ।

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ  ସେଲସିୟସ ରେକର୍ଡ ହୋଇଛି । ଦିନକ ତଳେ ଥିଲା ୧୫ ।  ଦାରିଙ୍ଗିବାଡ଼ିରେ ବି ପାରଦ ୧୪ ଡିଗ୍ରୀକୁ ଖସି ଆସିଛି ।  ଝାରସୁଗୁଡ଼ା ତାପମାତ୍ରା ପୂର୍ବ ରାତି ତୁଳନାରେ ୩.୩  ଡିଗ୍ରୀ କମି ୧୪.୫ ଡିଗ୍ରୀରେ ପହଞ୍ଚିଥିବାବେଳେ ଅନୁଗୁଳ  ୧୫ ଡିଗ୍ରୀ ରେକର୍ଡ ହୋଇଛି । ପୂର୍ବ ରାତି ତୁଳନାରେ  ଅନୁଗୁଳ ତାପମାତ୍ରା ୩ ଡିଗ୍ରୀ କମିଛି । ରାଉରକେଲା  ସର୍ବନିମ୍ନ ତାପମାତ୍ରା ୧୫.୫, କେନ୍ଦୁଝର ୧୫.୨, ଢେଙ୍କାନାଳ ୧୫.୮ ଡିଗ୍ରୀ ରେକର୍ଡ ହୋଇଛି । ଢେଙ୍କାନାଳରେ ତାପମାତ୍ରା  ଅସ୍ୱାଭାବିକ ହାରରେ କମିଛି । ପୂର୍ବ ରାତିରେ ୨୨.୧ ଡିଗ୍ରୀ  ଥିବାବେଳେ ୬.୩ ଡିଗ୍ରୀ କମିଯାଇଛି ୨୪ ଘଣ୍ଟାରେ। 

ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ଓ  କଟକ ୧୭.୬ ଡିଗ୍ରୀ ରହିଛି । ଦିନକ ତଳେ ଭୁବନେଶ୍ୱର  ୨୦.୮ ଡିଗ୍ରୀ ଓ କଟକ ୨୦.୨ ଡିଗ୍ରୀ ଥିଲା । ଭୁବନେଶ୍ୱରରେ  ପୂର୍ବ ରାତି ତୁଳନାରେ ୩.୮ ଡିଗ୍ରୀ ଓ କଟକରେ ୨.୬  ଡିଗ୍ରୀ କମିଛି ତାପମାତ୍ରା । ନଭେମ୍ବର ପହିଲାରୁ ଆଜି ସୁଦ୍ଧା  ଭୁବନେଶ୍ୱରରସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ କମିଛି।  ନଭେମ୍ବର ୧ରେ ୨୫ ଡିଗ୍ରୀ୨ ତାରିଖରେ ୨୪ ଡିଗ୍ରୀ୩ ତାରିଖରେ ୨୨.୬ ଡିଗ୍ରୀ, ୪ ତାରିଖରେ ୨୦.୮ ଡିଗ୍ରୀ  ଏବଂ ୫ ତାରିଖରେ ୧୭ ଡିଗ୍ରୀରେ ପହଞ୍ଚିଛି। 

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ  ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଏବେ ୧୦ ତାରିଖ  ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ୧୦  ତାରିଖ ପରେ ତାପମାତ୍ରା ଆହୁରି କମିବା ସହ ଶୀତ  ବଢ଼ିବ । ଚଳିତବର୍ଷ ଶୀତ ପ୍ରକୋପ ଅଧିକ ରହିପାରେ ।