ଭୁବନେଶ୍ୱର,୦୨/୦୯: ଉତ୍ତର ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ୨୪ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ମଙ୍ଗଳବାର କୋରାପୁଟ ଓ ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ନବରଙ୍ଗପୁର ଓ ନୂଆପଡ଼ାରେ ଭାରୀ ବର୍ଷା ଆଶଙ୍କା ଅଛି । ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ବୁଧବାର (୩ ତାରିଖ) ନବରଙ୍ଗପୁରରେ ପ୍ରବଳ ବର୍ଷା ଆଶଙ୍କା ଅଛି । ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କୋରାପୁଟରେ ଭାରୀ ବର୍ଷା ହୋଇପାରେ । ୪ ଓ ୫ ତାରିଖରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ସୋମବାର ପାରଳାଖେମୁଣ୍ଡିରେ ୧୫.୨ମିମି, ବୌଦ୍ଧରେ ୧୪ମିମି ଓ ଦାରିଙ୍ଗିବାଡ଼ିରେ ୫ମିମି ବର୍ଷା ହୋଇଛି ।