PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ବାତ୍ୟା ଫୁସ୍‌କିଲା , ଉଜୁଡ଼ିଲା ଚାଷ: ଉତ୍ତର ଓଡ଼ିଶାରେ ଅଧିକ ବର୍ଷିପାରେ, ତୃତୀୟ ସପ୍ତାହରେ ପୁଣି ଲଘୁଚାପ ସମ୍ଭାବନା

ଭୁବନେଶ୍ୱର,୦୫/୧୨: ବଡ଼ ବିପଦ ଟଳିଛି । ଆଉ ବାତ୍ୟା ଆଶଙ୍କା ନାହିଁ । ଯେଉଁ ଜୱାଦ ବାତ୍ୟାକୁ ନେଇ ସବୁ ଚିନ୍ତାରେ ଥିଲେ, ତାହା ଫୁସ୍‌କି ଗଲାଣି । ନା ଓଡ଼ିଶାରେ ମାଡ଼ ହେବ ନା ଘଷି ହୋଇଯିବ । ଓଡ଼ିଶା ଉପକୂଳରୁ ବହୁ ଦୂରରେ ଏହା ପଳେଇବ । ସେତେବେଳକୁ ତା’ର ବଳ ଅଧାରୁ ଅଧିକ ଖସି ଯାଇଥିବ । ଅତି ବେଶିରେ ଉପକୂଳ ଓଡ଼ିଶାରେ ୩୦-୪୦ କିମି ବେଗରେ ପବନ ହୋଇପାରେ ।

ବାତ୍ୟା ସିନା ଫୁସକିଲା, ହେଲେ ବର୍ଷା ଚାଷୀ ମୁଣ୍ଡରେ ଚଡ଼କ ପକାଇ ଦେଇଛି । ଏଯାଏଁ ଯେତିକି ବର୍ଷା ହେଲାଣି, ଆଉ ଯେତିକି ବର୍ଷା ହେବ, ସେଥିରେ ବ୍ୟାପକ କ୍ଷତିଗ୍ରସ୍ତ ହେବେ ଚାଷୀ । ଧାନରୁ ପନିପରିବା ଯାଏଁ ସବୁ ଉଜାଡ଼ି ଦେବ ଏ ଅଦିନିଆ ବର୍ଷା । ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଏକର ଏକର ଫସଲରେ ପାଣି ପଶି ବରବାଦ୍‌ କରିଛି । ପାଚି ଯାଇଥିବା ଧାନ ଗଛ ବର୍ଷାରେ ନଇଁ ତଳେ ଶୋଇପଡ଼ିଛି । ଉପକୂଳ ଓଡ଼ିଶାରେ ବର୍ଷା ନିଷ୍କାସନ ସମସ୍ୟା ଥିବାରୁ ବିଲ ନ ଶୁଖିବା ଯାଏଁ ତଳେ ପଡ଼ିପଡ଼ି ଧାନ ନଷ୍ଟ ହେବ । ବିଲ ନ ଶୁଖିବା ଆଗରୁ ଧାନ କାଟି ଖଳାକୁ ଆଣି ହେବନି । ପନିପରିବା ଜମିରେ ପାଣି ପଶିବାରୁ ଫସଲ ନଷ୍ଟ ହେବା ଆଶଙ୍କା ଦେଖା ଦେଇଛି ।

ଖାଲି ସେତିକି ନୁହେଁ, ବାତ୍ୟା ଆଶଙ୍କାରେ ଅନେକ ପନିପରିବା ଚାଷୀ ବିକଳ ହୋଇ ପନିପରିବାକୁ ଆଗୁଆ ତୋଳି ଅତି କମ୍‌ ମୂଲ୍ୟରେ ବିକିଛନ୍ତି । ୨ ଦିନ ତଳେ ଯେଉଁ ଫୁଲ କୋବି ଗୋଟା ୪୦ ଟଙ୍କା ଥିଲା, ଆଜି ସକାଳୁ ୧୦/୨୦ ଟଙ୍କାରେ ବିକ୍ରି କରିଥିଲେ ଚାଷୀ । ଏଭଳି ଭାବେ ଚାଷୀଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ଏ ବାତ୍ୟା ।

ଗତ ୨୪ ଘଣ୍ଟା ଭିତରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଯେତିକି ବର୍ଷା ହୋଇଛି, ସେଥିରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବର୍ଷା ଯୋଗୁ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ସମେତ ପାଶ୍ୱର୍ବର୍ତ୍ତୀ କଟକ, ନୟାଗଡ଼, ବୌଦ୍ଧ, ରାୟଗଡ଼ା, ଅନୁଗୁଳ, ଢେଙ୍କାନାଳ, ଯାଜପୁରରେ ବ୍ୟାପକ ଫସଲ ଏ ଅଦିନିଆ ବର୍ଷାରେ ବରବାଦ ହେବା ଆଶଙ୍କା ଦେଖା ଦେଇଛି ।

ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ଏହି ବର୍ଷାରେ କୃଷି କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ସମ୍ଭାବନା ରହିଛି । ଏକ ସପ୍ତାହ ଭିତରେ କ୍ଷୟକ୍ଷତିର ଆକଳନ କରାଯିବ । ଏହାକୁ ଆଧାର କରି ସରକାର ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ।ଜୱାଦ ଏବେ ଆଉ ବାତ୍ୟା ଅବସ୍ଥାରେ ନାହିଁ । ସନ୍ଧ୍ୟାରେ ଗଭୀର ଅବପାତ ଅବସ୍ଥାକୁ ଖସି ଆସିଛି । ଦ୍ରୁତ ଗତିରେ ଦୁର୍ବଳ ହେଉଥିବାବେଳେ ରବିବାର ସକାଳକୁ ଏହା ଅବପାତ (ଡିପ୍ରେସନ୍‌) ଅବସ୍ଥାକୁ ଚାଲି ଆସିଛି । ପବନ ପ୍ରଭାବ ଓଡ଼ିଶାରେ ବିଶେଷ ରହିବନି । ହେଲେ ବର୍ଷା ହେବ ।

ବାତ୍ୟା ଜୱାଦ ଗତିିପଥକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରିଥିଲେ । କୃଷି ପାଣିପାଗ ବୈଜ୍ଞାନିକ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ବାତ୍ୟା ସୃଷ୍ଟି ହେବା ନେଇପ୍ରଥମେ ପୂର୍ବାନୁମାନ କରିଥିଲେ । ସେ ପ୍ରଥମେ ଆକଳନ କରିଥିଲେ ଯେ ଏହି ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବ ନାହିଁ । ଓଡ଼ିଶା ଉପକୂଳରୁ ଦୂରରେ ଦୁର୍ବଳ ଅବସ୍ଥାରେ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡ଼କୁ ଯାଇପାରେ । ଏହି ଆକଳନ ବର୍ତ୍ତମାନ ଠିକ୍‌ ହେଉଥିବା ଲକ୍ଷ୍ୟ କରାଯାଇଛି ।

ଡକ୍ଟର ପଶୁପାଳକ କହିଛନ୍ତି, ଜୱାଦ ଓଡ଼ିଶା ଉପକୂଳର ସମାନ୍ତରାଳରେ ପ୍ରାୟ ୫୦ କିମିରୁ ଅଧିକ ଦୂରରେ ସମୁଦ୍ର ଭିତରେ ଦୁର୍ବଳ ହୋଇ ଗତି କରିବ । ରବିବାର ସନ୍ଧ୍ୟାରେ ପୁରୀଠାରୁ ପ୍ରାୟ ୭୦ କିମି ଦୂରରେ ସମୁଦ୍ର ଭିତରେ ଅବପାତ ଅବସ୍ଥାରେ ଥିବ । କେନ୍ଦ୍ରାପଡ଼ାର ଦୂରରେ ସମୁଦ୍ରରେ ଥିବାବେଳେ ଆହୁରି ଦୁର୍ବଳ ହୋଇ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶକୁ ମୁହାଁଇବ । ସେଠାରେ ପହଞ୍ଚିଲାବେଳକୁ ଏହା ଲଘୁଚାପ ଅବସ୍ଥାରେ ଥିବ କିମ୍ବା ତା’ ପୂର୍ବରୁ ସମୁଦ୍ରରେ ଲୀନ ହୋଇଯିବା ସମ୍ଭାବନା ଅଛି । ଭୁବନେଶ୍ୱର, ପୁରୀ, ପାରାଦୀପ, କେନ୍ଦ୍ରାପଡ଼ା, ବାସୁଦେବପୁରରେ ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଦକ୍ଷିଣ ଓଡ଼ିଶାରେ ରବିବାର ଯାଏଁ କୋହଲା ପାଗ ରହିବ । ଭୁବନେଶ୍ୱର ସମେତ ଉତ୍ତର ଉପକୂଳ ଏବଂ ସଲଗ୍ନ ଅଞ୍ଚଳରେ ସୋମବାର ଯାଏଁ କୋହଲା ପାଗ ଲାଗି ରହିପାରେ । ଗଞ୍ଜାମରେ ବାତ୍ୟାଜନିତ ସମୁଦାୟ ୫୦ରୁ ୬୦ ମିମି ବର୍ଷା, ପୁରୀ, ଖୋର୍ଦ୍ଧା ଓ ଭଦ୍ରକ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲା ଏବଂ ସଂଲଗ୍ନ ଅଞ୍ଚଳୂରେ ସମୁଦାୟ ୮୦-୯୦ ମିମି ବର୍ଷା ହୋଇପାରେ । ବାଲେଶ୍ୱର ଓ ମୟୂରଭଞ୍ଜରେ ୬୦-୭୦ ମିମି ବର୍ଷା ସମ୍ଭାବନା ଅଛି ।

ଡକ୍ଟର ପଶୁପାଳକ କହିଛନ୍ତି, ଡିସେମ୍ବର ତୃତୀୟ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଦକ୍ଷିଣ ଉପକୂଳ ପହଞ୍ଚିବା ପୂର୍ବରୁ ଦୁର୍ବଳ ହେବା ସମ୍ଭାବନା ରହିଛି । ଏ ନେଇ ୮ ତାରିଖ ପରେ ପ୍ରାଥମିକ ଆକଳନ କରାଯାଇପାରେ । ବର୍ତ୍ତମାନ ଯେତିକି ସଙ୍କେତ ମିଳିଛି, ଏହା ଓଡ଼ିଶାକୁ ପ୍ରଭାବିତ କରିବା ସମ୍ଭାବନା ନାହିଁ ।

ପାଣିପାଗ ବିଭାଗ କହିଛି, ରବିବାର ମଧ୍ୟାହ୍ନବେଳେ ଏହି ବାତ୍ୟା ଅବପାତ ଅବସ୍ଥାରେ ପୁରୀଠାରୁ ଦୂରରେ ସମୁଦ୍ର ଭିତରେ ଗତି କରୁଥିବ । କ୍ରମଶଃ ଦୁର୍ବଳ ହୋଇ ଏହା ଉତ୍ତର-ଉତ୍ତର ପୂର୍ବରେ ପଶ୍ଚିମବଙ୍ଗକୁ ମୁହଁ କରି ଯାଉଥିବ । ଓଡ଼ିଶାରେ ବଡ଼ ପ୍ରଭାବ ଆଉ ପଡ଼ିବନି । ରବିବାର ଉତ୍ତର ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା, ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସୋମବାର ବର୍ଷା ଉତ୍ତର ଓଡ଼ିଶାରେ ହେବ । ମାତ୍ର ବଡ଼ ବର୍ଷା ସମ୍ଭାବନା ନାହିଁ । ବିପଦ କମିଥିବାରୁ ସମସ୍ତ ବନ୍ଦରରେ ବିପଦ ସଙ୍କେତ ୩ ନମ୍ବରକୁ ହ୍ରାସ କରାଯାଇଛି ।

କୃଷି ପାଣିପାଗ ବିଶାରଦ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବାତ୍ୟା ଦୁର୍ବଳ ହେବାରୁ ପବନ ବେଶି ହେବନି । ତଥାପି ବର୍ଷା ଯୋଗୁ ଉପକୂଳର ଅନେକ ଜମିରେ ଧାନ ଗଛ ଶୋଇ ପଡ଼ିଛି । ପନିପରିବା ଚାଷ ବି ପ୍ରଭାବିତ ହୋଇଛି । ଚାଷୀ ଆଗୁଆ ପନିପରିବା ତୋଳି ଶସ୍ତାରେ ବିକିଛନ୍ତି ଅନେକ ସ୍ଥାନରେ । ତେଣୁ ଚାଷୀମାନେ ପ୍ରଭାବିତ ହୋଇଛନ୍ତି ।