ଶୁଖିଲା ଜୁନ୍, କଲବଲ କରିବ ଭୀଷଣ ତାତି: ଜୁନ୍ ୪ରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର୨୭/୦୫: ଡେରି କରିବ ମୌସୁମୀ । ଜୁନ୍ରେ ପାଗ ପ୍ରାୟତଃ ଶୁଖିଲା ରହିବ । ଅନ୍ୟପଟେ ତାତି ପ୍ରକୋପ ରଜ ପର୍ଯ୍ୟନ୍ତ ଲାଗି ରହିବ ଓଡ଼ିଶାରେ।
ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ନେଇ ପୂର୍ବାନୁମାନ ଜାରି ହୋଇଛି । ଏହି ଆକଳନ କହୁଛି, ଆସନ୍ତା ଜୁନ୍ ୪ ବେଳକୁ କେରଳ ଛୁଇଁପାରେ ମୌସୁମୀ । ଏଲ୍-ନିନୋ ପ୍ରଭାବ ସତ୍ତେ୍ୱ ଏଥର ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ମାତ୍ର ଜୁନ୍ରେ ଦେଶର ଅଧିକାଂଶ ଅଞ୍ଚଳରେ ବର୍ଷା ନିଅଣ୍ଟିଆ ରହିବା ଆଶଙ୍କା ଅଛି । ଓଡ଼ିଶାରେ ବି ବର୍ଷା ଅଭାବ ସ୍ଥିତି ରହିପାରେ ।
ଆଇଏମ୍ଡି ଜାରି କରିଥିବା ପୂର୍ବାନୁମାନ ଅନୁସାରେ କେନ୍ଦ୍ରୀୟ ଭାରତରେ ଏ ବର୍ଷ ମୌସୁମୀ ସ୍ୱାଭାବିକ ରହିବ । ଏହି କେନ୍ଦ୍ରୀୟ ଭାରତରେ ଓଡ଼ିଶା ଆସୁଛି । ସମ୍ଭାବ୍ୟ ଚିତ୍ରରୁ ଅନୁମାନ କରାଯାଉଛି, ଓଡ଼ିଶାରେ ଜୁନ୍ରୁ ସେପ୍ଟେମ୍ବର ଭିତରେ ବର୍ଷା ସ୍ୱାଭାବିକ ରହିପାରେ । ହେଲେ ଜୁନ୍ ମାସରେ ଓଡ଼ିଶାରେ ବର୍ଷା କମିଯିବା ଆଶଙ୍କା ଅଛି । ଏମିତି ହେଲେ ଚାଷ ବିଳମ୍ବିତ ହେବ । ବୁଣାବୁଣି, ରୁଆ ଡେରି ହୋଇପାରେ । ଖାଲି ସେତିକି ନୁହେଁ, ଜୁନ୍ରେ ତାତିର ଅସହ୍ୟ ପ୍ରକୋପ ଜାରି ରହିବ । ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଭୀଷଣ ଗ୍ରୀଷ୍ମ ପ୍ରକୋପ ଛଟପଟ କରିପାରେ ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ଏବର୍ଷ ମୌସୁମୀ ବିଳମ୍ବିତ ଓ ନିଅଣ୍ଟିଆ ରହିପାରେ । ସ୍ୱାଭାବିକ ଭାବେ ଜୁନ୍ ପହିଲାରେ ମୌସୁମୀ କେରଳ ଛୁଇଁବା କଥା । ମୌସୁମୀ ଏଯାଏ ଉତ୍ତର-ପୂର୍ବ ଏସିଆକୁ ଅଗ୍ରସର ହୋଇପାରୁନି । ସପ୍ତାହେ ହେଲାଣି ମୌସୁମୀର ବଙ୍ଗୋପସାଗରୀୟ ଶାଖା ଗୋଟିଏ ଜାଗାରେ ଅଟକିଛି । କେରଳରେ ଜୁନ୍ ପ୍ରଥମ ସପ୍ତାହରେ ମୌସୁମୀ ବର୍ଷା ହେଲେ ମଧ୍ୟ ଆରମ୍ଭରେ ଏହା ଦୁର୍ବଳ ରହିବ । ଚଳିତବର୍ଷ ଏଲ୍-ନିନୋ ପ୍ରଭାବ ୨୦୧୬ରୁ ଅଧିକ ରହିବା ନେଇ ବୈଜ୍ଞାନିକମାନେ ପୂର୍ବାନୁମାନ କରୁଛନ୍ତି ।
ଓଡ଼ିଶା ନେଇ ଡକ୍ଟର ପଶୁପାଳକ କହିଛନ୍ତି, ସ୍ୱାଭାବିକ ଭାବେ ଓଡ଼ିଶାରେ ଜୁନ୍ ୧୨ ସୁଦ୍ଧା ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ । ଚଳିତବର୍ଷ ଏହା ସପ୍ତାହେ କିମ୍ବା ତା’ଠାରୁ ଅଧିକ ଡେରି ହୋଇପାରେ । ରଜ ବେଳକୁ ପ୍ରାକ୍ ମୌସୁମୀ ବର୍ଷା ସମ୍ଭାବନା ଅଛି । ଜୁନ୍ ୧୯ ପରେ ଓଡ଼ିଶାରେ ମୌସୁମୀ ବର୍ଷା ହୋଇପାରେ । ଜୁନ୍ରେ ନିଅଣ୍ଟିଆ ସ୍ଥିତି ରହିବ । ଜୁଲାଇ ମାସକୁ ଛାଡ଼ିଲେ ବାକି ସବୁ ମାସରେ ରାଜ୍ୟରେ ବର୍ଷା ନିଅଣ୍ଟିଆ ରହିବ । ସେପ୍ଟେମ୍ବରରେ ନିଅଣ୍ଟିଆ ସ୍ଥିତି ବେଶି ରହିପାରେ । ସେ କହିଛନ୍ତି, ରଜ ପୂର୍ବରୁ ଓଡ଼ିଶାରେ ଗରମ ପ୍ରକୋପରୁ ବଡ଼ ତ୍ରାହି ମିଳିନପାରେ । ମଝିରେ ମଝିରେ କାଳବୈଶାଖୀ ଯୋଗୁ ତାତିରୁ ସାମୟିକ ଆଶ୍ୱସ୍ତି ମିଳିପାରେ ।
କାଳବୈଶାଖୀ ବର୍ଷା ଯୋଗୁ ଉପକୂଳ ସମେତ କେତେକ ଅଞ୍ଚଳରେ ଶୁକ୍ରବାର ତାପମାତ୍ରା ସାମାନ୍ୟ କମିଥିଲା । ମାତ୍ର ଗରମ ପ୍ରକୋପ ଏବେ ବିଶେଷ କମିନପାରେ । ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ୪ ଦିନ ତାତିରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଅଂଚଳରେ ପାରଦ ୪୨ ଡିଗ୍ରୀ ପାଖାପାଖି ରହିପାରେ ।
ଶୁକ୍ରବାର ବଲାଙ୍ଗିର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍, ବୌଦ୍ଧ ୪୨.୨, ସମ୍ବଲପୁର ୪୨.୪ ଡିଗ୍ରୀ ଥିଲା । ପଶ୍ଚିମ ଓ ଆଭ୍ୟନ୍ତରୀଣରେ ତାତି ପ୍ରକୋପ ଥମିନି । ଉପକୂଳ ୪୦ ଡିଗ୍ରୀ ତଳେ ରହିଥିଲା । ଶନିବାର କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, ସମ୍ବଲପୁର, କଳାହାଣ୍ଡି ସମେତ କେତେକ ଜାଗାରେ କାଳବୈଶାଖୀ ବର୍ଷା ହୋଇପାରେ । ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସହ ସଂଲଗ୍ନ ଜିଲ୍ଲାରେ ୪୦-୫୦ କିମି ବେଗରେ ପବନ, ବଜ୍ରପାତ ଆଶଙ୍କା ଅଛି । ୨-୩ ଦିନ କାଳବୈଶାଖୀ ସମ୍ଭାବନା ଅଛି ।
ଆଇଏମ୍ଡି ପୂର୍ବାନୁମାନ ଅନୁସାରେ, ଚଳିତବର୍ଷ ଦେଶରେ ମୌସୁମୀ ବର୍ଷା ୯୬%ରୁ ୧୦୪% ରହିବ, ଯାହାକି ସ୍ୱାଭାବିକ । ଉତ୍ତର-ପଶ୍ଚିମ ଭାରତରେ ୯୨% ବର୍ଷା ସମ୍ଭାବନା ଅଛି, ଯାହାକି ନିଅଣ୍ଟିଆ । ଜୁନ୍ରେ ଦେଶରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ । ପଞ୍ଜାବ, ହରିୟାଣା, ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ ପୂରା ମୌସୁମୀ ବେଳେ ୯୨% ବର୍ଷା ହୋଇପାରେ । ପ୍ରଶାନ୍ତ ମହାସାଗରରେ ଏଲ୍-ନିନୋ ପ୍ରଭାବରୁ ଚଳିତ ବର୍ଷ ମୌସୁମୀରେ କମ୍ ବର୍ଷା ହୋଇପାରେ ବୋଲି କେତେକ ପାଣିପାଗ ପୂର୍ବାନୁମାନ ସଂସ୍ଥା ଓ ବିଶେଷଜ୍ଞ ଆଶଙ୍କା କରିଥିଲେ ।
ଆମେରିକାର ନ୍ୟାସନାଲ ଓସେନିକ୍ ଆଣ୍ଡ ଆଟ୍ମୋସ୍ଫିୟରିକ୍ ଆଡ୍ମିନିଷ୍ଟ୍ରେଶନ (ଏନ୍ଓଏନ୍ଏ) ପକ୍ଷରୁ କୁହାଯାଇଥିଲା ଯେ ଭୂମଧ୍ୟରେଖୀୟ ପ୍ରଶାନ୍ତ ମହାସାଗରରେ ଏଲ୍ନିନୋ ପ୍ରଭାବ ଯୋଗୁ ବର୍ଷାର ପରିମାଣ କମି ୮୦% ହୋଇପାରେ । ଅନେକ ସ୍ଥାନରେ ବର୍ଷାରେ ଅସମାନତା ଦେଖାଦେଇପାରେ ବୋଲି କୁହାଯାଇଥିଲା । ଏଲ୍ ନିନୋ ପ୍ରଭାବ ସତ୍ତେ୍ୱ ଚଳିତ ମୌସୁମୀରେ ସ୍ୱାଭାବିକ ବର୍ଷା ହେବ ବୋଲି ଆଇଏମ୍ଡି ଆଶ୍ୱସ୍ତିକର ଖବର ଦେଇଛି ।