ଜୁନ୍ ୧୦ ଯାଏ ତାତିରୁ ତ୍ରାହି ନାହିଁ ,୨ରେ ଭୁବନେଶ୍ୱର ୪୫ ଡିଗ୍ରୀ ଛୁଇଁପାରେ ପାରଦ: କାଳବୈଶାଖୀ ଆଣିବ ସାମୟିକ ଆଶ୍ୱସ୍ତି

ଭୁବନେଶ୍ୱର,୨୫/୦୫: ମୌସୁମୀର ଚିହ୍ନବର୍ଣ୍ଣ ନାହିଁ । କେଉଁଠି ହଜି ଯାଇିଛି । ମୌସୁମୀର ଉତ୍ତର ଶାଖା ଦକ୍ଷିଣ ଆଣ୍ଡାମାନରେ ଅଟକି ରହିଛି ଗତ ୫ ଦିନ ହେଲା । ଦକ୍ଷିଣ ଅର୍ଥାତ୍ କେରଳ ପଟ ଶାଖା ବିଷୁବ ରେଖା ପାଖରୁ ଇଞ୍ଚେ ବି ଆଗକୁ ଘୁଞ୍ଚିନି । ପବନ ଦିଗ ବି ବଦଳୁ ନାହିଁ । ବଙ୍ଗୋପସାଗର ପଟୁ ନୁହେଁ, ପଶ୍ଚିମ ଭାରତରୁ ତତଲା ପବନ ସିଧା ମାଡ଼ ହେଉଛି । ବ୍ଲାଷ୍ଟ ଫର୍ଣ୍ଣେସ୍ ଭଳି ସ୍ଥିତି ସାରା ରାଜ୍ୟରେ ।
ପାଣିପାଗ ପୂର୍ବାନୁମାନ କହୁଛି, ଆଗକୁ ବି ଏଭଳି ସ୍ଥିତିରୁ ଏଥିରୁ ତ୍ରାହି ନାହିଁ ଜୁନ୍ ୧୦ ଯାଏ । ପ୍ରାକ୍ ମୌସୁମୀ ବର୍ଷା ନାହିଁ । ୨-୩ ଦିନ ପରେ ତାତି ସାମାନ୍ୟ କମିପାରେ । କାଳବୈଶାଖୀ ବର୍ଷା ସମ୍ଭାବନା ବି ରହିଛି । ହେଲେ ସାମୟିକ ଆଶ୍ୱସ୍ତି ପରେ ପୁଣି ପ୍ରବାହ ବିସ୍ତାର କରିବ ତାତିର ପ୍ରକୋପ । ଆହୁରି ଅଧିକ ଜଳେଇବ । ଜୁନ୍ ୧ କିମ୍ବା ୨ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ତାତି ୪୪ କିମ୍ବା ୪୫ ଡିଗ୍ରୀ ଛୁଇଁପାରେ ।
ଆକାଶରୁ ନିଆଁ ବର୍ଷୁଛି । ଶୁଖିଲା ମାଟିରୁ ଗରମ ହୁଳା ବାହାରୁଛି । କାନ୍ଥ, ଚଟାଣ ତାତି ନିଆଁ । ଦିନ ଜଳାଉଛି, ରାତି ତାପାମାତ୍ରା ୨୭/୨୮ ଡିଗ୍ରୀ ସେଲ୍ସିୟ ପଦାରେ । ଘରେ ୩୨ରୁ ୩୩ ଡିଗ୍ରୀ । ସକାଳ ବାତାବରଣ ଥଣ୍ଡା ହେବା ଆଗରୁ ଟାଏଁ ଟାଏଁ ଖରା ମାଡ଼ି ଆସୁଛି ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ଜୁନ୍ ପ୍ରଥମ ସପ୍ତାହରେ ମୌସୁମୀର ଆରବସାଗର ଶାଖା କେରଳ, କର୍ଣ୍ଣାଟକର ସମୁଦ୍ର ତଟବର୍ତ୍ତୀ ଉପକୂଳରେ କିଛି ବର୍ଷା କରାଇପାରେ । ହେଲେ ମୌସୁମୀ ବିଶେଷ ବର୍ଷା ହେବନି । ଅପରପକ୍ଷରେ ମୌସୁମୀର ବଙ୍ଗୋପସାଗରୀୟ ଶାଖା ଗତ ୧୯ ତାରିଖରୁ ଆଗକୁ ବଢ଼ୁନାହିଁ । ମିଆଁମାର, ଥାଇଲାଣ୍ଡ, ଭିଏତନାମ ଆଗକୁ ଯାଇପାରୁନି ମୌସୁମୀ । ଜୁନ୍ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଏକ ଅବପାତ ସୃଷ୍ଟି ହୋଇପାରେ । ଏହା ମିଆଁମାର, ଉତ୍ତର-ପୂର୍ବ ଭାରତରେ ବର୍ଷା କରାଇପାରେ । ମାତ୍ର ପୂର୍ବ ଭାରତ ଉପକୂଳରେ ବର୍ଷା ହେବ ନାହିଁ । ତାମିଲନାଡ଼ୁ, ଆନ୍ଧ୍ର, ଓଡ଼ିଶା, ପଶ୍ଚିମବଙ୍ଗରେ ୧୦ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନାହିଁ । ତେଣୁ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଗରମ କମିବା ସମ୍ଭାବନା କମ୍ ।
ସେ କହିଛନ୍ତି, ଆସନ୍ତା ୨୬ରୁ ୨୮ ତାରିଖ ଭିତରେ ସ୍ଥାନେ ସ୍ଥାନେ କାଳବୈଶାଖୀ ହୋଇପାରେ । କେନ୍ଦ୍ରୀୟ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ସେହି ସମୟରେ କୁଆପଥର ବର୍ଷା ସମ୍ଭାବନା ଅଛି । ୨୬ରେ ପଶ୍ଚିମ ଓଡ଼ିଶା, ୨୭ରେ ଉତ୍ତର ଓଡ଼ିଶା ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ । ହେଲେ ୩ ଦିନ ପରେ ପୁଣି ତାତି ବଢ଼ିବ । ଭୁବନେଶ୍ୱର ଏବଂ ସଂଲଗ୍ନ ଅଞ୍ଚଳରେ ୨୬ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବ । ୨୭ରୁ ୨୯ ତାରିଖ ମଧ୍ୟରେ ୪୦ ଡିଗ୍ରୀ ଓ ୩୦ ମେ’ରୁ ୧ ଜୁନ୍ ପର୍ଯ୍ୟନ୍ତ ୩୮ ଡିଗ୍ରୀ ରହିପାରେ । ୨ ଜୁନରୁ ପୁଣି ୪୦ ଟପିପାରେ । ଆଭ୍ୟନ୍ତରୀଣ କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାରେ ଗରମରୁ ନିସ୍ତାର ନାହିଁ । ୨୭-୨୮ରେ ଏ ଅଂଚଳରେ ତାତି ସାମାନ୍ୟ କମିପାରେ । ହେଲେ ୨୯ରୁ ପୁଣି ବଢ଼ିବ ।
ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, ରାଜ୍ୟରେ ତାତି ଜାରି ରହିବ । କାଳବୈଶାଖୀ ପ୍ରତିଦିନ ହେବ, ମାତ୍ର ବିସ୍ତୃତ ଅଞ୍ଚଳରେ ବର୍ଷା ହେବନି । ଖରା ଏତେ ଟାଣ ରହିବ ଯେ ଅଳ୍ପ ଅଞ୍ଚଳର ବର୍ଷା ହେଲେ ମଧ୍ୟ ତାତିରୁ ବିଶେଷ ଆଶ୍ୱସ୍ତି ଦେଇନପାରେ । ଆସନ୍ତା ୨୯/୩୦ ତାରିଖରେ କାଳବୈଶାଖୀ ବଢ଼ିବା ସହ ତାତି କମିପାରେ । ମାତ୍ର ଏହାପରେ ପୁଣି ଗରମ ବଢ଼ିବ ।
ଜୁନ୍ ପହିଲାରୁ ଉପକୂଳରେ ଗୁଳୁଗୁଳି ଭୀଷଣ ହେବ । ଏଭଳିକି ଆଭ୍ୟନ୍ତରୀଣ ଅଞ୍ଚଳଠାରୁ ଉପକୂଳରେ ସେ ସମୟରେ ଅଧିକ ଗରମ ଅନୁଭୂତ ହୋଇପାରେ । ଜୁନ୍ ୨ ତାରିଖବେଳକୁ ଭୁବନେଶ୍ୱର ତାପମାତ୍ରା ୪୪-୪୫ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ । ବର୍ତ୍ତମାନ ଆକଳନ ଅନୁସାରେ ଜୁନ୍ ୬ ପର୍ଯ୍ୟନ୍ତ ତାତିରୁ ସେଭଳି ତ୍ରାହି ଆଶା ଦେଖାଯାଉନି ।
ରାଜ୍ୟରେ ଏବେ ଅସମ୍ଭାଳ ଗରମ । ବୁଧବାର ନୂଆପଡ଼ା ୪୪ ଡିଗ୍ରୀ ସେଲସିୟସ୍ରେ ଭାଜି ହୋଇଗଲା । ଝାରସୁଗୁଡ଼ା, ତାଳଚେର, ଅନୁଗୁଳ ୪୩ ଡିଗ୍ରୀରୁ ଅଧିକ ତାତିରେ ସିଝିଲେ । ସମ୍ବଲପୁର ୪୨.୯, ଭୁବନେଶ୍ୱର ୪୨.୮, ସୋନପୁର ୪୨.୫, ରାଉରକେଲା ୪୨.୪, ଢେଙ୍କାନାଳ ୪୨.୩ ଡିଗ୍ରୀ ସେଲସିୟସରେ ଝାଇଁ ପଡ଼ିଗଲେ ।
୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି । ୯ଟି ସହର ୪୨ ଡିଗ୍ରୀ ଉପରେ ଥିଲା । ଏହାବାଦ୍ ଅନେକ ସହରରେ ପାରଦ ୩୯-୩୮ ଡିଗ୍ରୀ ପାଖାପାଖି ରହିଛି । ପାଣିପାଗ ବିଭାଗର ଆକଳନ ହେଲା, ୨-୩ ଦିନ ପର୍ଯ୍ୟନ୍ତ ଏଭଳି ଅସ୍ୱାଭାବିକ ଗରମ ଜାରି ରହିବ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ପଦାକୁ ଯିବାବେଳେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ ।