ତାତିରୁ ମିଳିପାରେ ଆଶ୍ୱସ୍ତି ! ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୩/୦୫: ତାତିରୁ ମିଳିବନି ନିସ୍ତାର। ଆଗକୁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାତି ଅସମ୍ଭାଳ ହେବ।ସୋମବାର ରାଜ୍ୟର ୮ ସହରର ତାତି ୪୨ ଡିଗ୍ରୀ ଉପରେ ଥିଲା । ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ଦିନ ତାପମାତ୍ରା ୪୩.୩ ଡିଗ୍ରୀ ଥିଲା ।
ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨-୪୩ ଡିଗ୍ରୀ ରହିବ । ଉପକୂଳ ଓଡ଼ିଶାରେ ବି ତାତିରୁ ତ୍ରାହି ମିଳିବନି । ମଙ୍ଗଳବାର ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସୋମବାର ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା ଓ ବରଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ଥିଲା । ବୌଦ୍ଧରେ ତାପମାତ୍ରା ୪୩ ଡିଗ୍ରୀ ରହିଛି । ହୀରାକୁଦରେ ୪୨.୬, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।