ଶୀତ ଗାଏବ : ମାଘରୁ ଜାଳିଲାଣି ଖରା, ଦିନ ତାପମାତ୍ରା ଆହୁରି ବଢ଼ିବ

ଭୁବନେଶ୍ୱର,୨୬/୦୧: ମାଘରୁ ମାଡ଼ି ଆସିଲାଣି ଖରା । ଏବେ ମାଘରେ ବାଘ ଭଳି ଶୀତ ହେବା କଥା । କିନ୍ତୁ ଶୀତ ଗାଏବ । ଓଲଟା ଦିନରେ ଖରା ଜଳାଇଲାଣି । ଦିନ ସମୟରେ ପ୍ରବଳ ଖରା ଓ ତାତି ଗ୍ରୀଷ୍ମର ଭ୍ରମ ସୃଷ୍ଟି କରୁଛି । ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହୁଛି । ସୁନ୍ଦରଗଡ଼ରେ ସର୍ବାଧିକ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସମ୍ବଲପୁରରେ ଦିନ ତାପମାତ୍ରା ୩୩.୭ ଡିଗ୍ରୀ ରହିଛି । ଝାରସୁଗୁଡ଼ାରେ ୩୩.୪, ଅନୁଗୁଳରେ ୩୩.୧, ଭୁବନେଶ୍ୱରରେ ୩୨.୯, ଟିଟିଲାଗଡ଼ରେ ୩୨.୮, ନବରଙ୍ଗପୁରରେ ୩୨.୬, ଭବାନୀପାଟଣାରେ ୩୨.୫, ହୀରାକୁଦରେ ୩୨.୧, ସୋନପୁରରେ ୩୨, ଭଦ୍ରକରେ ୩୨ ଓ ତାଳଚେରରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାଭାବିକଠାରୁ ପ୍ରାୟ ୪ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ସମ୍ବଲପୁରରେ ଦିନବେଳା ତାପମାତ୍ରା ସ୍ୱାଭାବିକଠାରୁ ପାଖାପାଖି ୬ ଡିଗ୍ରୀ ଅଧିକ ଅଛି । ଝାରସୁଗୁଡ଼ାରେ ୫.୨, ବାରିପଦାରେ ୪.୬, କେନ୍ଦୁଝରରେ ୪.୧, ଭୁବନେଶ୍ୱରରେ ୩.୮ ଡିଗ୍ରୀ, ସୁନ୍ଦରଗଡ଼ରେ ୩.୮, ବାଲେଶ୍ୱରରେ ୩.୮ ଓ ଫୁଲବାଣୀରେ ୩.୭ ଡିଗ୍ରୀ ତାପମାତ୍ରା ଅଧିକ ରହିଛି ।
ଏବେ ଦିନ ତାପମାତ୍ରା ଅଧିକ ରହିବ । ଉପକୂଳ ଓଡ଼ିଶାରେ ଆସନ୍ତା ଦୁଇ ଦିନରେ ଏହା ଆହୁରି ବଢ଼ିବ । ଆଭ୍ୟନ୍ତରୀଣ ଦକ୍ଷିଣରେ ୧.୫ ଡିଗ୍ରୀ ବଢ଼ିପାରେ । ତେବେ ୨୯ ପରେ ପାଗ ବଦଳିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ରାଜ୍ୟକୁ ସାମୁଦ୍ରିକ ବାୟୁ ପ୍ରବେଶ କରିପାରୁନି । ଏଥିପାଇଁ ଦିନରେ ତାପମାତ୍ରା ଅଧିକ ରହୁଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି। ବାୟୁମଣ୍ଡଳରେ ଜଳୀୟବାଷ୍ପ ମାତ୍ରା କମିଛି । ଏଥିପାଇଁ ତାପମାତ୍ରା ବଢ଼ିଯାଇଛି ବୋଲି ସେ କହିଛନ୍ତି । ଉତ୍ତର ଭାରତରେ ପଶ୍ଚିମା ଝଡ଼ ଅଧିକ ସକ୍ରିୟ ହୋଇ ଓଡ଼ିଶା ଉପରେ ପ୍ରଭାବ ପକାଇବ ବୋଲି ଆକଳନ ଥିଲା । କିନ୍ତୁ ଆକଳନ ମୁତାବକ ଏହା ସକ୍ରିୟ ହେଉନି । ଏଥିପାଇଁ ୨୯ରୁ ରାଜ୍ୟରେ ପାଗ ବଦଳିବା ସମ୍ଭାବନା କମ୍ ବୋଲି ସେ କହିଛନ୍ତି ।
ରାଜ୍ୟର ପ୍ରାୟ ୧୫ ସ୍ଥାନର ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ରହିଛି । ଜି.ଉଦୟଗିରିରେ ସବୁଠୁ କମ୍ ୭.୨ ଡିଗ୍ରୀ ରେକର୍ଡ ହୋଇଛି । କୋରାପୁଟରେ ୮, ସେମିଳିଗୁଡ଼ାରେ ୮.୧, ଫୁଲବାଣୀରେ ୧୦, ଦାରିଙ୍ଗିବାଡ଼ିରେ ୧୧, କିରେଇରେ ୧୧.୬, ରାଉରକେଲାରେ ୧୨.୫ ଓ ସୁନ୍ଦରଗଡ଼ରେ ୧୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।