ଆଜିଠୁ ବର୍ଷା କମିବ, ମାସ ଅଧାରୁ ବଢ଼ିବ ତାତି

ଭୁବନେଶ୍ୱର,୦୨/୦୪: ଢେର ବର୍ଷା ହୋଇଗଲା ମାର୍ଚ୍ଚ ମାସରେ । ଯେତିକି ହେବା କଥା ତା’ଠାରୁ ୨୩୯% ଅଧିକ ବର୍ଷା ରେକର୍ଡ ହୋଇଛି ଓଡ଼ିଶାରେ। ଏମିତି ବର୍ଷା ଲାଗି ରହିଛି, ଏଯାଏଁ ଗ୍ରୀଷ୍ମ କୋପ ଅନୁଭୂତ ହୋଇନି । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଯାହା, ଏବେ ପାଗ କ୍ରମଶଃ ବଦଳିବ। ରବିବାରଠାରୁ ବର୍ଷା କମିବା ସହ କାଁ ଭାଁ ହେବ । ମାସର ଅଧାରୁ ଖରା ପକୋପ ବଢ଼ିବ । ଏ ବର୍ଷ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇପାରେ । ଦିନର ତାତି ପ୍ରାୟତଃ ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ରହିବ ।
ଶୁକ୍ରବାର ରାତିରେ ବହୁ ଜାଗାରେ ପ୍ରବଳ ବର୍ଷା ହୋଇଛି । ଶନିବାର ରାଜ୍ୟର ଅନେକ ଜାଗାରେ ବର୍ଷା ହୋଇଛି । ପାଗ ପୂରା ମେଘୁଆ ଥିଲା । ରଜ ଭଳି ପାଗ ଅନୁଭୂତ ହୋଇଛି । ବାଲେଶ୍ୱର, ପାରାଦୀପ, କଟକ, ପୁରୀ, ଭୁବନେଶ୍ୱରରେ ତୁହାକୁ ତୁହା ବର୍ଷା ହୋଇଥିବାବେଳେ ଗୋପାଳପୁରରେ ଦିନ ଭିତରେ ସର୍ବାଧିକ ୮୭.୨ ମିଲିମିଟର ବର୍ଷା ହୋଇଛି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସ କହିଛନ୍ତି, ରବିବାର ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ଏବଂ ଦକ୍ଷିଣ ଓଡ଼ିଶାର ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ। ରାଜ୍ୟରେ ପାଗ ମୁଖ୍ୟତଃ ଖରାଟିଆ ରହିବ । ମଝିରେ ମଝିରେ ଗୋଟିଏ ଦୁଇଟି ଜାଗାରେ ବର୍ଷା ସମ୍ଭାବନା ଅଛି। ଆସନ୍ତା ୪-୫ ଦିନ ଏଭଳି ପାଗ ରହିବ। ତାପମାତ୍ରା ପ୍ରାୟତଃ ଏବେ ସ୍ୱାଭାବିକଠାରୁ କମ୍ ଥିବାବେଳେ କ୍ରମଶଃ ବଢ଼ିବ । ମାସ ଅଧାରୁ ତାତି ଅଧିକ ଅନୂଭୂତ ହୋଇପାରେ ।