ତାତିରୁ ମିଳିଲା ଆଶ୍ୱସ୍ତି, ବର୍ଷାରେ ଭିଜିଲା ଓଡ଼ିଶା: ଆସନ୍ତା ୨୨ ଯାଏ ବର୍ଷିବ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର ୧୯/୦୩: ଆସନ୍ତା ୨୨ ତାରିଖ ଯାଏ ରାଜ୍ୟରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି । ୧୯ରେ ଅଧିକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୨୦ରେ ବି ବର୍ଷା ହେବ । ୨୧ ଓ ୨୨ରେ ଅଳ୍ପ କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି ।
ଅକ୍ଟୋବରରୁ ବର୍ଷା ଗାଏବ ଥିଲା । ମାର୍ଚ୍ଚ ଆରମ୍ଭରୁ ତାତି ବଢ଼ି ଯାଇଥିଲା । କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାଖରେ ପହଞ୍ଚିଥିଲା । ବର୍ଷା ଅନୁପସ୍ଥିତିରେ ଜଙ୍ଗଲ ନିଆଁ ବେକାବୁ ଆଡ଼କୁ ଯାଉଥିଲା । ସ୍ଥିତି ବିଗିଡ଼ିବା ଆଗରୁ ବଡ଼ ଆଶ୍ୱସ୍ତି ଆଣିଛି ବର୍ଷା । ଛତିଶଗଡ଼ ଉପରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ପୂରା ରାଜ୍ୟରେ ବର୍ଷିଛି । ଝଡ଼ ପବନ ସାଙ୍ଗକୁ ଘନ ଘନ ବଜ୍ରପାତର ମାଡ଼ ସମସ୍ତଙ୍କୁ ଡରାଇଛି ।
ଶନିବାର ବିଭିନ୍ନ ସ୍ଥାନରେ ଅପରାହ୍ନରୁ ବର୍ଷା ଆରମ୍ଭ ହୋଇଯାଇଥିଲା । ବର୍ଷା ସହ କୁଆପଥର ପଡ଼ିଛି । ମୟୂରଭଞ୍ଜରେ ଦିନ ୨ଟାରୁ ବର୍ଷା ପବନ ଆରମ୍ଭ ହୋଇ ଯାଇଥିଲା । କିଛି ସ୍ଥାନରେ ପ୍ରାୟ ୮୦କିମି ବେଗରେ ପବନ ବହିଥିଲା । ସୋରଡ଼ା, ଚିତ୍ରଡ଼ା, ରାସଗୋବିନ୍ଦପୁରରେ ଭାରୀ ବର୍ଷା ହୋଇଥିଲା । ସନ୍ଧ୍ୟାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଣି ବର୍ଷିଛି । ସମ୍ବଲପୁର ଚିପିଲିମାରେ ପ୍ରାୟ ୭୦ରୁ ୮୦ କିମି ବେଗରେ ପବନ ବହିଛି । ଜିଲ୍ଲାରେ ବର୍ଷା, ପବନ ହୋଇଥିଲା । ପବନ ଯୋଗୁ କିଛି ସ୍ଥାନରେ ଗଛ ଡ଼ାଳ ଭାଙ୍ଗି ପଡ଼ିଛି ।
ଅଧିକାଂଶ ସ୍ଥାନରେ ବର୍ଷା ସାଙ୍ଗକୁ ଜୋର୍ରେ ପବନ ବହିଛି । ୫୦ରୁ ୭୦ କିମି ବେଗରେ ପବନ ବହିଛି । ଝଡ଼ ତୋଫାନ ସହ ବିଜୁଳି ଓ ଘଡ଼ଘଡ଼ିର ଗର୍ଜନ ଛାତି ଥରାଇଛି । ଭୁବନେଶ୍ୱର ଓ କଟକରେ ଭାରୀ ବର୍ଷା ହୋଇଛି । ଜୋର୍ରେ ପବନ ବହିବା ସହ ବଜ୍ରପାତ ଗର୍ଜିଛି । ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ସ୍ଥାନରେ ଜୋର୍ରେ ବର୍ଷା ହୋଇଛି ।
ବଲାଙ୍ଗୀର ତୁଷୁରା ଥାନା ତାପସୁଗୁଡ଼ା ଗାଁରେ ବଜ୍ରପାତ ମାଡ଼ରେ କ୍ରିକେଟ୍ ଖେଳୁଥିବା ଜଣେ ଯୁବକର ମୃତ୍ୟୁ ହୋଇଛି । ବାଲେଶ୍ୱର ନୀଳଗିରିରେ ବଜ୍ରପାତ ଆଘାତରେ ୧୩ ଗୋରୁଙ୍କର ମୃତ୍ୟୁ ହୋଇଛି । ୧୨ ଗୋରୁ ଗୁରୁତର ହୋଇଛନ୍ତି । ପବନରେ କାନ୍ଥ ଭାଙ୍ଗି ପଡ଼ିବାରୁ ଚାପି ହୋଇ ଜଣେ ଶିଶୁକନ୍ୟାର ମୃତ୍ୟୁ ହୋଇଛି । ମାଲକାନଗିରି ପଡ଼ିଆ ବ୍ଲକ୍ ମେଟାଗୁଡ଼ା ଗାଁରେ ଏହି ଅଘଟଣ ଘଟିଛି । ଶିଶୁଟିର ବାପା ଓ ମା’ ଆହତ ହୋଇଛନ୍ତି । କନ୍ଧମାଳ ରାଇକିଆ ବ୍ଲକ୍ ମଣ୍ଡାଗୁଡ଼ା ଗାଁରେ ଗଛ ପଡ଼ିବା ଯୋଗୁ ରାସ୍ତା ଅବରୋଧ ହୋଇଛି । ରାୟଗଡ଼ାର କାଶୀପୁରରେ ପ୍ରବଳ କୁଆପଥର ବର୍ଷା ହୋଇଛି। ରାସ୍ତା ପ୍ରାୟ ୧ ଫୁଟ ଉଚ୍ଚର କୁଆପଥର ଆସ୍ତରଣ ଜମିଥିଲା । ଜଣେ ମହିଳାଙ୍କ ମୁଣ୍ଡରେ କୁଆପଥର ପଡ଼ିବାରୁ ସେ ଗୁରୁତର ହୋଇଛନ୍ତି ।
ବାଲେଶ୍ୱରର ସବୁ ବ୍ଲକ୍ରେ ପ୍ରବଳ ବର୍ଷିଛି । ଅପରାହ୍ନ ସାଢ଼େ ୩ଟାରୁ କୁଆପଥର ସହ ବର୍ଷା ହୋଇଛି । ପ୍ରାୟ ଘଣ୍ଟାଏ ୧୫ମିନିଟ୍ ଯାଏ ଜୋର୍ରେ ବର୍ଷିଛି । ଜୋର୍ରେ ପବନ ବି ବହିଛି । ସୁନ୍ଦରଗଡ଼, ବଲାଙ୍ଗୀର ଓ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଛି । କଳାହାଣ୍ଡିରେ ମଧ୍ୟମ ଧରଣର ବର୍ଷା ହୋଇଛି । କିଛି ସମୟ ପାଇଁ ଜୋର୍ରେ ପବନ ବହିଥିଲା । ଯାଜପୁର ଓ ଭଦ୍ରକରେ ପ୍ରବଳ ବର୍ଷିଛି ।
ବରଗଡ଼ ଜିଲ୍ଲାରେ ବର୍ଷା, ପବନ ହୋଇଛି । ପ୍ରାୟ ଦୁଇ ଘଣ୍ଟା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା । ବୌଦ୍ଧ, ନୂଆପଡ଼ା ଓ ରାଉରକେଲା, କନ୍ଧମାଳ, ନୟାଗଡ଼, ପୁରୀ, ଭଦ୍ରକ, ଜଗତସିଂହପୁର, ଯାଜପୁର, ନୂଆପଡା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ରାୟଗଡ଼ା, ଗଜପତି, ମାଲକାନଗିରିରେ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ହୋଇଛି ।
ରବିବାର ଓ ସୋମବାର ପାଇଁ ମଧ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ପାଇଁ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ ପବନ ବହିବ ।
ଆସନ୍ତା ୨୦ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ ଓ ତାପମାତ୍ରା କମିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ଖୋର୍ଦ୍ଧା, ପୁରୀ, ନୟାଗଡ଼, ଅନୁଗୁଳ, କଟକ, ଦେବଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ। ଢେଙ୍କାନାଳ ଓ ନୟାଗଡ଼ରେ ୪୦ମିମି ଯାଏ ବର୍ଷା ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ୧୯ ଓ ୨୦ରେ ବାଲେଶ୍ୱରରେ ୩୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାରେ ବି ବର୍ଷା ସମ୍ଭାବନା ଅଛି । ଭୁବନେଶ୍ୱରରେ ୧୯ରେ ଅଧିକ ବର୍ଷା ହେବ । ଖୋର୍ଦ୍ଧା ଓ ଏହାକୁ ଲାଗିଥିବା ଜିଲ୍ଲାରେ ଆସନ୍ତା ଦୁଇ ଦିନ ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।