ଭୁବନେଶ୍ୱର,୧୭/୧୨: ୫ ଦିନ ହେଲାଣି ଅସ୍ତବ୍ୟସ୍ତ କରୁଥିଲା ଶୀତ । ପୂରା ରାଜ୍ୟ ହାଡ଼ଭଙ୍ଗା ଶୀତରେ ଥରୁଥିଲା । ଅନେକ ସହର  ୧୦ ଡିଗ୍ରୀ ସେଲସିୟସ୍‌ ତଳକୁ ଖସି ଆସିଥିଲା । ହେଲେ ମଙ୍ଗଳବାର ରାତିରୁ ଏଭଳି ସ୍ଥିତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ଶୀତ କମିବ । ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିଯିବ । ପାଣିପାଗ  ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି । 

ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ  ଶୀତ ଲହରୀ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ସୋମବାର  ସକାଳୁ ଅସମ୍ଭାଳ ଶୀତ ଅନୁଭୂତ ହୋଇଥିଲା । ଜି ଉଦୟଗିରିରେ  ପାରଦ ୫ ଡିଗ୍ରୀ ତଳକୁ ଖସିଥିଲା । ଏଠାରେ  ପାରଦ ୪.୮ ଡିଗ୍ରୀ ରେକର୍ଡ ହୋଇଛି । ୧୨  ସହରରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ  ଖସିଛି । ରାଉରକେଲାରେ ସର୍ବନିମ୍ନ ୫.୭ ଡିଗ୍ରୀ  ଓ ଫୁଲବାଣୀରେ ୭ଡିଗ୍ରୀ ରେକର୍ଡ ହୋଇଛି । 

ମଙ୍ଗଳବାର ସକାଳ ଯାଏ ଶୀତ ଜାରି  ରହିବ । କିନ୍ତୁ ରାତିରେ ତାପମାତ୍ରା କ୍ରମଶଃ  ବଢ଼ିଯିବ । ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ  ରାତି ତାପମାତ୍ରା ବଢ଼ିବ । ୧୭ରୁ ୨୦ ତାରିଖ  ଯାଏ ରାତି ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିଯିବ  ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ  କରିଛନ୍ତି । ଭୁବନେଶ୍ୱର ସମେତ ଉପକୂଳ  ଓଡ଼ିଶାରେ ମଙ୍ଗଳବାର ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିଯିବ । ୧୮ ତାରିଖ ରାତିରେ ଏ ସବୁ  ସ୍ଥାନରେ ଆଉ ୩ ଡିଗ୍ରୀ ବଢ଼ିବ । ୨୦ ତାରିଖ ଯାଏ  ତାପମାତ୍ରା ପ୍ରାୟ ୬ ଡିଗ୍ରୀ ବଢ଼ିବ । 

ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଙ୍ଗଳବାର ରାତିରୁ ତାପମାତ୍ରା ୨ ଡିଗ୍ରୀ  ବଢ଼ିବ । ୧୯ ତାରିଖ ରାତିରେ ଆଉ ୨ ଡିଗ୍ରୀ ବଢ଼ିବ । ୨୦ ତାରିଖ ରାତିରେ  ଆଉ ୧ ଡିଗ୍ରୀ ବଢ଼ିପାରେ । ସେହିଭଳି ଉତ୍ତର ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ  ୧୭ ତାରିଖରେ ତାପମାତ୍ରା ୨ ଡିଗ୍ରୀ ବଢ଼ିପାରେ । ୨୦ ତାରିଖରେ ଆଉ ୧ ଡିଗ୍ରୀ  ବଢ଼ିବା ସମ୍ଭାବନା ଅଛି ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି । 

୨୧ତାରିଖରୁ ଶୀତ ପୁଣି ଲେଉଟିବ ବୋଲି ସେ କହିଛନ୍ତି । ରାଜ୍ୟର  ପ୍ରାୟ ସବୁ ସ୍ଥାନରେ ରାତି ତାପମାତ୍ରା ୩ ଡିଗ୍ରୀ କମିବ । ଫଳରେ ପୁଣି  ଶୀତ ଅନୁଭୂତ ହେବ । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି ।  ଏଥିପାଇଁ ୧୯ ଓ ୨୦ ତାରିଖରେ ପାଗ ମେଘୁଆ ରହିବ । କିଛି ସ୍ଥାନରେ  ହାଲୁକା ଓ ବୁନ୍ଦା ବର୍ଷା ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି । 

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡା. ମନୋରମା  ମହାନ୍ତି କହିଛନ୍ତି, ମଙ୍ଗଳବାର ରାତିରୁ ତାପମାତ୍ରା କ୍ରମଶଃ ବଢ଼ିବ । ଆସନ୍ତା  ୪ ଦିନରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବ । ମଙ୍ଗଳବାର ଗଞ୍ଜାମ ଓ  ଗଜପତିରେ ହାଲୁକା ବର୍ଷା ହୋଇପାରେ । ୧୮ ଓ ୧୯ ତାରିଖରେ ଦକ୍ଷିଣ  ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।  ୧୮ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀରେ ହାଲୁକା ବର୍ଷା ସମ୍ଭାବନା  ଅଛି । ୧୯ ତାରିଖରେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି,  ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ  ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।  ମଙ୍ଗଳବାର କୋରାପୁଟ ଓ କନ୍ଧମାଳରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । 

ଆଜି ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳର ଦାରିଙ୍ଗିବାଡ଼ିରେ ତୁଷାରପାତ  ହୋଇଛି । ଏଠାରେ ପାରଦ ୭.୫ ଡିଗ୍ରୀ ଥିଲା । ଦାରିଙ୍ଗବାଡ଼ିର ପ୍ଲିହେରି, ଡୁଲୁରି  ସାହି ସମେତ ଦୁର୍ଗମ ଗାଁ ଗୁଡ଼ିକରେ ତୁଷାରପାତ ହୋଇଛି । କେନ୍ଦୁଝରର  କାଞ୍ଜିପାଣିରେ ମଧ୍ୟ ତୁଷାରପାତ ହେଉଥିବା ଦେଖିବାକୁ ମିଳିଛି । ଜି ଉଦୟଗିରି  ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିବା ସହ ଅସମ୍ଭାଳ ଜାଡ଼ ଦେହ ଥରାଇ ଦେଇଥିଲା । 

ରବିବାର ଝାରସୁଗୁଡ଼ାରେ ୭.୧, ଭବାନୀପାଟଣାରେ ୭.୮, ସୁନ୍ଦରଗଡ଼ରେ  ୯, ଜଗତସିଂହପୁରରେ ୯.୫, ଢେଙ୍କାନାଳ ଓ କୋରାପୁଟରେ ୯.୬, ଅନୁଗୁଳରେ  ୮, କେନ୍ଦୁଝରରେ ୮.୮, ନବରଙ୍ଗପୁର ଓ ବାରିପଦାରେ ୧୦, ବଲାଙ୍ଗୀରରେ  ୧୦.୩, ସୋନପୁରରେ ୧୦.୫ ଓ ଭୁବନେଶ୍ୱରରେ ରାତି ତାପମାତ୍ରା ୧୦.୯  ଡିଗ୍ରୀ ସେଲସିୟସ୍‌ ରହିଥିଲା । ପ୍ରବଳ ଶୀତରେ ସମସ୍ତେ ଥରି ଉଠିଥିଲେ । 

ମେଘୁଆ ପାଗ ସହିତ ଅଧିକ ଆର୍ଦ୍ରତା, କୁହୁଡ଼ି ଓ ହାଲୁକା ବର୍ଷା ଯୋଗୁ  ପନିପରିବାରେ ପାଉଁଶିଆ ରୋଗର ଆଶଙ୍କା ଅଛି । ଏଥିପାଇଁ ସତର୍କତାମୂଳକ  ପଦକ୍ଷେପ ନେବାକୁ ପ୍ରଫେସର ଡା. ପଶୁପାଳକ ପରାମର୍ଶ ଦେଇଛନ୍ତି । ଡ଼ିବିଟି ସହ ସଂଯୋଗ କରାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।