ଆସନ୍ତା ୨୯ରୁ ବଦଳିବ ପାଗ, ମେଘୁଆ ରହିବ ପାଗ

ଭୁବନେଶ୍ୱର,୨୪/୦୧: ଆସନ୍ତା ୨୯ ତାରିଖରୁ ରାଜ୍ୟରେ ପାଗ ବଦଳିବ । ଉପକୂଳକୁ ସାମୁଦ୍ରିକ ପବନ ବହିବ । ପାଗ ମେଘୁଆ ରହିବ । ଅଧିକାଂଶ ସ୍ଥାନରେ ଦିନରେ କୋହଲା ପାଗ ହେବ । ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।
ଆସନ୍ତା ତିନି ଦିନରେ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା କ୍ରମଶଃ ବଢ଼ିବ । ଏହା ପ୍ରାୟ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଡ. ପଶୁପାଳକ କହିଛନ୍ତି। ଦିନବେଳାର ତାପମାତ୍ରା ବି ବଢ଼ିପାରେ । ୨୬ ଯାଏ ରାଜ୍ୟରେ କୁହୁଡ଼ି ରହିବ ବୋଲି ସେ ଆକଳନ କରିଛନ୍ତି।
ସୋମବାର ବାଲେଶ୍ୱର, ଚାନ୍ଦବାଲି, ପାରୀଦୀପ ଓ ଯାଜପୁରରେ ଘନ କୁହୁଡି ଦେଖାଦେଇଛି। ବାଲେଶ୍ୱର ଓ ଚାନ୍ଦବାଲିରେ କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା ୫୦ ମିଟର ରହିଛି । ଯାଜପୁରରେ ଦୃଶ୍ୟମାନ ଦୂରତା ୧୦୦ ମିଟର ରହିଛି ।
ସୋମବାର ଜି. ଉଦୟଗିରିରେ ସବୁଠୁ କମ୍ ବା ୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଫୁଲବାଣୀରେ ୯, କିରେଇରେ ତାପମାତ୍ରା ୧୨ ଡିଗ୍ରୀ ରହିଥିଲା। ମଙ୍ଗଳବାର ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼ ଓ ଯାଜପୁର ଜିଲ୍ଲାରେ କୁହୁଡ଼ି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।