ନୂଆଦିଲ୍ଲୀ,୨୦/୦୨; ସବୁକିଛି ଠିକଠାକ୍ ଚାଲିଥିଲା । ବରକୁ ନେଇ ବରଯାତ୍ରୀ ବିବାହ ମଣ୍ଡପରେ ପହଞ୍ଚିଲେ । ଭୋଜି ବି ଖାଇଲେ । ବାହାଘର ପରମ୍ପରା ଆରମ୍ଭ ହୋଇଯାଇଥିଲା । ସମସ୍ତେ ଖୁସି ଥିଲେ । ହେଲେ ଗୋଟିଏ ଛୋଟ ଘଟଣା ସବୁ କିଛି ଓଲଟପାଲଟ କରିଦେଲା । ଏତିକି ବେଳେ କନ୍ୟାର ପୋଷା କୁକୁରଟି କେଉଁଠି ଥିଲା କେଜାଣି ଭୋକି ଦେଲା । ଆଉ ତା ପରେ କଥା ସରିଲା । ବରଯାତ୍ରୀଙ୍କ ମଧ୍ୟରୁ ଜଣେ ଯୁବକଙ୍କ ମୁଣ୍ଡକୁ ପିତ ଚଢିଗଲା । କନ୍ୟାର ପୋଷା କୁକୁରକୁ ଯୁବକ ଜଣକ ପିଟିଲେ । ଆଉ କନ୍ୟା ବି ଚୁପ୍ ବସିଲା ନାହିଁ । କାହିଁକି କୁକୁରକୁ ମାରିଲେ ତାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଶେଷ କନ୍ୟା ବାହା ହେବାକୁ ମନା କରି ଦେଇଥିଲେ । ଏହାକୁ ନେଇ କନ୍ୟା ଓ ବରପକ୍ଷ ମଧ୍ୟରେ ଘମାସନ ଆରମ୍ଭ ହୋଇଥିଲା । ଚେୟାର ଉଡିଲା ଶେଷରେ ବାହାଘର ଭାଙ୍ଗିଲା । ଉତ୍ତରପ୍ରଦେଶର ଫତେହପୁରର ଏକ ବିବାହ ମଣ୍ଡପରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ।

କନ୍ୟାଙ୍କ ପୋଷା କୁକୁରକୁ ନେଇ ବିବାଦ ଘଟିବାକୁ ବିବାହ ଉତ୍ସବ ହିଂସାତ୍ମକ ରୂପ ନେଇଥିଲା । ବିବାଦ ଏତେ ବଢିଗଲା ଯେ ବର ଓ କନ୍ୟାପକ୍ଷ ମୁହାଁମୁହିଁ ହୋଇଥିଲେ । ଲାଠି ଏବଂ ଚେୟାର ମାଡ ହୋଇଥିଲା । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ଶେଷରେ କନ୍ୟା ବିବାହ କରିବାକୁ ମନା କରି ଦେଇଛନ୍ତି । ଗତ ବୁଧବାର ଏକ ବିବାହ ଉତ୍ସବରେ ଏହି ଘଟଣା ଚର୍ଚ୍ଚାରେ ବିଷୟ ହୋଇଛି । ମଣ୍ଡପରେ ଅଳଙ୍କାର ଅର୍ପଣ ବିଧି ଚାଲିଥିଲା । ଏହି ସମୟରେ କନ୍ୟା ପରିବାର ପକ୍ଷରୁ ଅଣାଯାଇଥିବା ପୋଷା କୁକୁର ଯିଏକି ଦୂରରେ ବନ୍ଧା ହୋଇଥିଲା । ସେ ଭୋକିବା ଆରମ୍ଭ କରିଥିଲା । ଅଭିଯୋଗ ହୋଇଛି ଯେ ବର ପକ୍ଷର ଜଣେ ଯୁବକ କୁକୁରକୁ ପିଟିଥିଲେ । ଏହିଠାରୁ ପରିସ୍ଥିତି ଖରାପ ହୋଇଥିଲା ।

ଏହା ବି ପଢନ୍ତୁ...ଚୀନ-ପାକିସ୍ତାନକୁ ନୋ ଏଣ୍ଟ୍ରୀ, ଆମେରିକା ସହ ପ୍ୟାକ୍ସ -ସିଲିକାରେ ସାମିଲ ଭାରତ, ଜାଣନ୍ତୁ କିପରି ହେବ କିଙ୍ଗ୍ ?​​​​​​​

​​​​​​​କନ୍ୟାପକ୍ଷ ଅସନ୍ତୋଷ ପ୍ରକାଶ କରିବାରୁ ବିବାଦ ବଢିବାରେ ଲାଗିଲା । ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଗଲା । ଧୀରେ ଧୀରେ ଏହା ଖଣ୍ଡଯୁଦ୍ଧରେ ପରିଣତ ହେଲା । ଲୋକମାନେ ଏଣେ ତେଣେ ଦୌଡ଼ିଲେ । ମାଡଗୋଳରେ କନ୍ୟାପକ୍ଷର ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମୁଣ୍ଡରେ ଆଘାତ ଲାଗିଛି । ବର ପକ୍ଷରୁ ୨ ଜଣ ଆହତ ହୋଇଛନ୍ତି । ପରିସ୍ଥିତି ଏତେ ଖରାପ ହେଲା ଯେ ପୁଲିସକୁ କେହି ଜଣେ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ବିବାହ କରିବାକୁ କନ୍ୟା ସଫା ସଫା ମନା କରିଦେଲେ । ପୁଲିସ୍ କହିଛନ୍ତି ଦୁଇ ପରିବାର ମଧ୍ୟରେ ଆପୋଷ ବୁଝାମଣା ହୋଇଛି । ସମସ୍ତ ସାମଗ୍ରୀ ଫେରାଇ ଦିଆଯାଇଛି ।