ନୂଆଦିଲ୍ଲୀ,୨୦/୦୨; ଭାରତ ପାଇଁ ଆଜି ଏକ ଐତିହାସିକ ଦିନ । ନୂଆଦିଲ୍ଲୀରେ ଚାଲିଥିଲା ଏଆଇ ଇମ୍ପାକ୍ଟ ସମିଟ ପଞ୍ଚମ ତଥା ଅନ୍ତିମ ଦିନରେ ଭାରତ ପାଇଁ ଏକ ଖୁସି ଖବର ଆସିଛି । ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଏବଂ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଏକ ଐତିହାସିକ ଭାରତ-ଆମେରିକା ମେଣ୍ଟ ସ୍ୱାକ୍ଷରିତ ହୋଇଛି । ଆମେରିକା ନେତୃତ୍ୱାଧୀନ ପ୍ୟାକ୍ସ-ସିଲିକାରେ ଏଣ୍ଟ୍ରୀ କରିଛି ଭାରତ । ଏହି ଡିଲରେ ଚୀନ ଏବଂ ପାକିସ୍ତାନକୁ ସ୍ଥାନ ମିଳିନାହିଁ । ବିଶ୍ୱର ସର୍ବବୃହତ ଏଆଇ ମେଣ୍ଟ ଭାରତ ପ୍ରବେଶ କରିଛି । ଏହି ଡିଲ୍ ସେମିକଣ୍ଡକ୍ଟର, ଏଆଇ ଏବଂ ଯୋଗାଣ ଶୃଙ୍ଖଳା ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।
ଚୁକ୍ତିନାମା ଘୋଷଣା କରି ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ''ବିଶ୍ୱ ଭାରତକୁ ବିଶ୍ୱାସ କରେ । ଆମ ପାଖରେ ପ୍ରତିଭାର ଅଭାବ ନାହିଁ । ଆମେ ଅନୁସରଣ କରୁଥିବା ବୈଦେଶିକ ନୀତି ଜନସାଧାରଣଙ୍କ ପ୍ରତିଭାକୁ ପ୍ରେରଣା ଦିଏ । ଏହି ପ୍ୟାକ୍ସ ସିଲିକା ସେମି କଣ୍ଡକ୍ଟର, ଶୃଙ୍ଖଳା, ଉତ୍ପାଦନ ଏବଂ ଚିପ୍ ଡିଜାଇନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏଥିରେ ସାମି ହେବା ଦ୍ୱାରା ଭାରତ ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ଶିଳ୍ପରେ ଆଗକୁ ବଢିବାରେ ସାହାଯ୍ୟ କରିବ । ୧୦ଟି ପ୍ଲାଣ୍ଟ ପ୍ରସ୍ତୁତ ଅଛି । ଖୁବଶୀଘ୍ର ଚିପ୍ ଉତ୍ପାଦ ଆରମ୍ଭ ହେବ ।''
ପ୍ୟାକ୍ସ-ସିଲିକା କଣ ? ଆମେରିକା ଡିସେମ୍ବର ୨୦୨୫ରେ ପାକ୍ସ ସିଲିକା ଲଞ୍ଚ କରିଥିଲା । ପାକ୍ସ ସିଲିକା ନାମର ଏକ ଅନନ୍ୟ ଅର୍ଥ ଅଛି । ପାକ୍ସ ଅର୍ଥ ଶାନ୍ତି ଏବଂ ସ୍ଥିରତା । ସିଲିକା ଆଧୁନିକ କମ୍ପ୍ୟୁଟର ଚିପ୍ସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ସିଲିକନକୁ ବୁଝାଏ । ଏହି ମେଣ୍ଟ ପ୍ରଯୁକ୍ତିବିଦ୍ୟା ସ୍ଥିରତା ଏବଂ ଏକ ସୁରକ୍ଷିତ ଡିଜିଟାଲ୍ ଭବିଷ୍ୟତ ଆଡ଼କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ଏହାର ଲକ୍ଷ୍ୟ ହେଉଛି ସେମିକଣ୍ଡକ୍ଟର, ଏଆଇ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପାଇଁ ଯୋଗାଣ ଶୃଙ୍ଖଳକୁ ଅଧିକ ସୁରକ୍ଷିତ କରିବା । କୋଭିଡ-୧୯ ମହାମାରୀ ଏବଂ ଭୂରାଜନୈତିକ ଉତ୍ତେଜନା ପରେ, ବିଶ୍ୱ ଅନୁଭବ କଲା ଯେ ଚିପ୍ସ ଏବଂ ପ୍ରଯୁକ୍ତିବିଦ୍ୟା ଉପକରଣର ଯୋଗାଣ କିଛି ଚୟନିତ ଦେଶ ଉପରେ କ୍ରମାଗତ ଭାବରେ ନିର୍ଭରଶୀଳ ହେଉଛି । ଚୀନ ଉପରେ ନର୍ଭରଶୀଳତା ହ୍ରାସ କରିବାକୁ ଏହାକୁ ଏକ ରଣନୀତି ବୋଲି ବିବେଚନା କରାଯାଉଛି ।
ସେମିକଣ୍ଡକ୍ଟର ମିଶନ ପାଇଁ ଭାରତର ଭୂମିକା ଏବଂ ସୁଯୋଗ- ଭାରତକୁ ଏହି ଗୋଷ୍ଠୀରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା । ଏହାକୁ ଭାରତର ସେମିକଣ୍ଡକ୍ଟର ମିଶନ ଏବଂ ଏଆଇ କ୍ଷେତ୍ର ପାଇଁ ଏକ ପ୍ରମୁଖ ସୁଯୋଗ ବୋଲି ବିବେଚନା କରାଯାଉଛି । ଭାରତ ସରକାର ସେମିକଣ୍ଡକ୍ଟର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ନୀତି କାର୍ଯ୍ୟକାରୀ କରିସାରିଛନ୍ତି । ପ୍ୟାକ୍ସ ସିଲିକା ଏଲାଏନ୍ସରେ ଯୋଗଦାନ ଭାରତକୁ ବୈଷୟିକ ସହଯୋଗ, ନିବେଶ, ଗବେଷଣା ସହଭାଗୀତା ଏବଂ ଯୋଗାଣ ଶୃଙ୍ଖଳା ଚାହିଦା ପାଇଁ ନୂତନ ସୁଯୋଗ ପ୍ରଦାନ କରିବ। ଏହା ଦେଶରେ ଚିପ୍ ନିର୍ମାଣ, ଡିଜାଇନ୍ ଏବଂ ଏଆଇ-ଆଧାରିତ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବାର ସମ୍ଭାବନା ରହିଛି ।
ଏହା ବି ପଢନ୍ତୁ...ଗଗନଯାନ ପାରାଶୁଟ ପରୀକ୍ଷଣ ସଫଳ, ସୁରକ୍ଷିତ ପୃଥିବୀକୁ ଫେରିବେ ମହାକାଶଚାରୀ
ମେଣ୍ଟରେ ସାମିଲ ପ୍ରମୁଖ ଦେଶ- ଆମେରିକା ନେତୃତ୍ୱରେ, ଏହି ମେଣ୍ଟରେ ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଇସ୍ରାଏଲ, ୟୁକେ, କତାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ଦେଶ ପୂର୍ବରୁ ସାମିଲ ଅଛନ୍ତି । ଏହି ସମସ୍ତ ଦେଶ ପ୍ରଯୁକ୍ତିବିଦ୍ୟା ନବସୃଜନ, ଚିପ୍ ଉତ୍ପାଦନ, ଏଆଇ ଗବେଷଣା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପଦରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଭାରତର ସାମିଲ ହେବା ଦ୍ୱାରା ଗୋଷ୍ଠୀଟି ଆହୁରି ମଜବୁତ ହେଉଛି, କାରଣ ଏହା ଦ୍ରୁତ ଗତିରେ ଏକ ଅଗ୍ରଣୀ ଡିଜିଟାଲ୍ ଅର୍ଥନୀତି ଏବଂ ଏକ ବିଶ୍ୱ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଭାବରେ ନିଜକୁ ପ୍ରତିଷ୍ଠିତ କରୁଛି ।