ନୂଆଦିଲ୍ଲୀ, ୧୧।୩: ପଶ୍ଚିମ ଏସିଆରେ ବଢ଼ୁଥିବା ସୁରକ୍ଷା ସଙ୍କଟକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ଗ୍ରୁପ୍ ଯାତ୍ରୀମାନଙ୍କ ପାଇଁ ସହାୟତାର ହାତ ବଢ଼ାଇଛି । ଆଜି ଅର୍ଥାତ୍ ୧୧ ମାର୍ଚ୍ଚ ୨୦୨୬ରେ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ମୋଟ ୫୮ଟି ନିୟମିତ ଏବଂ ସ୍ୱତନ୍ତ୍ର ବିମାନ ଚଳାଚଳ କରିବାକୁ ଘୋଷଣା କରାଯାଇଛି । ଉପସାଗରୀୟ ଦେଶଗୁଡ଼ିକରେ ଫସି ରହିଥିବା ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଆଣିବା ଏବଂ ସେବା ବଜାୟ ରଖିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ଏୟାରଲାଇନ୍ସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଜେଦା ଏବଂ ମସ୍କାଟ୍ ପାଇଁ ନିୟମିତ ସେବା ଜାରି ରହିବ ।

ଜେଦା: ମୋଟ୍ ୮ଟି ବିମାନ ଚଳାଚଳ କରିବ । ଏଥିମଧ୍ୟରେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଏବଂ କୋଝିକୋଡ୍ରୁ ରାଉଣ୍ଡ-ଟ୍ରିପ୍ ସେବା ସାମିଲ ଅଛି ।

ମସ୍କାଟ୍: ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ୧୪ଟି ବିମାନ ଚଳାଚଳ କରିବ । ଦିଲ୍ଲୀ, ମୁମ୍ବାଇ, କନ୍ନୁର, ତିରୁବନନ୍ତପୁରମ୍ ଏବଂ ତିରୁଚିରାପଲ୍ଲୀରୁ ବିମାନ ଉଡ଼ାଣ ଭରିବ । କୋଚିରୁ ଦୁଇଟି ରାଉଣ୍ଡ-ଟ୍ରିପ୍ ବିମାନର ବ୍ୟବସ୍ଥା ହୋଇଛି ।

ୟୁଏଇ: ସଂଯୁକ୍ତ ଆରବ ଏମିରେଟ୍ସ ପାଇଁ ପ୍ରାୟ ୩୬ଟି ଅତିରିକ୍ତ ସ୍ୱତନ୍ତ୍ର ବିମାନ ଚଳାଚଳ କରିବାର ଯୋଜନା ରହିଛି ।

ଏହା ବି ପଢ଼ନ୍ତୁ... ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ : ବିମାନ ଓ ଜାହାଜର ମିଳୁଛି ଭ୍ରମାତ୍ମକ ତଥ୍ୟ, ଶତ୍ରୁକୁ ଭୁଆଁ ବୁଲାଇବାକୁ ଚେଷ୍ଟା

ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା:

ଯୁଦ୍ଧ ସ୍ଥିତି ଯୋଗୁଁ ଯେଉଁ ଯାତ୍ରୀମାନଙ୍କ ବିମାନ ଯାତ୍ରା ପ୍ରଭାବିତ ହୋଇଛି, ସେମାନଙ୍କ ପାଇଁ ଏୟାରଲାଇନ୍ସ କିଛି ରିହାତି ଘୋଷଣା କରିଛି । ଯାତ୍ରୀମାନେ କୌଣସି ଅତିରିକ୍ତ ଶୁଳ୍କ ନଦେଇ ଅନ୍ୟ ତାରିଖ ପାଇଁ ଟିକେଟ୍ ବୁକ୍ କରିପାରିବେ । ଯଦି ଯାତ୍ରୀ ଚାହାଁନ୍ତି, ତେବେ ସେମାନଙ୍କୁ ପୂରା ଟଙ୍କା ଫେରସ୍ତ କରାଯିବ । ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ହ୍ୱାଟସ୍ଆପ୍ ଜରିଆରେ ରି-ବୁକିଂ ସୁବିଧା ଯୋଗାଇ ଦିଆଯାଉଛି । ଏୟାର ଇଣ୍ଡିଆ ଗ୍ରୁପ୍ ପ୍ରବକ୍ତା କହିଛନ୍ତି, "ଆମେ ପଶ୍ଚିମ ଏସିଆର ସ୍ଥିତି ଉପରେ ନିରନ୍ତର ନଜର ରଖିଛୁ । ଯଦି ଆବଶ୍ୟକ ପଡ଼େ, ତେବେ ଅନ୍ୟ ସହରଗୁଡ଼ିକୁ ମଧ୍ୟ ଅଧିକ ବିମାନ ପଠାଯିବ।"