ନୂଆଦିଲ୍ଲୀ,୨୩/୦୩: ୪ର୍ଥ ସପ୍ତାହରେ ପହଞ୍ଚିଛି ଆମେରିକା-ଇରାନ ଯୁଦ୍ଧ । ଏହାର ପ୍ରଭାବ ଦେଶର ପ୍ରତି ଶିଳ୍ପ କ୍ଷେତ୍ର ଉପରେ ପଡିଛି । ସ୍ମାର୍ଟଫୋନ ବଜାରରେ ମଧ୍ୟ ଯୁଦ୍ଧର ପ୍ରଭାବ ଦେଖାଗଲାଣି । ଯୁଦ୍ଧ ଉଭୟ ସ୍ମାର୍ଟଫୋନ ଚାହିଦା ଏବଂ ଯୋଗାଣକୁ ପ୍ରଭାବିତ କରିବ ବୋଲି ବିଶେଷଜ୍ଞ କହିଛନ୍ତି ।
ରିସର୍ଚ୍ଚ ଫାର୍ମ ଗୁଡ଼ିକ ଆକଳନ କରିଛନ୍ତି ଯେ, ୨୦୨୬ ସ୍ମାର୍ଟଫୋନ ବଜାର ଲାଗି ଆହ୍ୱାନପୂର୍ଣ୍ଣ ରହିବ । ସ୍ମାର୍ଟଫୋନ ସିପମେଣ୍ଟ ବା ଚାହିଦା ୧୩୯ ନିୟୁତ ୟୁନିଟ ରହିପାରେ ବୋଲି କାଉଣ୍ଟର ପଏଣ୍ଟ ରିସର୍ଚ୍ଚ କହିଛି । ସିପ୍ମେଣ୍ଟ ୧୪୨ ନିୟୁତ ୟୁନିଟ ରହିବା ନେଇ ପୂର୍ବରୁ ଆକଳନ କରିଥିଲା ଏହି ଏଜେନ୍ସି । ସେହିଭଳି ଓମ୍ଡିଆ ନାମକ ଏଜେନ୍ସି ମଧ୍ୟ ୧୪୨ ନିୟୁତ ୟୁନିଟ ନେଇ ଆକଳନ କରିଛି । ସ୍ଥିତି ବିଗିଡିଲେ ଏହା ଆହୁରି ହ୍ରାସ ହୋଇ ପାରେ ବୋଲି ବିଶେଷଜ୍ଞ କହିଛନ୍ତି ।
ଅଧିକ ପଢ଼ନ୍ତୁ :- ଯୁଦ୍ଧ ମାଡ଼ରେ ପୁଞ୍ଜି ବଜାର ଧରାଶାୟୀ, ସେନସେକ୍ସ ୧୬୦୦ ପଏଣ୍ଟ ହ୍ରାସ, ନିଫ୍ଟି ବି ତଳ ମୁହାଁ
ଆଇଡିସି କହିଛି ଯେ, ସିପମେଣ୍ଟ ୧୩୨ ନିୟୁତ ଟନ୍ ରହିପାରେ । ଯାହା ୨୦୨୫ରେ ୧୫୨ ନିୟୁତ ୟୁନିଟ ଥିଲା। ଏବେ ସ୍ମାର୍ଟଫୋନ ଶିଳ୍ପ ଉଭୟ ମେମୋରୀ ଏବଂ ଷ୍ଟୋରେଜ ଯନ୍ତ୍ରାଂଶ ଅଭାବ ସମସ୍ୟା ସାମ୍ନା କରୁଛି । ଯାହା ଶିଳ୍ପ ଉପରେ ଚାପ ପକାଉଛି । କୋଭିଡ ପରଠାରୁ ଶିଳ୍ପ ଲାଗି ଆକଳନରେ ଏଭଳି ହ୍ରାସ କରାଯାଇଛି । ସେହିଭଳି ମଧ୍ୟପ୍ରାଚ୍ୟ ସଙ୍କଟ ଏହି ସ୍ଥିତିକୁ ଆହୁରି ପ୍ରଭାବିତ କରିଛି । ଯୁଦ୍ଧ ଯୋଗୁ ଲୋକ ସଉକ ଉପରେ ଖର୍ଚ୍ଚ କମ୍ କରିପାରନ୍ତି । ପ୍ରକୃତ ସ୍ଥିତି ଦ୍ୱିତୀୟ ତ୍ରୈମାସରେ ଜଣାପଡିବ ବୋଲି କହିଛନ୍ତି ବିଶେଷଜ୍ଞ ।