କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର କାଉଣ୍ଟିଂ ଜାରି ରହିଛି। ପ୍ରାରମ୍ଭିକ ଫଳାଫଳ ଭିତରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାର୍ଟି କାର୍ଯ୍ୟାଳୟ ଓ ବୁଥ୍ ଏଜେଣ୍ଟଙ୍କୁ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏହି ଭିଡିଓ ବାର୍ତ୍ତାରେ ସେ ନିଜ ଏଜେଣ୍ଟଙ୍କୁ କାଉଣ୍ଟିଂ କେନ୍ଦ୍ରରେ ରହିବା ନେଇ ଅପିଲ କରିଛନ୍ତି। ସେ କହିଛନ୍ତି, ଏବେ ବି ବହୁ ରାଉଣ୍ଡ କାଉଣ୍ଟିଂ ବାକି ରହିଛି, ଏଥିପାଇଁ ବୁଥ୍ ଏଜେଣ୍ଟ ଓ ପାର୍ଟି କାର୍ଯ୍ୟକର୍ତ୍ତା କୌଣସି ସ୍ଥିତିରେ କାଉଣ୍ଟିଂ ବୁଥ୍ ଓ ମତଗଣନା ସ୍ଥଳକୁ ଛାଡନ୍ତୁ ନାହିଁ।

ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଏକ୍ସରେ ନିଜର ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ନମସ୍କାର। ଦୟାକରି କାଉଣ୍ଟିଂ ଏଜେଣ୍ଟ ଓ ପାର୍ଟି କ୍ୟାଣ୍ଡିଡେଟ୍ ପ୍ରତି କାଉଣ୍ଟିଂ ବୁଥ୍‌ରେ ରୁହନ୍ତୁ। କାରଣ ଏବେ ବି ଦୁଇରୁ ତିନି ରାଉଣ୍ଡ କାଉଣ୍ଟିଂ ଜାରି ରହିଛି। ଏଭଳି ସ୍ଥିତିରେ ବୁଥ୍ କେବେ ବି ନଛାଡନ୍ତୁ। ମମତା କହିଛନ୍ତି, ଏପର୍ଯ୍ୟନ୍ତ ବହୁତ କମ୍ ଭୋଟ୍ ଗଣତି ହୋଇଛି। ମମତା ବାନାର୍ଜୀ ନିର୍ବାଚନ କମିଶନଙ୍କୁ ବି କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି କମିଶନ୍ ଜାଣିଶୁଣି କାଉଣ୍ଟିଂ ପାଇଁ ସମୟ ନେଉଛନ୍ତି। କାଉଣ୍ଟିଂ ଧିମା ଗତିରେ ହେଉଛି।

ମମତା ଅଭିଯୋଗ କରିଛନ୍ତି, ବିଜେପି ଓ ନିର୍ବାଚନ କମିଶନ୍ର ଏହା ହେଉଛି ଷଡଯନ୍ତ୍ର। ଏହି ଷଡଯନ୍ତ୍ର ଅନୁସାରେ, କାଉଣ୍ଟିଂର ଆରମ୍ଭ ବିଜେପିର ବିଜୟ ଆଡକୁ ଦେଖାଉଛି। ମମତା କହିଛନ୍ତି, ମୁଁ ସବୁ ପାର୍ଟି କାର୍ଯ୍ୟକର୍ତ୍ତା, ଟିଏମ୍ସି ପ୍ରାର୍ଥୀ ଓ କାଉଣ୍ଟିଂ ଏଜେଣ୍ଟଙ୍କୁ ଅପିଲ୍ କରୁଛି ଆପଣମାନେ କାଉଣ୍ଟିଂ ସେଣ୍ଟର ଛାଡି ଯାଆନ୍ତୁ ନାହିଁ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଆଶା ଛାଡନି।’

ମମତା କହିଛନ୍ତି, ପ୍ରାୟ ୭୦ ରୁ ୧୦୦ ଆସନ ଏଭଳି ରହିଛି ଯେଉଁଠି ଆମେ ଆଗରେ ଚାଲୁଛୁ,କିନ୍ତୁ ଏହି ଆସନର ଫଳାଫଳ କୁହାଯାଉନି। କେବଳ ମିଛ ନ୍ୟାରେଟିଭ ପ୍ରଚାର କରାଯାଉଛି। ଏହା ନିର୍ବାଚନ କମିଶନ୍ ଓ ବିଜେପିର ଚାଲ୍। ଆମେ ଯେଉଁ ଅଞ୍ଚଳରେ ଜିତୁଛୁ ସେ ଅଞ୍ଚଳର କଥା କୁହାଯାଉ ନାହିଁ। ବହୁ ସ୍ଥାନରେ ଦୁଇ-ତିନି ରାଉଣ୍ଡ ପରେ କାଉଣ୍ଟିଂ ରୋକି ଦିଆଯାଇଛି। କଲ୍ୟାଣିରେ ଆମେ ୭ଟି ମେସିନ୍ ଦେଖିଛୁ, ଯେଉଁଥିରେ ଗମ୍ଭୀର ସମସ୍ୟା ରହିଛି।

ଏହା ପୂର୍ବରୁ ରାତି ୧ଟା ୧୨ ମିନିଟ୍ରେ ମମତା ନିଜର ଏକ ପୋଷ୍ଟରେ ଲେଖିଥିଲେ, ସତର୍କ ରୁହ, ରାତିସାରା ନଜର ରଖ। ଯଦି କିଛି ଭୁଲ୍ ଦେଖୁଛ, ତେବେ ଅଭିଯୋଗ କର। ମୋତେ ଅଲଗା ଅଲଗା ସ୍ଥାନରୁ ରିପୋର୍ଟ ମିଳୁଛି ଯେ, ଜାଣିଶୁଣି ବିଜୁଳି କାଟି ଦିଆଯାଉଛି। ଏହାଛଡା ମମତା ଅଭିଯୋଗ କରିଥିଲେ ଯେ, ସିସିଟିଭି କ୍ୟାମେରା ବନ୍ଦ କରି ଦିଆଯାଉଛି। ଷ୍ଟ୍ରଙ୍ଗ ରୁମ୍ ଭିତରକୁ ବାହାରର ଗାଡି ଯିବା ଆସିବା କରୁଛି।’